Home ଜିଲ୍ଲା ପରିକ୍ରମା ଭୋଟର ତାଲିକାରେ ନାମଥାଇ ଭୋଟର ପରିଚୟ ପତ୍ର ନଥିଲେ ବି ଦେଇହେବ ଭୋଟ, ଭୋଟର ପରିଚୟ...

ଭୋଟର ତାଲିକାରେ ନାମଥାଇ ଭୋଟର ପରିଚୟ ପତ୍ର ନଥିଲେ ବି ଦେଇହେବ ଭୋଟ, ଭୋଟର ପରିଚୟ ପତ୍ରର ୧୨ଟି ବିକଳ୍ପ ରୁ ଗୋଟିଏ ଆବଶ୍ୟକ

26

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ ୨୦୨୪ ଅବସରରେ ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ଓ ୧ଟି ଲୋକସଭା ଆସନ ପାଇଁ ଆସନ୍ତା ଜୁନ୍ ୧ ତାରିଖରେ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସଶକ୍ତ ଗଣତନ୍ତ୍ର ପାଇଁ ମତଦାନ ଗୁରୁତ୍ୱପୂର୍ଣ୍ଣ ଅଟେ । କେହି ବି ଜଣେ ଭୋଟର ନିଜର ରାଜନୈତିକ ଅଧିକାର ମତଦାନ ସାବ୍ୟସ୍ତ କରିବାରୁ ବିରତ ହେବା ଉଚିତ୍ ନୁହେଁ । ସୂଚନା ଯୋଗ୍ୟକି ଜିଲ୍ଲା ପ୍ରଶାସନ ତରଫରୁ ପ୍ରକାଶିତ ଭୋଟର ତାଲିକାରେ ନାମ ଥିବା ସମସ୍ତ ଭୋଟର ମତଦାନ ପାଇଁ ମତଦାନ କେନ୍ଦ୍ରକୁ ଯିବା ସମୟରେ ନିଜ ନିଜର ଭୋଟର ପରିଚୟ ପତ୍ର ସାଙ୍ଗରେ ନେବେ । ଯେକୌଣସି କାରଣରୁ ନିଜର ଭୋଟର ପରିଚୟ ପତ୍ର ନଥିଲେ ନିର୍ବାଚନ ଆୟୋଗ ଦ୍ୱାରା ସୂଚିତ ଅନ୍ୟ ୧୨ଟି ବିକଳ୍ପ ମଧ୍ୟରୁ ଯେକୌଣସି ଗୋଟିଏ ଫଟୋ ପରିଚୟ ପତ୍ରକୁ ଚିହ୍ନଟ ଭାବେ ବ୍ୟବହାର କରାଯାଇ ପାରିବ । ସେଥି ମଧ୍ୟରେ ଅଛି ଆଧାର କାର୍ଡ଼, ଏମ୍‌.ଏନ୍‌.ଇ.ଆର.ଇ.ଜି.ଏ ଜବ୍ କାର୍ଡ଼, ବ୍ୟାଙ୍କ ଓ ଡାକଘର ଦ୍ୱାରା ପ୍ରଦତ୍ତ ଫଟୋ ଥାଇ ପାସବୁକ୍‌, ଶ୍ରମ ମନ୍ତ୍ରାଳୟର ଯୋଜନାରେ ପ୍ରଦତ୍ତ ସ୍ୱାସ୍ଥ୍ୟବୀମା ସ୍ମାର୍ଟକାର୍ଡ଼, ଡ଼୍ରାଇଭିଂ ଲାଇସେନ୍‌ସ, ପ୍ୟାନ୍‌କାର୍ଡ଼, ଏନ.ପି.ଆର. ଅଧୀନ ଆର.ଜି.ଆଇ. ଦ୍ୱାରା ପ୍ରଦତ୍ତ ସ୍ମାର୍ଟ କାର୍ଡ଼, ଭାରତୀୟ ପାସପୋର୍ଟ, ଫଟୋଗ୍ରାଫ୍ ଥାଇ ପେନ୍‌ସନ୍ କାଗଜାଦି, କେନ୍ଦ୍ର ସରକାର / ରାଜ୍ୟସରକାର / ପି.ଏସ୍‌.ୟୁ / ପବ୍ଲିକ୍ ଲିମିଟେଡ଼୍ କମ୍ପାନୀ ର କର୍ମଚାରୀଙ୍କୁ ପ୍ରଦତ୍ତ ଫଟୋଥିବା ପରିଚୟ ପତ୍ର, ଏମ୍‌.ପି./ ଏମ୍‌.ଏଲ୍‌.ଏ. / ଏମ୍‌.ଏଲ୍‌.ସି. ମାନଙ୍କୁ ପ୍ରଦତ୍ତ କାର୍ଯ୍ୟାଳୟ ପରିଚୟ ପତ୍ର ଏବଂ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତକରଣ ଦ୍ୱାରା ପ୍ରଦତ୍ତ ୟୁନିକ୍ ଭିନ୍ନକ୍ଷମ ପରିଚୟ ପତ୍ର । ପ୍ରକାଶ ଥାଉକି ଗତ ଜାନୁୟାରୀ ୫ ତାରିଖରେ ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ଭଦ୍ରକ ଜିଲ୍ଲାର ୬,୫୨,୭୨୧ ପୁରୁଷ ଭୋଟର, ୬,୧୧,୩୪୮ ମହିଳା ଭୋଟର ଓ ୧୫୧ ଜଣ ତୃତୀୟ ଲିଙ୍ଗୀ ଭୋଟରଙ୍କୁ ନେଇ ସମୁଦାୟ ୧୨,୬୪,୨୨୦ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ରୁ ୧୯ ବର୍ଷ ବୟସ ବର୍ଗରେ ୧୪,୨୩୯ ପୁରୁଷ, ୧୧,୬୭୨ ମହିଳା ଓ ୪ ଜଣ ତୃତୀୟ ଲିଙ୍ଗିଙ୍କୁ ନେଇ ସମୁଦାୟ ୨୫,୯୧୫ ଭୋଟର ଅଛନ୍ତି । ସେହିପରି ବରିଷ୍ଠ ନାଗରିକ ୮୦ ବର୍ଷ ଓ ତହିଁରୁ ଉର୍ଦ୍ଧ୍ୱ ବୟସ ବର୍ଗରେ ୧୫,୩୫୩ ପୁରୁଷ, ୧୬,୦୦୫ ମହିଳା ଓ ୨ ଜଣ ତୃତୀୟ ଲିଙ୍ଗୀଙ୍କୁ ନେଇ ସମୁଦାୟ ୩୧,୩୬୦ ଜଣ ଭୋଟର ଅଛନ୍ତି । ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରେ ୧୪,୬୨୨ ପୁରୁଷ, ୧୩,୫୭୧ ମହିଳା ଏବଂ ଜଣେ ତୃତୀୟ ଲିଙ୍ଗିଙ୍କୁ ନେଇ ସମୁଦାୟ ୨୮,୧୯୪ ଜଣ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.