Home ଜିଲ୍ଲା ପରିକ୍ରମା ମାନବ ସେବାରେ ରେଡକ୍ରସ୍ ଜୟଯାତ୍ରା ଅବ୍ୟାହତ, ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

ମାନବ ସେବାରେ ରେଡକ୍ରସ୍ ଜୟଯାତ୍ରା ଅବ୍ୟାହତ, ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

17

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ମଇ ୮ ତାରିଖରେ ପାଳନ କରାଯାଇ ଆସୁଥିବା ବିଶ୍ୱ ରେଡ଼କ୍ରସ ଦିବସ ଭଦ୍ରକ ଜିଲ୍ଲାସ୍ତରରେ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ପାଳନ କରାଯାଇଛି। ଏଥି ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ତଥା ଏ.ପି.ଡ଼ି. ଏବଂ ଜିଲ୍ଲା ରେଡ଼୍‌କ୍ରସର ଉପସଭାପତି କୁଶଳ ଚନ୍ଦ୍ର ନାଏକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରେଡ଼କ୍ରସ ପତାକା ଉତ୍ତୋଳନ କରିବା ସହିତ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଦିବସ ପାଳନ ଉପଲକ୍ଷେ ସ୍ୱତନ୍ତ୍ର ଭ୍ରୂର୍ଜନ ଅଧିକାରୀ ଏବଂ ଜିଲ୍ଲା ରେଡ଼କ୍ରସ୍‌ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମଣ୍ଡଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥିଙ୍କ ସହ ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ମନୋଜ ପାତ୍ର, ଅନ୍ୟତମ ସମ୍ମାନିତ ଅତିଥିଭାବେ ଡ଼େପୁଟୀ କଲେକ୍ଟର କସ୍ତୁରୀବାଳା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ କରି ରେଡ଼କ୍ରସର ପ୍ରତିଷ୍ଠାତା ହେନେରୀ ଡ଼ୁନାଣ୍ଟଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ପରେ ତାଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଯୁଦ୍ଧ ପ୍ରପିଡ଼ିତ ଆହତ ସୈନ୍ୟଙ୍କୁ ଚିକିତ୍ସା, ସାହାଯ୍ୟ ଘଟଣାରୁ ରେଡ଼କ୍ରସ୍ ସଂଗଠନ ଜନ୍ମ ନେଇଥିଲେ ବି ଆଜି ତାର କାର୍ଯ୍ୟ ପରିସର କେତେ ବ୍ୟାପକ ହୋଇଛି, ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା, ଭୂମିକମ୍ପ, ଦୁର୍ଘଟଣା ଆଦି ବିଭିନ୍ନ କ୍ଷେତ୍ରରେ ଦୁର୍ଗତ ମାନଙ୍କ ସେବାରେ ରେଡ଼କ୍ରସର ଜୟଯାତ୍ରା କିପରି ଅବ୍ୟାହତ ରହିଛି ଅତିଥି ଓ ଉପସ୍ଥିତ ସଦସ୍ୟମାନେ ବକ୍ତବ୍ୟ ପ୍ରସଙ୍ଗରେ ବର୍ଣ୍ଣନା କରିବା ସହିତ ହେନେରୀ ଡ଼ୁନାଣ୍ଟଙ୍କ ଜୀବନୀ, ରେଡ଼କ୍ରସ ସୋସାଇଟି ଗଠନର ଇତିହାସ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଭଦ୍ରକ ଜିଲ୍ଲା ରେଡ଼କ୍ରସ୍‌ର ଆୟ ବ୍ୟୟ ସମ୍ବନ୍ଧରେ ସୂଚନା ଦେବା ସହ ଭଦ୍ରକ ଜିଲ୍ଲା ଡ଼ାକ୍ତରଖାନାକୁ ଆମ୍ବୁଲାନସ୍ ଯୋଗାଣ ଏବଂ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଦୁର୍ଗତ ଲୋକଙ୍କୁ ସାହାଯ୍ୟ ପ୍ରଦାନ ସମ୍ବନ୍ଧରେ ସଭାପତି ଶ୍ରୀଯୁକ୍ତ ମଣ୍ଡଳ ପ୍ରକାଶ କରିଥିଲେ। ସୂଚନା ଯୋଗ୍ୟକି ୨୦୨୧-୨୨ ବର୍ଷରେ ରେଡ଼କ୍ରସର ସମୁଦାୟ ଆୟ ୪୯, ୨୨.୫୩୭ ଟଙ୍କା ଥିବା ବେଳେ ବ୍ୟୟ କରାଯାଇଛି ୨୪, ୧୩, ୦୨୪ ଟଙ୍କା। ଆଗରପଡ଼ାର ଗୋପିନାଥ ଦାସ, ଧାମନଗର ମଞ୍ଜୁଲତା ସ୍ୱାଇଁ ନୂତନ ଆଜୀବନ ସଦସ୍ୟ ଭାବେ ଆଜି ରେଡ଼କ୍ରସ୍‌ରେ ଯୋଗଦାନ କରିଥିଲେ। ରୋଟାରିଆନ୍ ଅତିସ୍ କୁମାର ବେହେରା, ଶିକ୍ଷକ ଚାରୁଲତା ମହାପାତ୍ର, ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀ, ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁ, ଅବସରପ୍ରାପ୍ତ ଅଧ୍ୟାପିକା ଭାନୁମତୀ ମାଟିଆ, ଆଇନ୍‌ଜୀବୀ ପବନ ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ରେଡ଼କ୍ରସର ଆୟବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ପାଇଁ ଜୁଡ଼ିସିଆଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରଥମ, ଜିଲ୍ଲା ନିବନ୍ଧକ ୨ୟ, ସି.ଏସ୍‌.ଓ. କୁ ତୃତୀୟ ପୁରସ୍କାରରେ ମାନପତ୍ର, ଟ୍ରଫି ସହ ଉପଜିଲ୍ଲାପାଳ, ଭଦ୍ରକ, ତହସିଲଦାର ବନ୍ତଙ୍କୁ କେବଳ ମାନପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ରେଡ଼କ୍ରସ୍‌ର ଯୁଗ୍ମ ସମ୍ପାଦିକା ବିଶ୍ୱଜିତା ବିଶ୍ୱାଳ ଓ ରେଡ଼୍‌କ୍ରସର ଆଜୀବନ ସଦସ୍ୟ ରାଜକିଶୋର ଶତପଥୀ ଏ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଦାୟିତ୍ୱ ନିଭାଇଥିଲେ। ରକ୍ତଦାନ ଶିବିର ରେ ୧୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଶ୍ରୀନିବାସ ପତି, ବବିତା ବେହେରା, ପୁଷ୍ପିତା ଜେନା, ଅଭିଜିତ୍ ଦାସ, ନିତିସ୍ ବିଶ୍ୱାଳ, ଶିବାଶିଶ୍ ଜେନା, ଦେବାଶିଷ ମହାପାତ୍ର, ପ୍ରୀତିରଞ୍ଜନ ଜେନା, ଅତିସ୍ ବେହେରା ଏବଂ ରାଜକିଶୋର ଶତପଥୀ, ଡ଼ା. ବିମଳା ମିଶ୍ର ଏବଂ ଏଲ୍‌.ଟି ସାଧୁ ସୂଦନ ବେହେରାଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ପରିଚାଳିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.