Home ଜିଲ୍ଲା ପରିକ୍ରମା ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କୁ ଏକବର୍ଷ ଜେଲ୍‌ଦଣ୍ଡ ଓ ୩ ହଜାର...

ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କୁ ଏକବର୍ଷ ଜେଲ୍‌ଦଣ୍ଡ ଓ ୩ ହଜାର ଟଙ୍କା ଜରିମାନା

31

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବବଧୂକୁ ଯୌତୁକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଭଦ୍ରକର ଏସ୍‌ଡିଜେଏମ୍ ଚିନ୍ମୟ କୁମାର ପାଢୀ ପୀରହାଟ ଥାନା ନରେନ୍ଦ୍ରପୁର ଗ୍ରାମର ସ୍ୱାମୀ ଆନନ୍ଦ ଓରଫ ଅଭୟ ମଲ୍ଲିକ (୩୭), ଶ୍ୱଶୁର ଉପେନ୍ଦ୍ର ମଲ୍ଲିକ (୭୬), ନଣନ୍ଦ କାଞ୍ଚନ ମଲ୍ଲିକ (୩୮), ଶାଶୁ ଅହଲ୍ୟା ମଲ୍ଲିକ (୬୯) ଙ୍କୁ ୪୯୮ (କ) ଦଫାରେ ଏକବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଅନାଦେୟ ପୁଣି ୨ ମାସ କାରାଦଣ୍ଡ ସହ ୩୨୩ ଦଫାରେ ଏକମାସ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ଅନାଦେୟ ପୁନଶ୍ଚ ୬ ମାସ କାରାଦଣ୍ଡ, ଯୌତୁକ ନିରୋଧ ଆଇନ୍‌ର ଧାରା ୪ ରେ ଏକମାସ କାରାଦଣ୍ଡ ଆଦେଶ ଦେଇଛନ୍ତି। ପ୍ରକାଶଯୋଗ୍ୟ ଚାନ୍ଦବାଲି ଥାନା ଅନ୍ତର୍ଗତ ଦେଉଳି ଗାଁର ପଞ୍ଚାନନ ମହାରଣାଙ୍କ କନ୍ୟା ରୁନୁଲତା ମହାରଣା ୨୦୧୪ ମସିହା ଆଷାଢ ମାସରେ ପୀରହାଟ ଥାନା ନରେନ୍ଦ୍ରପୁର ଗ୍ରାମର ଉପେନ୍ଦ୍ର ମଲ୍ଲିକଙ୍କ ପୁଅ ଆନନ୍ଦ ଓରଫ ଅଭୟକୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ସମସ୍ତ ଦାବି ମୁତାବକ ୨୬ ହଜାର ଟଙ୍କା ସହ ଅଳଙ୍କାର, ବାସନକୁସନ ଯୌତୁକ ଆକାରରେ ଦିଆଯାଇଥିଲା।

ବିବାହ ପରେ ସ୍ୱାମୀ ଆନନ୍ଦ ବାଙ୍ଗାଲୋର ଚାକିରୀ କରିବା ପାଇଁ ଚାଲିଯାଇଥିଲେ। ପରେ ଶାଶୁ, ଶ୍ୱଶୁର, ନଣନ୍ଦ ମିଶି ପୁଣି ୨୫ ହଜାର ଟଙ୍କା ଦାବି କରି ରୁନୁଲତାକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ। ଗତ ୨୦୧୫ ଏପ୍ରିଲ ମାସ ୧୫ ତାରିଖରେ ସ୍ୱାମୀ ବାଙ୍ଗାଲୋରରୁ ଫେରି ଘରେ ପହଞ୍ଚିବା ପରେ ପିତାମାତାଙ୍କ କଥାରେ ପରିଚାଳିତ ହୋଇ ସେ ବି ନିଜ ସ୍ତ୍ରୀକୁ ମାଡ ମାରିବା ସହ ଯୌତୁକ ଦାବି କରିଥିଲେ। ଯୌତୁକ ନଆଣିଲେ ବି ଜୀବନରୁ ମାରିଦେବାକୁ ଧମକ ଦେଇ ରୁନୁଲତାକୁ ସେହିଦିନ ଘରୁ ବାହାର କରିଦେଇଥିଲେ। ରୁନୁଲତାଙ୍କ ପିତା ୨୦୧୫ ମଇ ୬ ତାରିଖରେ ତିହଡି ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦଙ୍କ ବିରୁଦ୍ଧରେ ଥାନାରେ କେଶ୍ ନଂ ୧୭୯/୧୫, ଦଫା ୪୯୮ (କ), ୩୨୩, ୨୯୪, ୪୦୬, ୫୦୬, ୩୪ ଓ ଯୌତୁକ ନିର୍ଯ୍ୟାତନା ନିରୋଧ ଆଇନ୍‌ର ଧାରା ୪ ରେ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ସେମାନେ ଜାମିନ୍‌ରେ ଆସି ମାମଲା ଲଢୁଥିଲେ। ଆଜି ଚୂଡାନ୍ତ ରାୟ ମାନ୍ୟବର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ପ୍ରମାଣ ଅଭାବରୁ ୨୯୪, ୪୦୬, ୫୦୬ ଦଫାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୋଗକାରୀଙ୍କ ତରଫରୁ ସରକାରୀ ଓକିଲ ମାଧବାନନ୍ଦ ଦାସ, ସ୍ମରଜିତ୍ ମହାପାତ୍ର, ଶୁଭଶ୍ରୀ ମାମଲା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.