Home Coronavirus Outbreak ଯୋଡା ପୌରାଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ଅଞ୍ଚଳକୁ କଣ୍ଟେଟମେଣ୍ଟ ଜୋନ୍ ଘୋଷଣା

ଯୋଡା ପୌରାଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ଅଞ୍ଚଳକୁ କଣ୍ଟେଟମେଣ୍ଟ ଜୋନ୍ ଘୋଷଣା

197

ଯୋଡା- ୧୬-୦୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାଞ୍ଚଳରେ ସୋମବାର ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଥିବା ଜଣାପଡିଛି । ଚିହ୍ନଟ ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ତୁରନ୍ତ ମଧ୍ୟରାତ୍ରୀରେ ଭୁବନେଶ୍ୱର କୋଭିଟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବା ବେଳେ ଗତ ୫ ତାରିଖ ଦିନ ସେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଏବଂ ଭୁବନେଶ୍ୱର ଠାରୁ ନିଜ ବୋଲେରୋ ଗାଡିରେ ଯୋଡା ଆସିଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ତାଙ୍କୁ ୬ ତାରିଖ ଦିନ ଯୋଡା ଇଷ୍ଟ ନୋଡାଲ ୟୁପି ସ୍କୁଲରେ ଥିବା ସଂଗରୋଦ୍ଧ କେନ୍ଦ୍ରରେ ରଖିଥିଲେ । ୨ ଦିନ ସଂଗରୋଦ୍ଧ କେନ୍ଦ୍ରରେ ସେ ରହିବା ପରେ ଏହାର ପରିଷ୍କାର ପରିଚ୍ଛନତା ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଶାସନକୁ ଅଭିଯୋଗ କରିବା ପରେ ଓ ଡାକ୍ତର ତାଙ୍କର କରୋନା ରୋଗର କୌଣସି ଲକ୍ଷଣ ଦେଖିନପାଇ ଗୃହ ସଂଗରୋଦ୍ଧ କେନ୍ଦ୍ରରେ ରହିବା ପାଇଁ ତାଙ୍କୁ ଅନୁମତି ଦେଇଥିଲେ । ସମ୍ପୃକ୍ତ ଯୁବକଙ୍କର ବାପା ସ୍ଥାନୀୟ ଟାଟା କମ୍ପାନୀର ଜଣେ ଠିକାଦାରଙ୍କ ଅଧିନରେ ଲିଆସନିଙ୍ଗ ଅଫିସର ଭାବେ କାର୍ଯ୍ୟ କରିଥାନ୍ତି । ସେହି ଦୃଷ୍ଟିରୁ ତାଙ୍କୁ ଟାଟା କମ୍ପାନୀ ତରଫରୁ ଫେରୋ ଆଲଏଜ ପ୍ଲାଣ୍ଟ (ଏଫ୍ ଏ ପି) କଲୋନୀରେ ଏକ କ୍ୱାଟର ପ୍ରଦାନ କରାଯାଇଛି । ସେହି କ୍ୱାଟରରେ ସମ୍ପୃ୍‌କ୍ତ ଯୁବକ ଏବଂ ତାଙ୍କ ବାପା, ମା, ଭାଇ, ଭଉଣୀ ଓ ତାଙ୍କ ପିଲାମାନେ ଏହିପରି ୧୦ଜଣ ପରିବାର ୨ଟି ସୟନ କକ୍ଷରେ ଅବସ୍ଥାନ କରିଥାନ୍ତି । ତେବେ ୧୪ ତାରିଖ ଦିନ ତାଙ୍କ ସ୍ୱାବ ଗ୍ରହଣ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ୧୫ ତାରିଖ ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଥିଲା । ତେବେ ଏହି ଘଟଣାଟି ପରେ ପ୍ରଶାସନ ପକ୍ଷରୁ ଏଫ୍‌ଏପି କଲୋନୀକୁ ସଂକ୍ରମୀତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଏହାର ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଟାଟା କମ୍ପାନୀ ଏବଂ ପୌରପାଳିକା ପକ୍ଷରୁ ସମ୍ପୃକ୍ତ କଲୋନୀକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଯୁବକଙ୍କ ଘରେ କାର୍ଯ୍ୟ କରୁଥିବା ଜଣେ ଯୁବତୀକୁ ବାଚ୍ୟୁ ହାଟିଂରେ ଥିବା ବୃଦ୍ଧାଆଶ୍ରମ ସଂଗରୋଦ୍ଧ କେନ୍ଦ୍ରକୁ ପଠାଇଦିଆଯାଇଛି । ସମ୍ପୃ୍‌କ୍ତ ଯୁବକଙ୍କ ପରିବାର ସଦସ୍ୟଙ୍କୁ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦେବା ସହ ପ୍ରଶାସନ ନଜରରେ ରଖାଯାଇଛି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ସୋମବାର ଦିନ ସମ୍ପୃକ୍ତ ପରିବାରର କାହାରି ଜନ୍ମଦିନ ପାଳନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସମ୍ପର୍କିୟ ମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏହି ପରିବାର ଅନ୍ୟ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ପ୍ରଶାସନ ପକ୍ଷରୁ ଏହାର ଅନୁଧ୍ୟାନ କରାଯାଉଛି ବୋଲି ପୌର ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ଏହି ଘଟଣା ପରଠାରୁ ଅନ୍ୟ ରାଜ୍ୟରୁ ଆସୁଥିବା କୌଣସି ପ୍ରବାସୀଙ୍କୁ ଗୃହ ସଂଗରୋଦ୍ଧରେ ରଖାନଯାଇ ପ୍ରଶାସନ ପକ୍ଷରୁ କରାଯାଇଥିବା ସଂଗରୋଦ୍ଧ କେନ୍ଦ୍ରରେ ରଖାଯିବ ବୋଲି ସେ କହିଛନ୍ତି । ସମଗ୍ର ଜିଲ୍ଲାରେ ୭୫ଜଣ କରୋନା ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଯୋଡା ପୌରାଞ୍ଚଳରେ ଏହା ପ୍ରଥମ ରୋଗୀ ଚିହ୍ନଟ ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.