Home ଜିଲ୍ଲା ପରିକ୍ରମା ରାଜନୀତିର ପଶାପାଲିରେ ଚାଷୀଙ୍କ ପ୍ରତିବାଦ

ରାଜନୀତିର ପଶାପାଲିରେ ଚାଷୀଙ୍କ ପ୍ରତିବାଦ

74

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣତଃ ବିରୋଧୀ ଦଳର ନେତାମାନେ ଶାସକ ଦଳର ବିଭିନ୍ନ କାର୍ଯ୍ୟକୁ ନେଇ ଆନ୍ଦୋଳନ ଓ ପ୍ରତିବାଦର ସ୍ୱର ଉଠାଇଥାନ୍ତି । ଏପରିକି ବହୁ ସମୟରେ ଚାଷୀଙ୍କୁ ନେଇ ବିରୋଧୀ ରାଜନୀତିର ପଶାପାଲିର ଗୋଟି ଚାଳନା କରିଥାନ୍ତି । କିନ୍ତୁ ଖୋଦ୍ ଶାସକ ଦଳ ବିଜେଡିର ଜିଲା ଯୁବନେତୃତ୍ୱ ନେଉଥିବା ନେତା ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଆସୁଥିବାରୁ ସ୍ଥାନୀୟ ଚାଷୀଙ୍କୁ ନେଇ ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଜଳାଞ୍ଜଳି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଯଦିଓ ପାଖେଇ ଆସୁଥିବା ଉଭୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଉଷ୍ମତା ପ୍ରକାଶ ପାଇଲାଣି, ତେବେ ଶାସକ ଦଳରେ ଥାଇ ଜାତୀୟ ରାଜପଥ ସଂପ୍ରସାରଣ ଭଳି କାର୍ଯ୍ୟରେ ବାଧା ସୃଷ୍ଟି କରିବା ବୁଦ୍ଧିଜୀବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି । ଏପରି ଏକ ଘଟଣା ଦେଖାଦେଇଛି ଭଦ୍ରକର ୧୬ ନଂ ଜାତୀୟ ରାଜପଥର ବହୁଦରଡା ଅଂଚଳରେ । ଚାଷଜମିକୁ ଜଳ ଯୋଗାଣରେ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ଡିବିଏଲ୍ ନିର୍ମାଣକାରୀ ସଂସ୍ଥାନର ଗାଡିକୁ ଅଟକାଇ ଯେଭଳି ଭାବେ ଚାଷୀମାନେ ପ୍ରତିବାଦର ସ୍ୱର ଉଠାଇଛନ୍ତି, ତାହା ପଛରେ ଜଣେ ସ୍ଥାନୀୟ ଶାସକ ଦଳ ନେତାଙ୍କ ପ୍ରଛନ୍ନ ହାତ ରହିଥିବାର ଶୁଣିବାକୁ ମିଳୁଛି । କାହିଁକି ନା ରାଜପଥ ପାଶ୍ୱର୍ରେ ଅବସ୍ଥିତ ବିଷ୍ଣୁପୁର, ବହୁଦରଡା ଓ ଜଳମଣ୍ଡୁଆ ଭଳି ପଂଚାୟତର ଶତାଧିକ ଏକର ଚାଷଜମି ବର୍ଷା ବିନା ପଡିଆ ପଡିଥିବାବେଳେ ଜଳ ବିନା କିଭଳି ଯେ ଶହ ଶହ ଏକର ଚାଷଜମି ମରିବା ଆଳରେ ଡିବିଏଲ୍ କଂପାନୀକୁ ଦୋଷ ଦେଇ ଏଭଳି ଆନ୍ଦୋଳନ ଆରମ୍ଭ ହୋଇଛି । ଡ୍ରେନ୍ ନିର୍ମାଣ ଆଳରେ ଏହି କଂପାନୀ ଚାଷଜମିକୁ ଜଳ ଯୋଗାଣ, ରାସ୍ତା ଅବରୋଧ କରି ରଖିବା ଯୋଗୁଁ ଶତାଧିକ ହେକ୍ଟର ଚାଷଜମି ମରିବାକୁ ବସିଲାଣି ବୋଲି ଅଭିଯୋଗ ହୋଇଛି । ବିଶେଷକରି ରାସ୍ତାପାଶ୍ୱର୍ରେ ଥିବା ନାଳ ଓ ନୟନଯୋରୀ ଗୁଡିକ ପୋତି ହୋଇଯିବା ଯୋଗୁଁ ଚାଷଜମିକୁ ଜଳ ପ୍ରବାହ ବାଧାପ୍ରାପ୍ତ ହୋଇଥିବାର ଦର୍ଶାଇ ଚାଷୀଙ୍କ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଛି ।

ଅପରପକ୍ଷେ ଯାହା ଜଣାଯାଏ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଆଜି ନୁହେଁ ଗତ ପ୍ରାୟ ଦୁଇବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲୁରହିଛି । ରାଜପଥ ପାଶ୍ୱର୍ରେ ଥିବା ନାଳ ଓ ନୟନଯୋରୀ ଗୁଡିକୁ ଖୋଳି ନିର୍ମାଣକାରୀ ସଂସ୍ଥା ଡ୍ରେନ୍ ତିଆରି କରୁଛନ୍ତି । ଭଦ୍ରକ ଜିଲାର ମଇତାପୁର ଠାରୁ ଆଖୁଆପଦା ଯାଏ ଏହି କାର୍ଯ୍ୟ ଚାଲିଛି । ତେବେ ଆଜିଯାଏ ଏଥିନେଇ କୌଣସି ଜାଗାରେ କୌଣସି ପ୍ରତିବାଦ ଅଥବା ବିରୋଧ ଦେଖିବାକୁ ମିଳିନଥିବାବେଳେ ବହୁଦରଡା ଠାରେ ଏହି ଧରଣର ପ୍ରତିବାଦ ଚାଷୀ ସମସ୍ୟା ଅପେକ୍ଷା ରାଜନୈତିକ ଅଭିସନ୍ଧି ମୂଳକ ବୋଲି ଚର୍ଚ୍ଚା ହେଉଛି । କାରଣ ଡ୍ରେନ୍ ନିର୍ମାଣ ସତ୍ୱେ ରାଜପଥ ପାଶ୍ୱର୍ରେ ଥିବା ଚାଷଜମି ଗୁଡିକ ବେଶି ପ୍ରଭାବିତ ହେବା ଭଳି ସ୍ଥିତି ଉତ୍ପନ୍ନ ହୋଇନଥିବାବେଳେ ଏଥିନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ନିଶ୍ଚିତ ଭାବେ ବିସ୍ମୟଜନକ ମନେହୁଏ । ଯଦିଓ ଚାଷୀଙ୍କର ଏହି ଆନ୍ଦୋଳନ ପରେ ଜିଲା ପୁଲିସ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ôଚ ଡ୍ରେନ୍ ଖନନ ଫଳରେ ଚାଷଜମି ଯେଭଳି କ୍ଷତିଗ୍ରସ୍ତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି, କିନ୍ତୁ ଜଣେ ଶାସକ ଦଳର ଜିଲାସ୍ତରୀୟ ଯୁବ ନେତୃତ୍ୱ ନେଇଥିବା ବ୍ୟକ୍ତି ନିଜର ହୀନ ରାଜନୈତିକ ଅଭିସନ୍ଧି ରଖି ଯେଭଳି ଚାଷୀଙ୍କୁ ଲୋକଙ୍କର ବୃହତ୍ତର ସ୍ୱାର୍ଥରେ ବାଧା ଦେଲେ, ତାହା ଜିଲାବ୍ୟାପୀ ନିନ୍ଦାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.