Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳିତ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳିତ

1

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗ ଏବଂ ଛାତ୍ର ସେବା କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ କଲେଜ ସମ୍ମିଳନୀ କକ୍ଷରେ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା “ଆତ୍ମହତ୍ୟା ଉପରେ ଚିନ୍ତାଧାରା ବଦଳାଇବା”। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡକ୍ଟର ହଂସିତା ଓଝା ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ଥିରତା ବଜାୟ ରଖିବା ଏବଂ ଜୀବନର ପ୍ରତିଟି ଆହ୍ୱାନକୁ ସକାରାତ୍ମକ ଭାବେ ସାମ୍ନା କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରଶାସନିକ ବର୍ସାର୍ ଡକ୍ଟର ଲକ୍ଷ୍ମୀକାନ୍ତ ନାୟକ, ଏକାଡେମିକ୍ ବର୍ସାର୍ ଡକ୍ଟର ବ୍ରହ୍ମାନନ୍ଦ ପଣ୍ଡା ଏବଂ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରତାପ ଚନ୍ଦ୍ର ସାହୁ ଉପସ୍ଥିତ ରହି ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଦୁଇଟି ସ୍ୱତନ୍ତ୍ର ଉପସ୍ଥାପନା ପରିବେଷିତ ହୋଇଥିଲା। ମନୋବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଅକ୍ଷୟ କୁମାର ଦାସ ‘ମାନସିକ ସ୍ୱାସ୍ଥ୍ୟ ଉପରେ ଅନ୍ତର୍ଦୃଷ୍ଟି’ ଶୀର୍ଷକ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରି ମାନସିକ ସମସ୍ୟାକୁ ଲୁଚାଇ ନ ରଖି ସାହାଯ୍ୟ ଲୋଡ଼ିବା ବିଷୟରେ ବୁଝାଇଥିଲେ। ସେହିପରି ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପ୍ରଧାନ ‘ଆତ୍ମହତ୍ୟା ନିବାରଣ ଉପରେ ଅନ୍ତର୍ଦୃଷ୍ଟି’ ବିଷୟରେ ଆଲୋଚନା କରି ଆତ୍ମହତ୍ୟା ପ୍ରବୃତିର କାରଣ, ଲକ୍ଷଣ ଏବଂ ସମୟୋଚିତ ପରାମର୍ଶ ମାଧ୍ୟମରେ ଏହାକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ରଶ୍ମିତା ବେହେରା, ଶ୍ରୀମତୀ ସ୍ୱପ୍ନା ସରିତା ମହାପାତ୍ର ଏବଂ ସ୍ମରଣିକା ପରିଡ଼ା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ସ୍ନାତକ (ଟଏ) ଓ ସ୍ନାତକୋତର ଶ୍ରେଣୀର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ମନୋବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ନିବେଦିତା ମହାପାତ୍ର ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.