Home ଜିଲ୍ଲା ପରିକ୍ରମା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଧାନ ଢାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଧାନ ଢାଳି ରାସ୍ତା ଅବରୋଧ କଲେ ଚାଷୀ

27

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ସେବା ସମବାୟ ସମିତିରେ ଧାନକିଣାରେ ଅନିୟମିତତା ଅଭିଯୋଗ କରି ଆଜି ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର ଗଣିଜାଙ୍ଗ ଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ରାଜ୍ୟ ରାଜପଥର ରାସ୍ତା ଉପରେ ଧାନବସ୍ତା ଓ ଧାନ ଢାଳି ଦୀର୍ଘ ସମୟ ଅବରୋଧ କରିଥିବା ସ୍ଥାନୀୟ ଅଂଚଳର ଚାଷୀ ଓ ନବନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ସତ୍ୟରଂଜନ ନାୟକ ଓ ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ମୂଳେ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ ବିକିବାରେ ସ୍ଥାନୀୟ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତମାସ ୬/୭ ତାରିଖ ଟୋକନର ଧାନକୁ ସେବା ସମବାୟ ସମିତି ନେଉଥିବାବେଳେ ଗତମାସ ୧୮ ରୁ ୨୫ ତାରିଖ ପଡିଥିବା ଟୋକନ ଧାନକୁ ନେଉନାହିଁ । ଏପରିକି ଧାନ କଟନି ଛଟନି ସମସ୍ୟା ମଧ୍ୟ ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଚାଷୀଙ୍କ କହିବା ମୂଳେ ସେମାନଙ୍କୁ ଟୋକନ ମିଳିଥିଲେ ମଧ୍ୟ ଧାନକିଣାରେ ବିଳମ୍ବ ହେଉଛି । ଦଲାଲଙ୍କୁ ପ୍ରଶୟ ଦେଇ ସମବାୟ ସମିତି ସେମାନଙ୍କ ଠାରୁ ଧାନ କିଣୁଛନ୍ତି । କିନ୍ତୁ ପ୍ରକୃତ ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି । ଧାନ ନେବାକୁ ଥିବା ମିଲରମାନେ ବସ୍ତାଗୁଡିକୁ ସିଧାସଳଖ ଦଲାଲମାନଙ୍କ ନିକଟକୁ ପଠାଇ ଗାଡି ଦ୍ୱାରା ସେଠାରୁ ଧାନ ନେଉଥିବାବେଳେ ସେମାନେ ସେଥିରୁ ବଂଚିତ ରହୁଛନ୍ତି । ଏ ସଂପର୍କରେ ସେମାନେ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଅବଗତ କରାଇଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଆଜି ରାଜରାସ୍ତାରେ ଧାନଢାଳି ଯାତାୟତ ଅବରୋଧ କରିଥିଲେ । ଫଳରେ ଉଭୟ ପାଶ୍ୱର୍ରେ ବହୁ ଯାନବାହନ ଅଟକି ରହିଥିଲା । ଯାତ୍ରୀମାନେ ଯିବାଆସିବାରେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ତେବେ କିଛି ଘଣ୍ଟାର ବ୍ୟବଧାନ ପରେ ଜିଲା ଯୋଗାଣ ବିଭାଗ ଅଧିକାରୀ ରଂଜନ ସେଠ୍ ସେଠାରେ ପହଞ୍ôଚ ସରକାର ସେମାନଙ୍କୁ ଦେଇଥିବା ଧାର୍ଯ୍ୟଲକ୍ଷ୍ୟ ଠାରୁ କମ୍ ସଂଖ୍ୟକ ଧାନ କ୍ରୟ କରିଥିବା ବିଷୟ ଗଣମାଧ୍ୟମ ନିକଟରେ ସ୍ୱୀକାର କରି ଯଥାଶୀଘ୍ର ସ୍ଥାନୀୟ ଚାଷୀଙ୍କ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ଏହି ଅଭିନବ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.