Home ଜିଲ୍ଲା ପରିକ୍ରମା ‘ଯୁଗଶ୍ରୀ ଯୁଗନାରୀ’ର ପୂଜାସଂଖ୍ୟା ଉନ୍ମୋଚିତ

‘ଯୁଗଶ୍ରୀ ଯୁଗନାରୀ’ର ପୂଜାସଂଖ୍ୟା ଉନ୍ମୋଚିତ

70

ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ): ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ପୂଜାସଂଖ୍ୟା ଶାନ୍ତିକାନନଠାରେ ଉନ୍ମୋଚିତ ହୋଇଯାଇଛି। ‘ଫକୀରମୋହନ ସାହତ୍ୟ ପରିଷଦ’ର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ର ସଭାପତତ୍ୱ କରିଥିଲେ। ପୂଜାସଂଖ୍ୟା ପ୍ରକାଶନର ଅନୁଭୂତି ବର୍ଣ୍ଣନା କରି କରୋନା ସମୟରେ ଏହାର ପ୍ରକାଶନରେ ସହାୟତା ପାଇଁ ପତ୍ରିକା ପରିବାରର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ‘ଫକୀରମୋହନ ସାହିତ୍ୟ ପରିଷଦ’ର ସଭାପତି ଡଃ ଶିରୀଶଚନ୍ଦ୍ର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀର୍ଘବର୍ଷ ଧରି ନିୟମିତ ପ୍ରକାଶିତ ହୋଇ ଆସୁଥିବା‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକା ପରିବାରକୁ ସାଧୁବାଦ ଜଣାଇଥିଲେ। ବିଶେଷ କରି ପତ୍ରିକାର ସାକ୍ଷାତ୍‌କାର ବିଭାଗ ଏକ ବୈଶିଷ୍ଟ୍ୟ ବୋଲି ସେ ମତପ୍ରକାଶ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଦସ୍ୟ ଡଃ ହରିଶ୍ଚନ୍ଦ୍ର ବେହେରା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପତ୍ରିକା ପ୍ରକାଶନ ଏକ କଷ୍ଟକର ବ୍ୟାପାର ହୋଇଥିବା ବେଳେ ‘ଯୁଗଶ୍ରୀ ଯୁଗନାରୀ’ ୬୦ବର୍ଷ ଧରି ପ୍ରକାଶିତ ହୋଇ ଆସିଥିବାରୁ ‘ହୀରକ ଜୟନ୍ତୀ’ ପାଳନ କରାଯିବାକୁ ପ୍ରସ୍ତାବ ଦେଇଥିଲେ। ସୁଗାଳ୍ପିକା ପୁଷ୍ପାଞ୍ଜଳି ନାୟକ ‘ଯୁଗଶ୍ରୀ ଯୁଗନାରୀ’ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପତ୍ରିକାର ସ୍ରଷ୍ଟା ଡଃ ଶ୍ୟାମସୁନ୍ଦର ମହାପାତ୍ର ଓ ଡା- ରାଧା ଦେବୀଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ ମାସିକ ମହିଳା ପତ୍ରିକା ପୂଜାସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କବି ବିମଳ ଜେନା, ଗୀତାଞ୍ଜଳି ସିଂହ, ସ୍ମୃତି ଦାସ ଓ ଡା- ବଂଶୀଧର ଚୌଧୁରୀ ଏହି ସଂଖ୍ୟାର କବିତା ପାଠ କରିଥିଲେ। ଡଃ ସାରଙ୍ଗଧର ତ୍ରିପାଠୀଙ୍କ ମଂଚ ଆହ୍ୱାନ ପରେ ଅଧ୍ୟାପକ କମଳାକାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ଫକୀରମୋହନ ସାହିତ୍ୟ ପରିଷଦ’ର ଯୁଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ ମା’ଙ୍କ ଭଜନ ଗାନ କରିଥିଲେ। ଶେଷରେ ଶିଳ୍ପୀ କେଶୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ବହୁ କବି ଓ ସାହିତ୍ୟିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.