Home ଓଡ଼ିଶା ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରୟାସ ଅନୁଷ୍ଠାନକୁ ମୁଖ୍ୟ ଶାସନ ସଚିବଙ୍କ ଅଚାନକ ପରିଦର୍ଶନ:ପିଲାଙ୍କ ସହ ସମୟ...

ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରୟାସ ଅନୁଷ୍ଠାନକୁ ମୁଖ୍ୟ ଶାସନ ସଚିବଙ୍କ ଅଚାନକ ପରିଦର୍ଶନ:ପିଲାଙ୍କ ସହ ସମୟ କାଟିଲେ ଓ ଖାଦ୍ୟର ମାନ ପରୀକ୍ଷା କରି ପ୍ରଶଂସା କଲେ

138

କେନ୍ଦୁଝର, ୧୯ ଡିସେମ୍ବର ୧୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ଅବସରରେ ଚଳିତ ଡିସେମ୍ବର ୧୯ ତାରିଖ ଦିନ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ବ୍ଲକର ଅଂଚଳରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ପରେ ଅପରାହ୍ନ ପ୍ରାୟ ୨ଟା ୨୫ମି. ସମୟରେ ନରଣପୁରସ୍ଥିତ ସଦ୍ଭାବନା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମାନସିକ ଅନଗ୍ରସର ଭିନ୍ନକ୍ଷମ ବିଦ୍ୟାଳୟ ‘ପ୍ରୟାସ’କୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳ ଆଶିଷ ଠାକରେଙ୍କ ସହିତ ସେଠାରେ ପହଁଚିବା ବେଳେ ପିଲାମାନେ ମଧ୍ୟାହ୍ନ ଭୋଜନ ସାରି ହାତ ଧୋଉଥିଲେ। ମାନସିକ ଅନଗ୍ରସର ପିଲାମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ମିଶିବା ପରେ ଅନୁଷ୍ଠାନର ଶିକ୍ଷକ/ ଶିକ୍ଷୟିତ୍ରୀ ଓ ତତ୍ୱାବଧାରକମାନଙ୍କୁ ପିଲାମାନେ କିପରି ରହୁଛନ୍ତି, କଣ ଖାଉଛନ୍ତି, କିପରି ଯତ୍ନ ନିଆଯାଉଛି ତାହା ପଚାରି ବୁଝିଥିଲେ। ଏତଦ୍ବ୍ୟତୀତ ଅନୁଷ୍ଠାନର ଆନୁସଙ୍ଗିକ ଭିତିଭୂମି, କିପରି ପରିଚାଳନା କରାଯାଉଛି, ସେ ସମ୍ପର୍କରେ ପଚାରି ବୁଝିଥିଲେ। ଅନୁଷ୍ଠାନର କର୍ମକର୍ତା ସେମାନଙ୍କର ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରୁଥିବା ଧୂପକାଠିକୁ ମୁଖ୍ୟ ଶାସନ ସଚିବ ଦେଖିବା ସହ ପ୍ରଶଂସା କରିଥିଲେ। ମାନସିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଗହଣରେ କିଛି ସମୟ କାଟିବା ପରେ ସେଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇ ଖାଦ୍ୟର ସ୍ୱାଦ ଅତି ଉତମ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଏତଦ୍ବ୍ୟତୀତ ଅଚାନକ ପରିଦର୍ଶନ ସତ୍ୱେ ଅନୁଷ୍ଠାନର ବାତାବରଣ ଓ ପରିବେଶ ଅତି ଉତମ ହୋଇଛି ବୋଲି କହିବା ସହିତ ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନିକଟରେ ପାଇ ପିଲାମାନଙ୍କ ସହିତ ଅନୁଷ୍ଠାନର କର୍ମକର୍ତାମାନେ ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.