Home ଓଡ଼ିଶା ରାଜସ୍ୱ ହାନୀ-ପର୍ଯଟକ ନିରାଶ, ନିର୍ମାଣକୁ ଲାଗିଲା ତିନି ବର୍ଷ ଉଦଘାଟନର ସାତମାସ ପରେ ମଧ୍ୟ ଚାଲୁ...

ରାଜସ୍ୱ ହାନୀ-ପର୍ଯଟକ ନିରାଶ, ନିର୍ମାଣକୁ ଲାଗିଲା ତିନି ବର୍ଷ ଉଦଘାଟନର ସାତମାସ ପରେ ମଧ୍ୟ ଚାଲୁ ହେଉନାହିଁ ଗାନ୍ଧିମିନାର-ଜବାହାର ଉଦ୍ୟାନ ରୋପ-ୱେ

92

ସମ୍ବଲପୁର, ୧୮/୯ (ଓଡ଼ିଆ ପୁଅ) – ବିଶ୍ୱ ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ବାମ ପାର୍ଶ୍ୱ ଡାଇକରେ ଅବସ୍ଥିତ ଗାନ୍ଧି ମିନାର ଠାରୁ ଜବାହାର ଉଦ୍ୟାନ ପର୍ଯ୍ୟନ୍ତ ସଂଯୋଗ କରିବା ପାଇଁ ନିର୍ମିତ ରୋପ-ୱେ ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଦିନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ପ୍ରକଳ୍ପ ଆରମ୍ବ ହେଉନଥିିବାରୁ ପର୍ଯ୍ୟଟକ ମାନେ ନିରାଶ ହେଉଥିବା ବେଳେ ସରକାରଙ୍କ ରାଜସ୍ୱ ହାନୀ ହେଉଛି। ଏବେ ପୁଣି ଆଗାମୀ ସୋମବାର ଦିନ ଏହ ବହୁ ପ୍ରତିକ୍ଷିତ ରୋପ ୱେ ବା କେବୁଲ କାରକୁ ଲୋକାର୍ପିତ କରାଯିବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ଇତି ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କରିଥିବା ଓଡ଼ିଶା ନିର୍ମାଣ ନିଗମ ପକ୍ଷରୁ ଏହାକୁ ହସ୍ତାନ୍ତର କରିବା ସକାଶେ ସମ୍ବଲପୁର ମହାନଗର ନିଗମକୁ ପତ୍ର ଲେଖାଯାଇଛି। ନିକଟରେ ରୋପ ୱେକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିତରକ କମ୍ପାନୀ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ପ୍ରକଳ୍ପର ପରିଚାଳନା ନିମନ୍ତେ ପ୍ରଶାସନ ଏକ କମିଟି ଗଠନ କରିଛନ୍ତି। ରୋପ ୱେ ଉପଭୋଗ ପାଇଁ ସମୟ ସାରଣୀ ଓ ଦର ମଧ୍ୟ ନିରୂପଣ କରାଯାଇଛି। ଗତ ଫେବୃଆରୀ ମାସରେ ଏହି ରୋପ-ୱେ ପ୍ରକଳ୍ପ ଉଦ୍ ଘାଟିତ ହୋଇଥିଲା। ହେଲେ ବିଦ୍ୟୁତ ସଂଯୋଗ ଓ ଅନ୍ୟ କିଛି ଆନୁସାଙ୍ଗିକ କାର୍ଯ୍ୟ ଅସଂପୂର୍ଣ୍ଣ ରହିଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରି ନଥିଲା। ଇତି ମଧ୍ୟରେ ବିଦ୍ୟୁତ ସଂଯୋଗ ଓ ଅନ୍ୟାନ୍ୟ ବାକିଆ କାମ ସଂପୂର୍ଣ୍ଣ ହୋଇଛି। ଗତ ଅଗଷ୍ଟ ମାସରେ ରୋପ-ୱେକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯିବ ବୋଲି ଆଶା କରାଯାଉଥିଲା।

୬ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପକୁ ଓଡ଼ିଶା ନିର୍ମାଣ ନିଗମ କାର୍ଯ୍ୟକାରୀ କରିଥିବା ବେଳେ କୋଲକାତାର ଏକ ଏଜେନ୍ସୀ ନିର୍ମାଣ କାମର ଠିକା ନେଇଥିଲା। ଏହି ରୋପ-ୱେରେ ଚାରିଜଣ ଲେଖାଏଁ ବସି ପାରୁଥିବା ୧୨ଟି ଟ୍ରଲି ରହିବ। ୪୨୧ ମିଟର ଲମ୍ବ ଏହି ରୋପ-ୱେକୁ ଆଗାମୀ ୩ ବର୍ଷ ପାଇଁ କୋଲକାତାର ଉକ୍ତ ଏଜେନ୍ସୀ ରକ୍ଷଣାବେକ୍ଷଣ କରିବ ବୋଲି ଜଣାପଡ଼ିଛି। ଗତ ଫେବୃଆରୀ ୧ ତାରିଖ ଦିନ ରୋପ-ୱେକୁ ମୁଖ୍ୟମନ୍ତ୍ରୀ ଉଦ୍ ଘାଟନ କରିଥିଲେ। ସେହିଦିନ ଠାରୁ ଲୋକେ ବିଶେଷ କରି ଛାତ୍ରଛାତ୍ରୀମାନେ ଏଥିରେ ବସିବା ପାଇଁ ଅପେକ୍ଷା କରିଥିଲେ। ଯେଉଁ ଅପେକ୍ଷା ଏବେ ବାସ୍ତବିକତାରେ ପରିଣତ ହେବାକୁ ଯାଉଛି। ହୀରାକୁଦ ନଦୀବନ୍ଧର ବାମପାର୍ଶ୍ୱ ଡାଇକରେ ଗାନ୍ଧି ମିନାର ଓ ଏକ ୱାଚ ଟାୱାର ରହିଛି। ଏହାରି ଉପରୁ ଡ୍ୟାମ ଓ ହୀରାକୁଦ ସହରର ବିହଙ୍ଗାବଲୋକନ କରାଯାଇଥାଏ। ଏହାର ତଳ ପାଶ୍ୱର୍ରେ ଜବାହାର ଉଦ୍ୟାନ ରହିଛି। ଏଠାକୁ ଏବଂ ଗାନ୍ଧି ମିନାରକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ଜଳସମ୍ପଦ ବିଭାଗ ରକ୍ଷଣାବେକ୍ଷଣ କରୁଥିବା ଗାନ୍ଧି ମିନାର ଓ ଜବାହାର ଉଦ୍ୟାନ ସହିତ ଏବେ ହୀରାକୁଦ ନଦୀବନ୍ଧ ପାଇଁ ରୋପ-ୱେ ଏକ ନୂଆ ଆକର୍ଷଣ ସ୍ଥଳ ହେବ। ଏହା ପର୍ଯ୍ୟଟକମାନଙ୍କୁ ଅଧିକରୁ ଅଧିକ ଆକର୍ଷଣ କରିବ ବୋଲି ଆଶା କରାଯାଉଛି। ୨୦୧୬ ଏପ୍ରିଲ ମାସରେ ରୋପ-ୱେର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୭ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ପ୍ରକଳ୍ପ ସ୍ଥଳରେ ଜଙ୍ଗଲ ଥିବାରୁ ପରିବେଶ ମଞ୍ଜୁରି ଆବଶ୍ୟକତା ଯୋଗୁଁ କାମ ଅଧାରେ ବନ୍ଦ ପଡ଼ିଥିଲା। ପରେ ଏହି ସମସ୍ୟାର ସମାଧାନ ସହିତ ଜଙ୍ଗଲ ବିଭାଗର ଅନୁମତି ଅଣାଯାଇ ୨୩ଟି ଗଛ ଅପସାରଣ କରାଯାଇଥିଲା ଓ ଜଳସମ୍ପଦ ବିଭାଗ ଏଥିପାଇଁ ବନ ବିଭାଗକୁ ଏକ ଲକ୍ଷ ଟଙ୍କା ହସ୍ତାନ୍ତର କରିଥିଲା। ହେଲେ ହୀରାକୁଦ ସହରକୁ ପରିବହନ ବ୍ୟବସ୍ଥାକୁ ବ୍ୟବସ୍ଥିତ ଓ ବୁର୍ଲା ଏବଂ ସମ୍ବଲପୁର ସହରରୁ ନିୟମିତ ଯାତ୍ରୀବାହୀ ଗାଡ଼ିମୋଟର ଚଳାଚଳ କରାଯିବାକୁ ଦାବି ହେଉଛି। ଯଦ୍ୱାରା ସବୁବର୍ଗର ପର୍ଯ୍ୟଟକ ଏବଂ ଜନସାଧାରଣ ରୋପ-ୱେର ମଜା ନେଇପାରିବେ। ଚିପିଲିମାର ଘଣ୍ଟେଶ୍ୱରୀ ଓ ଜଳ ବିଦ୍ୟୁତ କେନ୍ଦ୍ର, ବୁର୍ଲା ପଟରେ ଥିବା ଜବାହାର ମିନାର ଓ ଡ଼େବ୍ରୀଗଡ଼ ଅଭୟାରଣ୍ୟ ସହିତ ସମ୍ବଲପୁରର ଦର୍ଶନୀୟ ସ୍ଥାନକୁ ନେଇ ଏକ ପର୍ଯ୍ୟଟନ ସାର୍କିଟ କରାଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.