Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ଜଜ୍‌ଙ୍କ ରୋକ୍ ପରେ ବିଦେଇପୁର ସମିତି ସଭ୍ୟ ଶରତ ମଳିକ ନିଜ ପଦବୀ...

ଭଦ୍ରକ ଜିଲା ଜଜ୍‌ଙ୍କ ରୋକ୍ ପରେ ବିଦେଇପୁର ସମିତି ସଭ୍ୟ ଶରତ ମଳିକ ନିଜ ପଦବୀ ଫେରିପାଇଲେ

28

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୨ ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ବ୍ଲକ୍ ବିଦେଇପୁର ଗ୍ରାମପଞ୍ଚାୟତର ସମିତି ସଭ୍ୟ ଆସନଟି ହରିଜନ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥାଇ ଶରତ ମଳିକ ସର୍ବାଧିକ ୧୩୬୬ ଖଣ୍ଡ ଭୋଟରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଚତୁର୍ଭୁଜ ସେଠୀ ୧୩୩୫ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ତେବେ ୨୦୨୨ ମସିହା ଫେବୃୟାରୀ ମାସ ୨୧ ରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲେ ମଧ୍ୟ ତା ପରଦିନ ଅର୍ଥାତ୍ ୨୨ ତାରିଖରେ ତାହା ଯାଞ୍ଚ ହୋଇଥିଲା । ସେଦିନ ପ୍ରାତଃରେ ଶ୍ରୀ ମଳିକଙ୍କ ତୃତୀୟ ସନ୍ତାନ ଜନ୍ମଲାଭ କରିଥିଲା । ଏହି ଖବର ପାଇ ଚତୁଃର୍ଭୁଜ ତୁରନ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଶରତ ୩ ଗୋଟି ସନ୍ତାନର ବାପା ଥିବା ଦର୍ଶାଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କର ଯୋଗ୍ୟତା ନଥିବାର ଅଭିଯୋଗ କରିଥିଲେ । ଏହି ଅଭିଯୋଗ ମୂଳେ ନିର୍ବାଚନ ଅଧିକାରୀ ତାଙ୍କର ନାମାଙ୍କନ ପତ୍ର ଖାରଜ କରିଦେବାରୁ ସେ ନିର୍ବାଚନ ଲଢିଥିଲେ ଓ ପରାଜିତ ମଧ୍ୟ ହୋଇଥିଲେ । ନିର୍ବାଚନ ସରିବା ପରେ ଶରତ ୩ ଗୋଟି ସନ୍ତାନର ପିତା ହୋଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାସୁଦେବପୁର ବରିଷ୍ଠ ଦେୱାନୀ ଜଜ୍‌ଙ୍କ ଅଦାଲତରେ ମିଶ୍ କେଶ୍ ନଂ ୧/୨୨ ଦାଖଲ କରିଥିଲେ । ସମସ୍ତ କାଗଜପତ୍ର ଓ ସାକ୍ଷୀମାନଙ୍କ ବୟାନକୁ ତର୍ଜମା କରି ଗତ ଜୁଲାଇ ମାସ ୨୭ ତାରିଖରେ ଶରତ ୩ଟି ସନ୍ତାନର ପିତା ହୋଇଥିବାରୁ ଓଡ଼ିଶା ପଞ୍ଚାୟତ ସମିତି ଆଇନ୍‌ର ଧାରା ୪୪ ମୂଳେ ତାଙ୍କୁ ଅଯୋଗ୍ୟ ଘୋଷଣା କରି ୨ୟ ସର୍ବାଧିକ ଭୋଟ ପାଇଥିବା ଚତୁର୍ଭୁଜ ସେଠୀଙ୍କୁ ବିଦେଇପୁର ଗ୍ରାମପଞ୍ଚାୟତର ସମିତି ସଭ୍ୟ ଘୋଷଣା କରିବା ସହ ତୁରନ୍ତ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ବାସୁଦେବପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଶରତ ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ନିର୍ବାଚନ ଅପିଲ ୬୫/୨୩ ମୂଳେ ଦାଖଲ କରିବା ପରେ ନାମାଙ୍କନ ପତ୍ର ସମୟରେ ଶରତ ୨ଟି ପିଲାର ପିତା ଥିବାରୁ ବାସୁଦେବପୁର ବରିଷ୍ଠ ଦେୱାନୀ ଜଜ୍‌ଙ୍କ ଆଦେଶ ଉପରେ ଆଜି ଅଂକୁଶ ଲଗାଇଛନ୍ତି । ଫଳରେ ଶରତ ପୁନଶ୍ଚ ବିଦେଇପୁର ପଂଚାୟତର ସମିତି ସଭ୍ୟ ପଦବୀ ଫେରିପାଇଛନ୍ତି । ଶରତ ମଳିକଙ୍କ ତରଫରୁ ଭଦ୍ରକର ବରିଷ୍ଠ ଅଧିବକ୍ତା ଗଦାଧର ବଳ, ସଂଜୟ କୁମାର ମାଝୀ, ଜୟନ୍ତ କୁମାର ଭୋଇ ପ୍ରମୁଖ ମାମଲା ଲଢୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.