Home ଜିଲ୍ଲା ପରିକ୍ରମା ଭୂତକୋଠି ପାଲଟିଛି ତିହିଡ଼ି ଡାକବଙ୍ଗଳା, ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ମରାମତି ପାଇଁ ମିଳିପାରୁନି ଅନୁଦାନ

ଭୂତକୋଠି ପାଲଟିଛି ତିହିଡ଼ି ଡାକବଙ୍ଗଳା, ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ମରାମତି ପାଇଁ ମିଳିପାରୁନି ଅନୁଦାନ

21

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳା ଏବେ ଭୂତକୋଠିରେ ପରିଣତ ହୋଇଛି । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ମରାମତି ପାଇଁ ଅନୁଦାନ ମିଳିପାରି ନାହିଁ । ତିହିଡ଼ି ଡାକବଙ୍ଗଳା ବହୁ ପୁରାତନ ଡାକବଙ୍ଗଳା ଭାବେ ପରିଗଣିତ ହୋଇଥିଲେ ମଧ୍ୟ ଆଜି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ତିହିଡ଼ି ଗସ୍ତରେ ସରକାରୀ ଅଧିକାରୀମାନେ ଆସି ଡାକବଙ୍ଗଳାରେ କୌଣସି ବିଭାଗର ସମୀକ୍ଷା ଓ ଆଲୋଚନା କରୁଥିଲେ । ମାତ୍ର ଏବେ ଡାକବଙ୍ଗଳାଟି ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇପଡ଼ିଥିବାରୁ ସେଠାକୁ କେହି ଅଧିକାରୀ ଯାଇ ପାରୁନାହାନ୍ତି । ସେହିପରି ବାହାରୁ କୌଣସି ଭିଆଇପି ଆସିଲେ ସରକାରୀ ଡାକବଙ୍ଗଳାରେ ରହି ରାତ୍ରି ଯାପନ କରୁଥିଲେ । ଡାକବଙ୍ଗଳା କାର୍ଯ୍ୟକ୍ଷମ ନଥିବାରୁ ସେମାନେ ରହିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏକଦା ଚଳଚଞ୍ଚଳ ଥିବା ଡାକବଙ୍ଗଳାର ଏବେ ସବୁ କୋଠରୀରେ ତାଲା ଝୁଲୁଛି । ଉପର ଆଜବେଷ୍ଟସ ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ପାଣି ଗଳି କୋଠରୀ ଭିତର ଅବସ୍ଥାକୁ ଶୋଚନୀୟ କରିଛି । ଡାକବଙ୍ଗଳା ସାମ୍ନା ଅନାବନା ଘାସ ଓ ଗୁଳ୍ମରେ ପରିପୂର୍ଣ୍ଣ ହୋଇଛି ।

ଡାବଙ୍ଗଳାର ଏହି ପରିସ୍ଥିତି ପାଇଁ ବଙ୍ଗଳାକୁ ଲାଗି ଆଖପାଖରେ ଥିବା ଦୋକାନୀମାନେ ଅଳିଆ ଆବର୍ଜନାକୁ ନେଇ ସେଠାରେ ଫିଙ୍ଗି ପରିବେଶକୁ ଦୂଷିତ କରୁଛନ୍ତି । ତିହିଡ଼ି ପୂର୍ତ୍ତ ବିଭାଗର ଏକ ଡିଭିଜନ ହୋଇଥିଲେ ମଧ୍ୟ କନିଷ୍ଟ ଯନ୍ତ୍ରୀ ଆଦୌ ଆସୁନାହାନ୍ତି । ଯାହାଦ୍ୱାରା ତାଙ୍କ କାର୍ଯ୍ୟାଳୟ ଅବସ୍ଥା କହିଲା ନସରେ । ନାମକୁ ମାତ୍ର ଜଣେ ଚୌକିଦାର ଡାକବଙ୍ଗଳା ଜଗୁଥିବା ପରିଲକ୍ଷିତ ହେଉଛି । ଡାକବଙ୍ଗଳାରେ ପୂର୍ବରୁ ୨ଟି କୋଠରୀ ଥିଲା । ମାତ୍ର ଅଧିକ କୋଠରୀର ଆବଶ୍ୟକତା ପଡିବାରୁ ନୂତନ ଗୃହ ନିର୍ମାଣ କରାଯାଇ ୨୦୦୪ ଫେବୃଆରୀରେ ଏହାର ଉଦ୍‌ଘାଟନ କରାଯାଇଥିଲା । ଭିଆପି କୋଠରୀ ଭାବେ ପରିଗଣିତ ଏହି କୋଠରୀର ଅବସ୍ଥା ମଧ୍ୟ ଶୋଚନୀୟ ହେବାରୁ ୪ବର୍ଷ ପୂର୍ବେ ତତକାଳୀନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ସିଂଙ୍କ ଉଦ୍ୟମ କ୍ରମେ କିଛି ଟଙ୍କା ବ୍ୟୟ ଅଟକଳରେ ଏହି କୋଠରୀର ମରାମତି ହୋଇଥିଲା । ଇତିମଧ୍ୟରେ ସେହି କୋଠରୀର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଥିବାରୁ ଏହା ବ୍ୟବହାର ଅନୁପୋଯୋଗୀ ହୋଇଛି । ଡାକବଙ୍ଗଳାର ଏପରି ଦୂରବସ୍ଥା ଯୋଗୁ ସରକାରୀ ଉଚ୍ଚପଦସ୍ଥ ଅଧିକାରୀମାନେ ତିହିଡି ଗସ୍ତ କରିବା ସମୟରେ ଆଲୋଚନା ପାଇଁ ଉପଯୁକ୍ତ ସ୍ଥାନ ପାଇ ପାରୁନାହାନ୍ତି । ତେବେ ଡାକବଙ୍ଗଳାର ମରାମତି ପାଇଁ ଅନୁଦାନ ଯୋଗାଇବାକୁ ଅଧିକ୍ଷଣଯନ୍ତ୍ରୀ ପରମାନନ୍ଦ ବେହେରା ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଅନୁଦାନ ମିଳି ପାରୁନାହିଁ । ସେ ପୁଣିଥରେ ପ୍ରସ୍ତାବ ଦେବେ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏବଂ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟ ଏଥିପ୍ରତି ଆନ୍ତରିକତାର ସହ ଦୃଷ୍ଟି ଦେଇ ସରକାରଙ୍କ ଠାରୁ ଅନୁଦାନ ଆଣି ଡାକବଙ୍ଗଳାକୁ ବ୍ୟବହାର ଉପଯୋଗୀ କରାଇବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.