ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ ଲାଗି ରହିଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଦିଲୀପ ରାଉତରାୟ ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଖଣ୍ଡତଡା ଓ ବେନ୍ତାଳ ଗ୍ରାମପଂଚାୟତର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ଉଦ୍ଧାର କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଂଚଳରେ ଚାଲିଥିବା ସମସ୍ତ ପ୍ରକାର ବ୍ୟବସ୍ଥାର ସମୀକ୍ଷା କରିବା ସହ ନିୟୋଜିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସେ ଆଶ୍ରୟସ୍ଥଳଗୁଡ଼ିକ ପରିଦର୍ଶନ କରି ସ୍ଥାନାନ୍ତରିତ ପରିବାରମାନଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ ଉଦ୍ଧାର କାର୍ଯ୍ୟ ସୁଚାରୁ ଭାବେ ଚାଲିଥିବାରେ ସନ୍ତୋଷ ପ୍ରକାଶ କରିଥିଲେ। ସେ ଜିଲ୍ଲା ପ୍ରଶାସନର ଅଧିକାରୀ, ପଂଚାୟତିରାଜ ପ୍ରତିନିଧି, ଖଣ୍ଡତଡା ଗ୍ରାମପଂଚାୟତର ସରପଂଚ କୁମୁଦିନୀ ନାୟକ, ବେନ୍ତାଳ ଗ୍ରାମପଂଚାୟତର ସରପଂଚ ମନୁଲତା ପଣ୍ଡା, କ୍ଷେତ୍ରସ୍ତରୀୟ କର୍ମଚାରୀ ଓ ବନ୍ୟା ପରିଚାଳନାରେ ନିୟୋଜିତ ସମସ୍ତ କର୍ମୀଙ୍କ ନିଷ୍ଠାପୂର୍ଣ୍ଣ ସେବାକୁ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗକୁ ସତର୍କ ରହିବା ସହ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଆବଶ୍ୟକ ସହାୟତା ଓ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।








