Home ଜିଲ୍ଲା ପରିକ୍ରମା ମହିଳାଙ୍କୁ ହତ୍ୟା ଅଭିଯୋଗ : ସ୍ୱାମୀ ଅଟକ

ମହିଳାଙ୍କୁ ହତ୍ୟା ଅଭିଯୋଗ : ସ୍ୱାମୀ ଅଟକ

4

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଭାଟପଡ଼ା ପଂଚାୟତ ଅଧୀନ ମଙ୍ଗରାଜପୁର ଗ୍ରାମର ସୁପର୍ଣ୍ଣା ପୁହାଣ (୨୯) ନାମ୍ନୀ ଜଣେ ମହିଳାଙ୍କୁ ଗୁରୁବାର ତାଙ୍କ ଶାଶୁଘର ଲୋକେ ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମୃତା ସୁପର୍ଣ୍ଣାଙ୍କ ମା ମଞ୍ଜୁଲତା ପୁହାଣ ଗୁରୁବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୪୧/୨୬ ରେ ଏକ ମକଦ୍ଦମା ରୁଜୁ କରିଛି । ଏଥିସହ ପୋଲିସ ମୃତା ମହିଳାଙ୍କ ସ୍ୱାମୀ କକେଇ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ମଙ୍ଗରାଜପୁର ଗ୍ରାମର ରାମଚନ୍ଦ୍ର ପଣ୍ଡାଙ୍କ ପୁଅ କକେଇ ୬ମାସ ପୂର୍ବେ ତିହିଡି଼ ଥାନା ଗୁଆମାଳ ପଂଚାୟତ ଅଧୀନ ଈଶାଣପୁର ଗ୍ରାମର ଶରତ ପୁହାଣଙ୍କ ଝିଅ ସୁପର୍ଣ୍ଣାଙ୍କୁ ୨ୟ ବିବାହ କରିଥିଲେ । ବିବାହର କିଛିଦିନ ପରେ ସୁପର୍ଣ୍ଣାଙ୍କୁ ତାଙ୍କ ଶାଶୁଘର ଲୋକମାନେ ନିର୍ଯାତନା ଦେଇଥିଲେ । ନିର୍ଯ୍ୟାତନା ସମ୍ପର୍କରେ ସୁପର୍ଣ୍ଣା ଟେଲିଫୋନ ଯୋଗେ ତାଙ୍କ ମାଙ୍କୁ ଜଣାଇଥିଲେ । ମାତ୍ର ଗୁରୁବାର ସନ୍ଧ୍ୟାରେ ସୁପର୍ଣ୍ଣାଙ୍କୁ ତାଙ୍କ ଶାଶୁଘର ଲୋକେ ହତ୍ୟା କରି ଏକ ଶାଢ଼ି ସହାୟତାରେ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅପରପକ୍ଷେ ସୁପର୍ଣ୍ଣା ଆତ୍ମହତ୍ୟା କରିଥିବା ସମ୍ପର୍କରେ ତାଙ୍କ ପରିବାର ଲୋକେ ପୋଲିସକୁ ଜଣାଇଥିଲେ । ଖବର ପାଇ ଆଇଆଇସି ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଂଚିଥିଲେ । ସୁପର୍ଣ୍ଣାଙ୍କ ମୃତଦେହ ଝୁଲୁଥିବା ଘର ଭିତର ପଟୁ ବନ୍ଦ ଥିବାରୁ ପୋଲିସ ଘର କବାଟ ଭାଙ୍ଗି ମୃତଦେହକୁ ଜବତ କରିଥିଲା । ପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ସୁପର୍ଣ୍ଣାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.