Home ଜିଲ୍ଲା ପରିକ୍ରମା ଭଦ୍ରକ ସହରରେ ଟ୍ରାଫିକ୍ ସେବା ବିପର୍ଯ୍ୟସ୍ତ : ପୁଲିସ୍ ଏବଂ ହୋମ୍‌ଗାର୍ଡ ଟ୍ରାଫିକ୍ ନିୟନ୍ତ୍ରଣ ଦାୟିତ୍ୱରେ

ଭଦ୍ରକ ସହରରେ ଟ୍ରାଫିକ୍ ସେବା ବିପର୍ଯ୍ୟସ୍ତ : ପୁଲିସ୍ ଏବଂ ହୋମ୍‌ଗାର୍ଡ ଟ୍ରାଫିକ୍ ନିୟନ୍ତ୍ରଣ ଦାୟିତ୍ୱରେ

226

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଥାନା ନାହିଁ କିମ୍ବା ପୁଲିସ୍ ନାହାଁନ୍ତି । ତଥାପି ଗତ ୨୭ ବର୍ଷ ଧରି ଭଦ୍ରକ ସହରରେ ଚାଲିଛି ଟ୍ରାଫିକ୍ ସେବା । କେତେବେଳେ ଟ୍ରାଫିକ୍ ପୋଷାକରେ ସାଧାରଣ ପୁଲିସ୍ ଡ୍ୟୁଟି କରୁଛନ୍ତି ତ କେତେବେଳେ ଖାକି ପୋଷାକରେ ହୋମଗାର୍ଡ ମାନେ କାର୍ଯ୍ୟଭାର ତୁଲାଉଛନ୍ତି । ସହରରେ ନା ଅଛି ଟ୍ରାଫିକ୍ ପୋଷ୍ଟ ନା ଅଛି ଟ୍ରାଫିକ୍ ଲାଇଟ୍ । ମୁକୁଳା ଆକାଶ ତଳେ ଏକ ଭଙ୍ଗା ଦଦରା ଟ୍ରାଫିକ୍ ଆଉଟପୋଷ୍ଟ ପାଖରେ ଛିଡାହୋଇ ଟ୍ରାଫିକ୍ ନିୟନ୍ତ୍ରଣ ଆଳରେ କେବଳ ହାତ ହଲାଉଛନ୍ତି ପୁଲିସ୍ କର୍ମଚାରୀ । ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନା କେଶ୍ ଅଛି ନା ଜରିମାନା ଅଛି । ଫଳରେ ଦିନକୁ ଦିନ ସହରରେ ବିପର୍ଯ୍ୟସ୍ତ ହୋଇପଡୁଛି ଟ୍ରାଫିକ୍ ସେବା । ଭଦ୍ରକ ସ୍ୱତନ୍ତ୍ର ଜିଲା ମାନ୍ୟତା ପାଇବାର ଇତିମଧ୍ୟରେ ୨୭ ବର୍ଷ ବିତିଲାଣି । ସହରରେ ଜନସଂଖ୍ୟା ବୃଦ୍ଧି ସହିତ ଗାଡି ମୋଟର ସଂଖ୍ୟା ଦ୍ରୁତ ବୃଦ୍ଧି ପାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ୧୦ଟି ସ୍ଥାନରେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଏଥି ସକାଶେ ପୁଲିସ୍ ବିଭାଗରେ କାର୍ଯ୍ୟରତ ୧୪ ଜଣ କନେଷ୍ଟବଳ ଏବଂ ୩ ଜଣ ହାବିଲଦାରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ କାର୍ଯ୍ୟରେ ମୁତୟନ କରାଯାଇଛି । ଏହାଛଡା ବିନା ପ୍ରଶିକ୍ଷଣରେ ୮ ରୁ ୧୦ ହୋମ୍‌ଗାର୍ଡଙ୍କୁ ନିୟୋଜିତ କରାଯାଇଛି । ସକାଳ ୮ଟାରୁ ରାତି ୮ଟା ଯାଏ ସହରରେ ଟ୍ରାଫିକ୍ ସେବା କାଏମ ରଖାଯାଇଛି । ଏହାସତ୍ୱେ କର୍ମଚାରୀ ନଥିବାରୁ ୧୦ଟି ଟ୍ରାଫିକ୍ ପୋଷ୍ଟ ମଧ୍ୟରୁ ୪ ଗୋଟି ଟ୍ରାଫିକ୍ ପୋଷ୍ଟ ଅଚଳ ପଡିଛି । ଭଦ୍ରକ ସହରରେ ଏବେ ଜନସଂଖ୍ୟା ଦେଢଲକ୍ଷକୁ ଟପିଗଲାଣି । ସହରରେ ଯାନବାହନ ଗହଳି ଧୀରେ ଧୀରେ ଅଣାୟତ୍ତ ହୋଇ ପଡିଲାଣି । ହେଲେ ସହରରେ କାର୍ଯ୍ୟକ୍ଷମ ଥିବା ଟ୍ରାଫିକ୍ ବ୍ୟବସ୍ଥାର ପୁନର୍ଗଠନ ହେଉନାହିଁ କିମ୍ବା ରାସ୍ତାଘାଟର ସଂପ୍ରସାରଣ ହେଉନାହିଁ । ସେହିଭଳି ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାରେ ଏବେ ଥାନା ସଂଖ୍ୟା ୧୯ କୁ ବୃଦ୍ଧି ପାଇଲାଣି । ହେଲେ ଜିଲାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜିଲାରେ ଏଯାଏ ଏକ ଟ୍ରାଫିକ୍ ଥାନା ମଧ୍ୟ ପ୍ରତିଷ୍ଠା କରାଯାଇପାରିଲା ନାହିଁ । ଟ୍ରାଫିକ୍ ଥାନା ନଥିବା ଏବଂ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉନଥିବା ଯୋଗୁଁ ସହରରେ କେବଳ ଦୁର୍ଘଟଣା ବୃଦ୍ଧି ପାଉନାହିଁ ବରଂ ଚୋରି ଛିନତାଇ ସହରବାସୀଙ୍କ ଆଖିରୁ ନିଦ ହଜେଇ ଦେଲାଣି । ଭଦ୍ରକ ସହର କଚେରୀ ବଜାର ଟ୍ରାଫିକ୍ ଆଉଟପୋଷ୍ଟ ନିକଟରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ୩୫ ହଜାର ଟଙ୍କା ଉଠାଇ ଟ୍ରାଫିକ୍ ପୋଷ୍ଟ ଅତିକ୍ରମ କରୁଥିବାବେଳେ ଦୁଇଜଣ ଅଜ୍ଞାତ ଯୁବକ ଏକ ମୋଟର ସାଇକେଲ୍‌ରେ ଆସି ବୃଦ୍ଧଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗଯିକୁ ଛଡାଇନେଇ ନିମିଷକ ମଧ୍ୟରେ ଫେରାର ହୋଇଯାଇଥିଲେ ମଧ୍ୟ ପୁଲିସ୍ ଏହାର ଟେର ପାଇନଥିଲା । ସବୁଠାରୁ ବଡକଥା ହେଲା କଚେରୀ ବଜାର ଟ୍ରାଫିକ ପୋଷ୍ଟ ଏବଂ ବନ୍ତଛକ ଟ୍ରାଫିକ୍ ପୋଷ୍ଟ ମଧ୍ୟରେ ଦୂରତା ଅତିବେଶିରେ ୪୦/୫୦ ମିଟର ହୋଇଥିଲେ ମଧ୍ୟ ପୁଲିସ୍ ଏହି ଦୁଇ ଟ୍ରାଫିକ୍ ପୋଷ୍ଟ ମଧ୍ୟରେ ଘଟିଥିବା ଛିନତାଇକୁ ପ୍ରତିହତ କରିପାରିନାହାଁନ୍ତି । ଭଦ୍ରକ ସହରରେ ଏହା ଏକମାତ୍ର ଘଟଣା ନୁହେଁ ଦ୍ୱିପ୍ରହରରେ ସହରରେ ମହିଳାଙ୍କ ବେକରୁ ହାର ଛିନତାଇ, ଡିକିଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌, ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍ ସେବା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.