Home ଓଡ଼ିଶା ଭାରତୀୟ ରେଳବାଇ ପକ୍ଷରୁ ପାରା ମେଡ଼ିକାଲ ଷ୍ଟାଫଙ୍କ ନିମନ୍ତେ ସବୁଠୁ ବଡ଼ ନିଯୁକ୍ତି ଅଭିଯାନ

ଭାରତୀୟ ରେଳବାଇ ପକ୍ଷରୁ ପାରା ମେଡ଼ିକାଲ ଷ୍ଟାଫଙ୍କ ନିମନ୍ତେ ସବୁଠୁ ବଡ଼ ନିଯୁକ୍ତି ଅଭିଯାନ

181

– ପାରାମେଡ଼ିକାଲ ଷ୍ଟାଫଙ୍କ ବିଭିନ୍ନ ଶ୍ରେଣୀର ୧୯୨୩ଟି ପଦବୀ ଲାଗି ୧୯ ଜୁଲାଇ, ୨୦୧୯ ଠାରୁ କମ୍ପୁଟର ଆଧାରିତ ପରୀକ୍ଷା ଆୟୋଜନ କରାଯିବ
– ଆର୍ଥିକ ଦୃଷ୍ଟିରୁ ପଛୁଆ ପ୍ରାର୍ଥୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା
– ପରୀକ୍ଷାରେ ୪.୩୯ ଲକ୍ଷରୁ ଅଧିକ ପ୍ରାର୍ଥୀ ଭାଗ ନେବେ
– ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୬୨ ପ୍ରତିଶତ ମହିଳା
– ୫୦ ପ୍ରତିଶତରୁ ଅଧିକ ପ୍ରାର୍ଥୀ ଷ୍ଟାଫ ନର୍ସ ପଦବୀ ପାଇଁ ପରୀକ୍ଷା ଦେବେ
– ପରୀକ୍ଷା ଲାଗି ସାରା ଦେଶର ୧୦୭ଟି ଛୋଟବଡ଼ ସହରରେ ୩୪୫ଟି ପରୀକ୍ଷା କେନ୍ଦ୍ର

ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଭାରତୀୟ ରେଳବାଇ ପକ୍ଷରୁ ପାରା ମେଡ଼ିକାଲ ଷ୍ଟାଫଙ୍କ ଲାଗି ସବୁଠୁ ବଡ଼ ନିଯୁକ୍ତି ଅଭିଯାନ ଆରମ୍ଭ କରାଯିବ। ପାରା ମେଡ଼ିକାଲ କର୍ମଚାରୀଙ୍କ ବିଭିନ୍ନ ଶ୍ରେଣୀ ଲାଗି ୧୯୨୩ ପଦବୀ ଲାଗି ୧୯ ଜୁଲାଇ, ୨୦୧୯ ଠାରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆୟୋଜନ କରାଯିବ। ଏହି ପରୀକ୍ଷା ୧୯ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏଥିରେ ୪.୩୯ ଲକ୍ଷରୁ ଅଧିକ ପ୍ରାର୍ଥୀ ଭାଗ ନେବେ। ପରୀକ୍ଷା ଲାଗି ଦେଶର ୧୦୭ ଛୋଟ ବଡ଼ ସହରରେ ୩୪୫ ପରୀକ୍ଷା କେନ୍ଦ୍ର କରାଯାଇଛି।

ପ୍ରଥମ ଥର ଲାଗି ରେଳବାଇ ଦ୍ୱାରା ଆୟୋଜିତ କୌଣସି ନିଯୁକ୍ତି ପରୀକ୍ଷାରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ)ର ପ୍ରାର୍ଥୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ମୋଟ ଖାଲି ପଦବୀ ମଧ୍ୟରୁ ୧୦ ପ୍ରତିଶତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପ୍ରାର୍ଥୀ (ଇଡବ୍ଲ୍ୟୁଏସ)ଙ୍କ ପାଇଁ ସଂରକ୍ଷିତ କରିବାର ନୂଆ ବ୍ୟବସ୍ଥା ଅନ୍ତର୍ଗତ ଏହି ପରୀକ୍ଷରେ ୪୬୫୪ ଇଡବ୍ଲ୍ୟୁଏସ ପ୍ରାର୍ଥୀ ଭାଗ ନେବେ।

କମ୍ପ୍ୟୁଟର ଆଧାରିତ ଏହି ପରୀକ୍ଷା ୯୦ ମିନିଟ ଅବଧି ବିଶିଷ୍ଟ ହେବ, ଯେଉଁଥିରେ ଦୃଷ୍ଟିବାଧିତ ଦିବ୍ୟାଙ୍ଗମାନଙ୍କୁ ୩୦ ମିନିଟ ଅତିରିକ୍ତ ସମୟ ଦିଆଯିବ। ପରୀକ୍ଷାରେ ପେସା ସହ ଜଡ଼ିତ ବିଷୟବସ୍ତୁ, ସାଧାରଣ ଜ୍ଞାନ, ଜେନେରାଲ ଏରିଥିମେଟିକ, ସାଧାରଣ ବିଜ୍ଞାନ ଏବଂ ତର୍କ ଓ ବୌଦ୍ଧିକ କ୍ଷମତା ଆକଳନ ସଂକ୍ରାନ୍ତ ବହୁବିକଳ୍ପ ବସ୍ତୁନିଷ୍ଠ ପ୍ରଶ୍ନ ରହିବ। ପରୀକ୍ଷାରେ ପ୍ରଶ୍ନପତ୍ର ଇଂରାଜୀ ଓ ହିନ୍ଦୀ ସମେତ ୧୫ଟି ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ ହେବ। ପ୍ରାର୍ଥୀମାନେ ଇଂରାଜୀ ସହିତ ପରୀକ୍ଷାର ମାଧ୍ୟମ ଭାବେ ଚୟନ କରାଯାଇଥିବା ଭାଷାରେ ମଧ୍ୟ ପ୍ରଶ୍ନପତ୍ର ପାଇପାରିବେ।

ଏହି ପରୀକ୍ଷାରେ ସବୁଠୁ ଅଧିକ ୬୪, ୫୯୬ ପ୍ରାର୍ଥୀ ଉତରପ୍ରଦେଶରୁ, ୬୨, ୭୭୨ ପ୍ରାର୍ଥୀ ରାଜସ୍ଥାନରୁ, ୩୮, ୦୯୭ ଜଣ ମହାରାଷ୍ଟ୍ରରୁ ଏବଂ ୩୫୪୯୬ ପ୍ରାର୍ଥୀ କେରଳରୁ ସାମିଲ ହେବେ।

ରେଳବାଇର ଏହି ନିଯୁକ୍ତି ଅଭିଯାନର ବିଶେଷତ୍ୱ ହେଉଛି ଏଥିରେ ଆବେଦନ କରୁଥିବା ମୋଟ ପ୍ରାର୍ଥୀମାନଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ବହୁଗୁଣରେ ଅଧିକ। ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୬୨ ପ୍ରତିଶତ ମହିଳା। ଏହାବ୍ୟତୀତ ଏହି ପରୀକ୍ଷାରେ ୨୮ ଜଣ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ମଧ୍ୟ ଭାଗ ନେଇଛନ୍ତି।

ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଷ୍ଟାଫ ନର୍ସ, ଡାଏଟିସିଆନ, ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ଯାଂଚ ନିରୀକ୍ଷକ, ଫାର୍ମାସିଷ୍ଟ, ଅପ୍ଟୋମେଟ୍ରିଷ୍ଟ ଓ ରେଡିଓଗ୍ରାଫର ପଦବୀରେ ନିଯୁକ୍ତି ଦିଆଯିବ। ୫୦ ପ୍ରତିଶତରୁ ଅଧିକ ପ୍ରାର୍ଥୀ ଷ୍ଟାଫ ନର୍ସ ପଦବୀ ଲାଗି ପରୀକ୍ଷା ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.