Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ, ସୁରକ୍ଷା ଓ ନିରାପତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ, ସୁରକ୍ଷା ଓ ନିରାପତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

14

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକରେ ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ ୩ ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ “ମାନସିକ ସ୍ୱାସ୍ଥ୍ୟ, ସୁରକ୍ଷା ଓ ନିରାପତା” ଉପରେ ଏକ ଦିନିଆ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର, ୧୧ ଅଗଷ୍ଟ ୨୦୨୬ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଛାତ୍ର ସେବା କେନ୍ଦ୍ର , ଆଭ୍ୟନ୍ତରୀଣ କମିଟି ଏବଂ ଶକ୍ତିଶ୍ରୀ ସେଲ୍‌ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ନବାଗତ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ, ବ୍ୟକ୍ତିଗତ ସୁରକ୍ଷା ଓ ନିରାପତା, ଆଭ୍ୟନ୍ତରୀଣ କମିଟିର ଭୂମିକା ଏବଂ ଶକ୍ତିଶ୍ରୀ ସେଲ୍‌ର ଉଦ୍ଦେଶ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ, ପୁଷ୍ପଗୁଚ୍ଛ ପ୍ରଦାନ, ଦୀପ ପ୍ରଜ୍ୱଳନ କରାଯାଇଥିଲା ଡ. ସ୍ମରଣିକା ପରିଡ଼ା, ମୁଖ୍ୟ, ଗୃହବିଜ୍ଞାନ ବିଭାଗ ଏବଂ ସଦସ୍ୟ, ଛାତ୍ର ସେବା କେନ୍ଦ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯାଇଥିଲା। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଲଲିତ ରଞ୍ଜନ ସାହୁ ଅତିଥିମାନଙ୍କୁ ସମ୍ମାନିତ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭଦ୍ରକର ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ ତାଙ୍କ ବିଶେଷ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଓ ନିରାପତା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ। ଆଭ୍ୟନ୍ତରୀଣ କମିଟିର ସଦସ୍ୟା ରାଧାରାଣୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ବାର୍ତା ପ୍ରଦାନ କରିଥିଲେ। ମନୋବିଜ୍ଞାନ ବିଭାଗର ମୁଖ୍ୟ ତଥା ଛାତ୍ର ସେବା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ଅକ୍ଷୟ କୁମାର ଦାସ ମାନସିକ ସ୍ୱାସ୍ଥ୍ୟ ଏବଂ ଛାତ୍ରଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ବଟାନୀ ବିଭାଗର ମୁଖ୍ୟ ତଥା ଆଭ୍ୟନ୍ତରୀଣ କମିଟିର ପ୍ରିଜାଇଡିଂ ଅଫିସର ଡ. ସ୍ୱପ୍ନା ସୋନାଲିକା ଜେନା ଆଭ୍ୟନ୍ତରୀଣ କମିଟିର ଭୂମିକା ଓ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ। ଶକ୍ତିଶ୍ରୀ ସେଲ୍‌ର ସଂଯୋଜିକା ଡ. ସ୍ୱପ୍ନା ସରିତା ମହାପାତ୍ର ଶକ୍ତିଶ୍ରୀ ସେଲ୍‌ର ଉଦ୍ଦେଶ୍ୟ ଓ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମଟି ଡ. ସନ୍ତୋଷ କୁମାର ସେଠୀ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ବ୍ରହ୍ମାନନ୍ଦ ପଣ୍ଡା, ଡ. ଅଜିତ କୁମାର ଦାସ, ଶ୍ରୀ ତପନ କୁମାର ମଲ୍ଲିକ, ଛାତ୍ର ସେବା କେନ୍ଦ୍ରର ସଦସ୍ୟବୃନ୍ଦ – ଡ. ପ୍ରଦୀପ କୁମାର ପ୍ରଧାନ, ଡ. ହଂସିତା ଓଝା, ରଶ୍ମିତା ବେହେରା ଏବଂ ଡ. ନାରାୟଣ ପ୍ରସାଦ ବେହେରାଙ୍କ ମାର୍ଗଦର୍ଶନରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନବନିଯୁକ୍ତ ଛାତ୍ରଛାତ୍ରୀମାନେ ମାନସିକ ସୁସ୍ଥତା, ସୁରକ୍ଷା, ମହାବିଦ୍ୟାଳୟରେ ଉପଲବ୍ଧ ସହାୟତା ବ୍ୟବସ୍ଥା ଏବଂ ମହାବିଦ୍ୟାଳୟ ସମୁଦାୟ ପ୍ରତି ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱ ସମ୍ପର୍କରେ ଉପଯୋଗୀ ସଚେତନତା ହାସଲ କରିଥିଲେ। ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.