Home ଜିଲ୍ଲା ପରିକ୍ରମା ମୋଚିଛକ-ମା’ ଭଦ୍ରକାଳୀ ରାସ୍ତାର ସଂପ୍ରସାରଣ ପ୍ରସଙ୍ଗ, ଆଜିଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ!

ମୋଚିଛକ-ମା’ ଭଦ୍ରକାଳୀ ରାସ୍ତାର ସଂପ୍ରସାରଣ ପ୍ରସଙ୍ଗ, ଆଜିଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ!

17

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୩ ବର୍ଷ ଧରି ବିବାଦ ଘେରରେ ଥିବା ମୋଚିଛକ-ମା’ ଭଦ୍ରକାଳୀ ରାସ୍ତାର ସଂପ୍ରସାରଣ କାର୍ଯ୍ୟ ପାଇଁ ଆସନ୍ତାକାଲି (ରବିବାର) ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ତେବେ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ । ଆଜି କଚେରୀ ବଜାର ମୋଚି ଛକ ଠାରୁ ସନ୍ଥିଆ ପୋଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନ ଘରଗୁଡିକ ସ୍ୱତଃ ପ୍ରବୃତ୍ତ ଭଙ୍ଗାଚାଲିଥିବାର ଦେଖିବାକୁ ମିଳିଛି । ବିଶେଷକରି ରାସ୍ତାର ବାମପାଶ୍ୱର୍ରେ ଥିବା ଦୋକାନ ଘରଗୁଡିକ ସଂପୂର୍ଣ୍ଣ ଶୂନ୍ୟ ହୋଇପଡିଥିବାବେଳେ ଦକ୍ଷିଣ ପାଶ୍ୱର୍ରେ ଦୋକାନ ଘର ଗୁଡିକର ସମ୍ମୁଖ ଭାଗ ଭଙ୍ଗାରୁଜା କାର୍ଯ୍ୟ ମାଲିକମାନଙ୍କ ପକ୍ଷରୁ ଜାରି ରହିଛି । ଅପରପକ୍ଷରେ ଆସନ୍ତାକାଲିର ଉଚ୍ଛେଦ ଅଭିଯାନକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାର ଜଣାଯାଇଛି ।

ଉପଜିଲାପାଳ ମନୋଜ ପାତ୍ର, ସିଟିଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶିୀ ଖୁଣ୍ଟିଆ, ପୌରନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ପ୍ରମୁଖ ଓ ଅନ୍ୟ ବିଭାଗୀୟ କର୍ମଚାରୀମାନେ ମୋଚିଛକ ଠାରୁ ପୁରୁଣାବଜାର ଓ ମା’ ଭଦ୍ରକାଳୀ ଅଂଚଳଗୁଡିକରେ ଥିବା ରାସ୍ତା ପାଶ୍ୱର୍ର ଦୋକାନ ଗୃହଗୁଡିକର ସ୍ଥିତାବସ୍ଥା ସଂପର୍କରେ ବୁଲି ଦେଖୁଛନ୍ତି । ଉଚ୍ଛେଦ ଅଭିଯାନ ପାଇଁ ୪ ପ୍ଲାଟୁନ ଫୋର୍ସ ନିୟୋଜିତ ହେବାର ବେସରକାରୀ ଭାବେ ଜଣାପଡିଛି । ପ୍ରଶାସନ ପକ୍ଷରୁ ଏଭଳି ଏକ ବଡ ଧରଣର ଜବରଦଖଲ ଉଚ୍ଛେଦ ପଦକ୍ଷେପ ପ୍ରଥମଥର ପାଇଁ ନିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋଚିଛକ ଠାରୁ ସନ୍ଥିଆ ପୋଲ ପର୍ଯ୍ୟନ୍ତ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମୋଚିଛକ ଠାରୁ ପୁରୁଣାବଜାର ପର୍ଯ୍ୟନ୍ତ ଥିବା ସଂକୀର୍ଣ୍ଣ ରାସ୍ତାକୁ ନେଇ ବହୁବର୍ଷ ଧରି ଯାତାୟତରେ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଛୋଟବଡ ଦୁର୍ଘଟଣା ଘଟୁଥିଲା । ସଂକୁଚିତ ରାସ୍ତା ଯୋଗୁଁ ସଂପୃକ୍ତ ଅଂଚଳରେ ଜରୁରୀକାଳୀନ ସେବା ଯୋଗାଇଦେବାରେ ଅଗ୍ନିଶମ ଓ ଆମ୍ବୁଲାନ୍ସ ଗାଡି ଅସକ୍ଷମ ହୋଇପଡିଥାଏ । ପ୍ରଶାସନର ଏଭଳି ଐତିହାସିକ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି । ଅପରପକ୍ଷରେ ଥଇଥାନର ବ୍ୟବସ୍ଥା ନକରି ଦୀର୍ଘ ୩୦/୪୦ ବର୍ଷରୁ ଉର୍ଦ୍ଧ୍ୱ ଧରି ଦୋକାନ କରି ଜୀବିକା ନିର୍ବାହ କରୁଥିବା ପରିବାର ମୁଖ୍ୟ ଏବେ ତେଲଲୁଣ ସଂସାରକୁ କିଭଳି ଚଳାଇବେ, ଚିନ୍ତାରେ ପଡିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶାସନର ଏହି ଜବରଦଖଲ ଉଚ୍ଛେଦ ଅଭିଯାନର ବାସ୍ତବ ଚିତ୍ର ଆସନ୍ତା ଦିନରେ କଣ ହେବ ଏ ନେଇ ସହରବାସୀ ସନ୍ଦେହ ଘେରରେ ଅଛନ୍ତି ।

ପ୍ରକାଶଯୋଗ୍ୟ ଦୁଇବର୍ଷ ପୂର୍ବରୁ ପ୍ରଶାସନ ପକ୍ଷରୁ ସହରର ମୁଖ୍ୟ ରାସ୍ତାର ସଂପ୍ରସାରଣ ପାଇଁ ମହତାବ ଛକ ଠାରୁ ବାଇପାସ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମହତାବ ଛକ ଠାରୁ ଅପର୍ତ୍ତିବିନ୍ଧା ଷ୍ଟେଟ୍ ବ୍ୟାଙ୍କ ଛକ ରାସ୍ତାକୁ ମାଡିବସିଥିବା ଉଠା ଦୋକାନୀ, ପରିବା ଦୋକାନୀ ଓ ଦୋକାନ ଗୃହ ଗୁଡିକୁ ଭାଙ୍ଗିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସଂପ୍ରସାରଣ କାର୍ଯ୍ୟ ଅଟକି ଯାଇଥିଲା । ଏ ନେଇ ପ୍ରଶାସନ ଜନସାଧାରଣଙ୍କ ସମାଲୋଚନାର ଶୀକାର ହୋଇଥିଲା । ଏହି ପରିପ୍ରେକ୍ଷୀରେ ମୋଚିଛକରୁ ମା’ ଭଦ୍ରକାଳୀ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟରେ ପ୍ରଶାସନ କେତେଦୂର ସଫଳ ହେବ, ଏ ନେଇ ଚର୍ଚ୍ଚା ଚାଲିଛି । ସୂଚନାଯୋଗ୍ୟ ୨୦୧୭ ମସିହାରୁ ୮ କିମିରୁ ଉର୍ଦ୍ଧ୍ୱ ଏହି ସଡକପଥର ସଂପ୍ରସାରଣ କାର୍ଯ୍ୟ ପାଇଁ ବିଭିନ୍ନ ରାଜନୈତିକ ଦଳ, ସଂଗଠନ ପକ୍ଷରୁ ଦାବି ହୋଇଆସିଛି । ବିଶେଷକରି ଅଗ୍ନିଶମ ସେବା ଗାଡି ଓ ଆମ୍ବୁଲାନ୍ସ ଯାତାୟତ କ୍ଷେତ୍ରରେ ସୁଗମ ହେବାଭଳି ରାସ୍ତାର ସଂପ୍ରସାରଣ ପାଇଁ ଦାବି କରାଯାଇଥିଲା । ସଂପ୍ରସାରଣ କ୍ଷେତ୍ରରେ କେତେକ ସ୍ଥାନରେ ଜବରଦଖଲ ଥିବାବେଳେ ଆଉ କେତେକ ସ୍ଥାନରେ ବ୍ୟକ୍ତିଗତ ଜମି ଥିବାର ପ୍ରଶାସନର ସର୍ଭେ ରିପୋର୍ଟରୁ ଜଣାଯାଇଛି । ଏହି ରାସ୍ତା ସଂପ୍ରସାରଣ ପାଇଁ ୬ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଂଜୁର ହୋଇଛି । ଗତ ତା ୦୩.୦୫.୨୩ ରିଖରେ ଏହି ରାସ୍ତାର ସଂପ୍ରସାରଣ କାର୍ଯ୍ୟକୁ ନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ କାଉନସିଲର, ପୁରୁଣାବଜାର ଅଂଚଳର ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସଂପୃକ୍ତ ଅଧିକାରୀମାନଙ୍କର ଏକ ଜରୁରୀ ବୈଠକ ବସିଥିଲା । ଏବଂ ବୈଠକରେ ଜିଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନର ବାଟ ବାହାରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.