Home ଜିଲ୍ଲା ପରିକ୍ରମା ମହାପୁରୁଷ ମହମ୍ମଦଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ମହାପୁରୁଷ ମହମ୍ମଦଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

5

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମ ବାର୍ଷିକ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉତ୍ସବର ସଫଳ ଆୟୋଜନ ସମ୍ପର୍କରେ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅଗଷ୍ଟ ୧୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଆସନ୍ତା ୨୬ ଅଗଷ୍ଟ ରେ ଶୋଭାଯାତ୍ରା ର ଆୟୋଜନ କରାଯିବ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଡି ଆଇ ବି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ ଉପସ୍ଥିତ ରହିଥିଲେ । ମୁସଲିମ ଜମତ୍ ଓ ହିନ୍ଦୁ ସୁରକ୍ଷା ସମିତି ର ସଭାପତି ଉତ୍ସବ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ ସହ ପ୍ରଶାସନର ସହଯୋଗ କାମନା କରିଥିଲେ। ମହମ୍ମଦଙ୍କ ଜନ୍ମଜୟନ୍ତୀ ଅବସରରେ ସହରର ସଫେଇ ବ୍ୟବସ୍ଥା, ଆଲୋକୀକରଣ, ଟ୍ରାଫିକ୍ ଓ ଯାତାୟାତ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଆଇନଶୃଙ୍ଖଳା ଏବଂ ଅଗ୍ନିଶମ ସୁରକ୍ଷା ,ମାଦକ ଦ୍ରବ୍ୟ ବିକ୍ରୟ ଉପରେ ନିୟମିତ ଯାଂଚ ଓ ଗୋଟିଏ ଦିନ ମାଦକ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ବନ୍ଦ ରଖିବା ,ଡି ଜେ ର ବ୍ୟବହାର କୁ ରୋକିବା ,ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାରର ନିଷେଧ ଭଳି ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଏଥିସହ ଉତ୍ସବ ସମୟରେ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା, ଜନସାଧାରଣଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପ୍ରସ୍ତୁତି ନେବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ ସମ୍ପାଦନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଆୟୋଜକ ଏବଂ ବିଭିନ୍ନ ସଂପୃକ୍ତ ପକ୍ଷଙ୍କୁ ନିଜ ନିଜ ଦାୟିତ୍ୱ ସମୟୋପଯୋଗୀ ଭାବେ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଥିଲା। ଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟର ସହିତ ସଫଳତାର ସହ ଆୟୋଜନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.