ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି। ମୃତ ମହିଳା ହେଲେ ରଶ୍ମିତା। ତାଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ, ବରଂ ଶାଶୁଘର ଲୋକେ ତାଙ୍କୁ ମାରିଦେଇଥିବା ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ କୁତପୁର ଗ୍ରାମରେ ରଶ୍ମିତାଙ୍କ ବାପଘର। ପ୍ରାୟ ୨୦୧୮ ମସିହାରେ ସେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧୀନ ଚୁଡ଼ାମଣି ସାମୁଦ୍ରିକ ଥାନା ଅଂଚଳର ବିନ୍ଧାଣୀ ସାହିର ସଚିଦ୍ର ବିନ୍ଧାଣୀଙ୍କ ପୁଅ ହେମନ୍ତ ବିନ୍ଧାଣୀଙ୍କୁ ବୈବାହିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହ ପରେ ରଶ୍ମିତା ଶାଶୁଘରେ ରହୁଥିଲେ। ତେବେ ବିବାହର କିଛି ସମୟ ପରେ ତାଙ୍କୁ ଶାଶୁ ଓ ସ୍ୱାମୀଙ୍କ ପକ୍ଷରୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ରଶ୍ମିତାଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ନେଇ ପୂର୍ବରୁ ଚୁଡ଼ାମଣି ସାମୁଦ୍ରିକ ଥାନାରେ ଅଭିଯୋଗ କରାଯାଇଥିବା ବାପଘର ଲୋକେ କହିଛନ୍ତି। ଅଭିଯୋଗ ଅନୁଯାୟୀ, ଶାଶୁଘରେ ନିର୍ଯାତନା ଭୟରେ ରଶ୍ମିତା ବାରମ୍ବାର ବାପଘରକୁ ଚାଲି ଆସୁଥିଲେ। ପରିସ୍ଥିତିକୁ ଦେଖି ସେ ପ୍ରାୟ ଦୁଇ ମାସ ବାପଘରେ ରହୁଥିବା ବେଳେ ପୁଣି ଦୁଇ ମାସ ଶାଶୁଘରେ ରହୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ଝିଅର ସଂସାର ଠିକ୍ ହୋଇଯିବ ବୋଲି ଆଶା ରଖି ସେମାନେ ପରିସ୍ଥିତିକୁ ସମ୍ଭାଳି ଆସୁଥିଲେ। କିନ୍ତୁ ଆଜି ହଠାତ୍ ରଶ୍ମିତାଙ୍କ ଶାଶୁଘର ପକ୍ଷରୁ ତାଙ୍କ ବାପଘର ଲୋକଙ୍କୁ ଫୋନ୍ ଆସିଥିଲା। ଫୋନରେ ରଶ୍ମିତା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନେଇ ସୂଚନା ଦିଆଯାଇଥିଲା। ଏହି ଖବର ପାଇବା ପରେ ପରିବାର ଲୋକେ ତୁରନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ। ସେଠାରେ ପହଂଚି ରଶ୍ମିତାଙ୍କୁ ମୃତ ଅବସ୍ଥାରେ ଦେଖି ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଅତି ଅଲିଅଳିରେ ବଢ଼ାଇଥିବା ଝିଅର ଏଭଳି ଅଚାନକ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନଥିଲେ। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ ଆଉ ଏକ ଦିଗକୁ ନେଇ ବାପଘର ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ରଶ୍ମିତାଙ୍କ ବାପଘର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିବା ବେଳକୁ ତାଙ୍କ ଶାଶୁଘର ପକ୍ଷର କେହି ସେଠାରେ ଉପସ୍ଥିତ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାଟିକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି ବୋଲି ବାପଘର ଲୋକେ କହିଛନ୍ତି। ଖବର ପାଇ ଚୁଡ଼ାମଣି ସାମୁଦ୍ରିକ ଥାନା ପୁଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଘଟଣା ସମ୍ପର୍କରେ ରଶ୍ମିତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ମୃତ୍ୟୁର ପ୍ରକୃତ କାରଣ କଣ, ରଶ୍ମିତାଙ୍କ ମୃତ୍ୟୁ କିପରି ଘଟିଲା ଏବଂ ବାପଘର ପକ୍ଷରୁ ଆସିଥିବା ଅଭିଯୋଗରେ କେତେ ସତ୍ୟତା ରହିଛି ସେନେଇ ପୁଲିସ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ, ରଶ୍ମିତାଙ୍କ ଶାଶୁଘର ପକ୍ଷର ଲୋକଙ୍କ ସହ ଯୋଗାଯୋଗ କରାଯାଇପାରିନଥିବା ଜଣାପଡ଼ିଛି। ତେଣୁ ଏହି ଘଟଣାରେ ଶାଶୁଘର ପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ। ରଶ୍ମିତାଙ୍କ ମୃତ୍ୟୁକୁ ନେଇ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଆସିଥିବାରୁ ଘଟଣାଟି ଗୁରୁତର ରୂପ ନେଇଛି। ପୁଲିସର ତଦନ୍ତ, ଆବଶ୍ୟକ ଆଇନଗତ ପ୍ରକ୍ରିୟା ଓ ମୃତଦେହର ଡାକ୍ତରୀ ପରୀକ୍ଷା ରିପୋର୍ଟ ପରେ ହିଁ ରଶ୍ମିତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।








