Home Coronavirus Outbreak ଯୁବତୀଙ୍କ ଦରପୋଡ଼ା ଶବ ଖାଇଗଲେ କୁକୁର; ତେଣେ ମୁଖ୍ୟମନ୍ତ୍ରୀ କରୁଛନ୍ତି ସମୀକ୍ଷା?

ଯୁବତୀଙ୍କ ଦରପୋଡ଼ା ଶବ ଖାଇଗଲେ କୁକୁର; ତେଣେ ମୁଖ୍ୟମନ୍ତ୍ରୀ କରୁଛନ୍ତି ସମୀକ୍ଷା?

1092

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ ଲକ୍ ଡାଉନ୍ ଘୋଷଣା ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ମହିଳା ମାନଙ୍କ ଉପରେ ଘରୋଇ ହିଂସା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲକ୍‌ ଡାଉନ୍‌ ଘୋଷଣା ଭିତରେ ମହିଳାମାନଙ୍କ ଉପରେ ଘରୋଇ ହିଂସା ଦ୍ରୁତ ଗତିରେ ବଢ଼ିଚାଲିଛି। ଏଥିପାଇଁ ମଧ୍ୟ ଚିନ୍ତା ପ୍ରକଟ କରିଛି ଓଡ଼ିଶା ପୋଲିସ। ଏହାକୁ ଦୃଷ୍ଟିରେ ରଖି ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର। ନିର୍ଯାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ୍। ପ୍ରଥମେ କାଉନସେଲିଂ କରାଯିବ। ସମାଧାନ ନ’ହେଲେ ମାମଲା ରୄଜୁ କରିବ ପୋଲିସ୍।

କିନ୍ତୁ, ଏଣେ ରାଜଧାନୀ ଭୁବନେଶ୍ବର ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ଜଣେ ଯୁବତୀଙ୍କୁ ରାତି ଅଧିଆ ପୋଡ଼ି ଦିଆଯାଇଛି। ଯୁବତୀ ଜଣଙ୍କର ପ୍ରେମ ସଂପର୍କକୁ ବିରୋଧ କରି ପରିବାର ଲୋକ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। କିନ୍ତୁ, ଯୁବତୀଙ୍କୁ ସାପ କାମୁଡ଼ି ଦେବା ଯୋଗୁଁ କିମ୍ବା କୌଣସି ରୋଗରେ ମୃତ୍ୟୁ ଘଟିଥିବାର ରୂପ ଦିଆଯାଉଛି। ଗାଁ ଲୋକେ ଏ’ ନେଇ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ କେହି ଶୁଣିଲେ ନାହିଁ। ତରବରିଆ ଭାବରେ ଅଧାପୋଡ଼ି ଛାଡ଼ି ଯାଇଥିବା ମୃତ ଯୁବତୀଙ୍କ ଦରପୋଡ଼ା ମାଉଁସ ବୁଲା କୁକୁର ଖାଇଗଲେ। କୁକୁର ଛାଡ଼ି ଯାଇଥିବା ଖପୁରି, କଙ୍କାଳ, ହାତ, ଗୋଡ଼ ଆଦିର ହାଡ଼ ମଶାଣି ପାଖେ, ଗାଁ’ ମୁଣ୍ଡରେ ଏଣେ ତେଣେ ପଡ଼ିରହିଛି। ଗାଁ’ ଲୋକ ଅଭିଯୋଗ ନେଇ ଥାନା ଦ୍ୱାରକୁ ଯାଇଥିଲେ ମଧ୍ୟ ପୋଲିସ୍ ଶୁଣିଲା ନାହିଁ। ପୋଲିସ୍ ଏ’ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ କି କାହାରିକୁ ଗିରଫ କରିନାହିଁ। ଏଥିରେ ପୋଲିସ୍ ଡିସିପି କହୁଛନ୍ତି ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର। ନିର୍ଯାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ୍? ଆଉ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ନେଇ ମୁଖ୍ୟମନ୍ତ୍ରୀ କରୁଛନ୍ତି ସମୀକ୍ଷା! -ଦେବଦତ୍ତ ରଥ

ଗାଁ ବୁଲା କୁକୁର ଖାଇଗଲେ ଗାଁ ଝିଅର ଦରପୋଡ଼ା ମାଉଁସ: ଲକ୍ ଡାଉନ୍ ଭିତରେ ଜଘନ୍ୟ କାଣ୍ଡ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.