ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ମୂର୍ତିକା ଓ କୃଷି ସମ୍ପଦର ସୁପରିଚାଳନା କେବଳ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶାର ବିକାଶ ରଥକୁ ଆଗକୁ ନେଇଯିବାର ଶକ୍ତି ରଖେ। କୃଷି ଖାଦ୍ୟ ଯୋଗାଏ, ମୃତିକା ଉତ୍ପାଦନର ଆଧାର ସାଜେ ଏବଂ ମତ୍ସ୍ୟ ସମ୍ପଦ ରପ୍ତାନି ଓ ବାଣିଜ୍ୟକୁ ସୁଦୃଢ଼ କରେ। ଏହି ତିନୋଟି ସ୍ତମ୍ଭର ସମନ୍ୱିତ ବିକାଶ ହିଁ ଓଡ଼ିଶାକୁ ଏକ ଅର୍ଥନୈତିକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବାରେ ସକ୍ଷମ ହୋଇଛି। ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ପରିସରରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଚାଲିଥିବା ‘ବୈଶାଖୀ ମେଳା-୨୦୨୬’ର ଅଷ୍ଟମ ସନ୍ଧ୍ୟାରେ ମାଟି ଓ ମଣିଷର ସମ୍ପର୍କକୁ ‘ଭଦ୍ରକର କୃଷି, ମୃତିକା ଓ ମତ୍ସ୍ୟଜୀବୀ’ ବିଷୟରେ ଭାବଗର୍ଭକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍ ଡ. ଗୋଲକ ବିହାରୀ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ଭଦ୍ରକର ଚାଷୀ ଓ ମତ୍ସ୍ୟଜୀବୀମାନେ ହେଉଛନ୍ତି ଆମର ପ୍ରକୃତ ସମ୍ପଦ। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାର ସୁଫଳ ପ୍ରତିଟି ପରିବାର ପାଖରେ ପହଂଚିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ବୈଶାଖ ମେଳା ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ଭଦ୍ରକ ମୂର୍ତିକାର ବିବିଧତା ହିଁ ଏ ଅଞ୍ଚଳର ଉଦ୍ୟାନ ଓ କୃଷିର ବିକାଶ କରିଛି ଏବଂ ଏହା ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିଛି ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ କୃଷିକବି ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ ଓ କୃଷିକବି ଇଂ. ଅରୁଣ କୁମାର ପାତ୍ର ଯୋଗଦେଇ ମାଟିର ସ୍ୱାସ୍ଥ୍ୟ ରକ୍ଷା କଲେ ହିଁ ସୁସ୍ଥ ଶସ୍ୟ ଉତ୍ପାଦନ ସମ୍ଭବ। କୃଷିକୁ କେବଳ ଜୀବିକା ନୁହେଁ, ବରଂ ଏକ ସେବା ଭାବେ ଗ୍ରହଣ କରିବା ବାଞ୍ଛନୀୟ ବୋଲି କହିଥିଲେ। ବିଧାୟକ ଶ୍ରୀ ମହାପାତ୍ର ଓ ଜିଲ୍ଲପାଳଙ୍କୁ ଏହି ଅବସରରେ ସଭାପତି ଅଜୟ ନାୟକ, ବୈଶାଖୀମେଳାର ସମ୍ପାଦକ ରୂପକ ରାୟ, ତ୍ୟାଗଭୂମି ସମ୍ପାଦକ ଗଦାଧର ବାଳ, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ ଅଖିଳ କୁମାର ପାଢ଼ୀ, ପଦ୍ମାନ ରାୟ, ସୁଧାକର ରାଉତ, ରବିନାରାୟଣ ପଣ୍ଡା, କବି ରମେଶ ଦାସ, ବାବୁଲାଲ ଦାସ, ବରିଷ୍ଠ ନାଗରିକ ସଙ୍ଘର ଜିଲ୍ଲା ସଭାପତି କୈଳାସ ପଣ୍ଡା, ନାରାୟଣ ପାଢ଼ୀ, ମନୋରଞ୍ଜନ ଦାସ, ମଦନ ନାୟକ, ଉମାକାନ୍ତ ପାଳ, ଗୌରଙ୍ଗ ବାରିକ, ଲକ୍ଷ୍ମୀକାନ୍ତ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମେଳା କମିଟି ସଭାପତି ଅଜୟ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ଶିଷକ ରାଜେନ୍ଦ୍ର କୁମାର ବିଶ୍ୱାଳ ମଂଚ ଆହ୍ୱାନ କରିଥିଲେ ଓ ସମ୍ପାଦକ ରୂପକ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ଣ ଅଧିବେଶନ କବି ଗୌରାଙ୍ଗ ବାରିକ, ସଭାପତିତ୍ୱରେ ମା’ ଓ ମାଟିକୁ ନେଇ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କବି ଯୋଗଦେଇଥିଲେ। ଶେଷରେ ‘ଉତ୍ସବ ନୃତ୍ୟ ଏକାଡେମୀ’ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା।
Home ଜିଲ୍ଲା ପରିକ୍ରମା ଭଦ୍ରକ ମୂର୍ତିକାର ଗୁଣବତା ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିଛି, ଭଦ୍ରକ ବୈଶାଖୀ ମେଳାର ଅଷ୍ଟମ ସନ୍ଧ୍ୟା








