ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟା ପ୍ରାୟ ୭. ୩୦ ରେ ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ଥ ଜଗନ୍ନାଥପୁରରେ ଥିବା ରଘୁନାଥ ମେସରେ ଭଦ୍ରକ କଲେଜରେ ପଢ଼ୁଥିବା ଜଣେ ଛାତ୍ରର ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣା ପଡିଛି ଏହି ଜିଲ୍ଲାର ଚାନ୍ଦବାଲି ମତୋ ଅଧିନସ୍ଥ ନାଳଗୋହିରା ଗ୍ରାମର ଦୀପକ ବାରିକ ଭଦ୍ରକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ଥାଇ ନିକଟସ୍ଥ ଜଗନ୍ନାଥ ପୁରର ଗୃହ କର୍ତ୍ତା ବସନ୍ତ ଆଚାର୍ଯ୍ୟଙ୍କ ରଘୁନାଥ ମେସରେ ରହି ପାଠ ପଢୁଥିଲେ। କଲେଜ ଛୁଟି ହୋଇଯାଇଥିବାରୁ ମେସର ଅନେକ ଛାତ୍ର ଘରକୁ ଚାଲି ଯାଇଥିବାବେଳେ ଅଳ୍ପ ସଂଖ୍ୟକ ପିଲା ମେସରେ ରହିଥିଲେ। ସେମାନଙ୍କ ମଧ୍ୟରେ ଦୀପକ ଅନ୍ୟତମ। ସେ ୪ ମାସ ହେବ ରହିଆସୁଥିଲା। ଆଜି ସନ୍ଧ୍ୟାରେ ମେସର ଜଣେ ଛାତ୍ରଙ୍କୁ ଦୀପକର ଜନୈକ ସାଙ୍ଗ ମୋବାଇଲରେ ଫୋନ କରି ସେ କଣ କରୁଛି ବୋଲି ପଚାରି ଥିଲା। ଫଳରେ ସମ୍ପୃକ୍ତ ଛାତ୍ରଟି ଦୀପକ ରହୁଥିବା ରୁମକୁ ଯାଇ ଡାକି ସେ ନ ଶୁଣିବାରୁ କବାଟ ପେଲିଦେବାରୁ ଅଳ୍ପ ଛିଟିକିଣି ଲାଗିଥିବାରୁ ତାହା ଖୋଲି ଯାଇଥିଲା। କିନ୍ତୁ ଛାତ୍ରଟି ଯାହା ଦେଖିଲା ତାର ହୋସ ଉଡିଯାଇଥିଲା। ସେ ଦୀପକକୁ ତାର ଖଟ ପାଖରେ ଫ୍ୟାନରେ ବେକରେ ଏକ ବେଡ଼ ସିଟ ଦ୍ୱାରା ଝୁଲୁ ଥିବାର ଦେଖିଥିଲା। ପରେ ତାର ଚିତ୍କାର ଶୁଣି ଅନ୍ୟ ପିଲାମାନେ ଆସି ଏଭଳି ଅଘଟଣ ଦେଖି ଗୃହ କର୍ତ୍ତା ବସନ୍ତ ଆଚାର୍ଯ୍ୟଙ୍କୁ ଖବର ଦେବାପରେ ସେ ବାହାରେ ଥିବାରୁ ମେସକୁ ଆସି ସବୁ ବିଷୟ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଂଚି ଦୀପକର ପରିବାର ଲୋକଙ୍କୁ ଖବର ଦେଇଥିଲେ। ରାତି ହୋଇଥିବାରୁ ଏ ଖବର ଲେଖା ଯିବା ପର୍ଯ୍ୟନ୍ତ ଦୀପକର ପରିବାର ଲୋକ ରାତି ୧୧ ଟା ପର୍ଯ୍ୟନ୍ତ ମେସରେ ପହଂଚି ନ ଥିବାରୁ ତାର ମୃତ ଦେହଟି ସେହି ଭଳି ଝୁଲନ୍ତା ଅବସ୍ଥାରେ ରହି ଥିବାବେଳେ ପୋଲିସ ପ୍ରାଥମିକ ତଦନ୍ତ ପରେ ଶବଟିକୁ ଜଗି ରହିଥିବାର ଜଣା ପଡିଛି।








