ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରରେ ଥିବା ସହୀଦ ସ୍ମୃତି ଭବନ (ଟାଉନ୍ ହଲ) ସ୍ଥାନରେ ଏବେ ଏକ ଅତ୍ୟାଧୁନିକ ଅଡିଟୋରିୟମ୍ ନିର୍ମାଣର ଏକ ନକ୍ସା ପ୍ରସ୍ତୁତ ହୋଇଛି। ଏହି ଟାଉନ୍ ହଲ୍ଟିକୁ ସଂପୂର୍ଣ୍ଣ ରୂପେ ଭାଙ୍ଗି ଉକ୍ତ ନୂତନ ଅତ୍ୟାଧୁନିକ ଅଡିଟୋରିୟମ୍ଟି ନିର୍ମାଣ ହେବ। ସିଙ୍ଗାପୁର ଢାଂଚାରେ ନିର୍ମାଣ ହେବାର ପରିକଳ୍ପନା ହୋଇଥିବା ଏହି ଅତ୍ୟାଧୁନିକ ଅଡିଟୋରିୟମ୍ ଲାଗି ଡିପିଆର ସରିଛି। ନଗର ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ ଗତକାଲି ୧୦ କୋଟି ଟଙ୍କା ମଂଜୁର ହୋଇଥିବାର ଜଣାପଡିଛି। ଏଥିସହ ଫୁଡ୍ ପାର୍କ ଓ ନୌକା ବିହାର ଭଳି ବ୍ୟବସ୍ଥା ହେବାପାଇଁ ପୌରପାଳିକା ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ୧୯୯୩ ମସିହାରେ ଜିଲା ହୋଇଥିଲେ ମଧ୍ୟ ଏହି ୩୪ ବର୍ଷ ମଧ୍ୟରେ ସଦର ମହକୁମାରେ କୌଣସି ଏକ ଅତ୍ୟାଧୁନିକ ବଡ ଅଡିଟୋରିୟମ୍ଟିଏ ନଥିଲା। ଫଳରେ ରାଜ୍ୟ ଓ ଜାତୀୟ ସ୍ତରରେ ହେବାକୁ ଥିବା ବହୁ ଆଖିଦୃଶିଆ କାର୍ଯ୍ୟକ୍ରମ ଏହି ଆବଶ୍ୟକ ଇଣ୍ଡେର ହଲ୍ ଅଭାବରୁ ଫଳପ୍ରସୂ ହୋଇପାରିନଥିଲା। ଏଥିପାଇଁ ଜିଲାବାସୀ ଦୀର୍ଘଦିନ ହେବ ଏଭଳି ଏକ ଅତ୍ୟାଧୁନିକ ଅଡିଟୋରିୟମ୍ ପାଇଁ ଦାବି କରିବା ପରେ ବିଳମ୍ବରେ ହେଉ ପଛେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ଏକ ସିଙ୍ଗାପୁର ଢାଂଚାରେ ନିର୍ମାଣ ହେବାକୁ ଥିବା ଏହି ୮ ଶହ ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ପାଇଁ ୧୦ କୋଟି ଟଙ୍କା ମଂଜୁର ହୋଇଛି। ପ୍ରଥମ ମହଲାରେ ବିବାହ ଓ ବୈଠକ ଭଳି କାର୍ଯ୍ୟକ୍ରମ ପାଇଁ ମଣ୍ଡପ ରହିବ। ଏଠାରେ ଲିଫ୍ଟ ସାଙ୍ଗକୁ ସେଂଟ୍ରାଲ ଏସି ମଧ୍ୟ ସଂଯୋଗ ହେବ। ଏହି ହଲ୍ଟିରେ ୩ଟି ପାର୍ଟିସନ ରହିବ। ଯାହା ରିମୋର୍ଟ ସିଷ୍ଟମରେ ଚାଲିବ। ଏହି ଅଡିଟୋରିୟମ୍ରେ ଏକାସାଙ୍ଗରେ ୩ଟି ଛୋଟ ଛୋଟ କାର୍ଯ୍ୟକ୍ରମ ହୋଇପାରିବ। ସବୁଥିରେ ସେଂଟ୍ରାଲ ଏସି ସହ ଉନ୍ନତମାନର ଆଲୋକ ବ୍ୟବସ୍ଥା ଓ ଇଣ୍ଡୋର ସାଉଣ୍ଡ ସିଷ୍ଟମ ଲାଗିବ। ଅନୁରୂପ ଦ୍ୱିତୀୟ ମହଲାରେ ହେବ ଅତ୍ୟାଧୁନିକ ନାଟ୍ୟ ମଣ୍ଡପ। ଯେଉଁଥିରେ ଏକସଙ୍ଗରେ ୩୫୦ ଦର୍ଶକ ବସି ଆନନ୍ଦ ଉଠାଇବେ। ଲେଜର ଲାଇଟ୍ ସାଙ୍ଗକୁ ଇଣ୍ଡୋର ସାଉଣ୍ଡ ସିଷ୍ଟମରେ ଏହି ମଂଚ ଝଲସିବ। ସମସ୍ତ ଅତ୍ୟାଧୁନିକ ସୁବିଧା ଏହି ନାଟ୍ୟ ମଣ୍ଡପରେ ଦର୍ଶକ ପାଇବେ। ଭଡାସୂତ୍ରରେ ଏହି ସୁବିଧା ଅନଲାଇନ୍ ଦ୍ୱାରା ଉପଲବ୍ଧ ହେବ। ତେବେ ସବୁ ସମୟରେ ଏହି ମଣ୍ଡପ ଭଡାରେ ଉପଲବ୍ଧ ହେବନାହିଁ। ଏଥିରେ ସ୍କ୍ରିନ୍ ମାଧ୍ୟମରେ ମଧ୍ୟ ଫିଲ୍ମ ପ୍ରଦର୍ଶିତ ହେବ। ଟିକେଟ୍ କାଟି ଜନସାଧାରଣ ଫିଲ୍ମ ଦେଖିପାରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଏହି ଫିଲ୍ମ ପ୍ରଦର୍ଶିତ ହେବନାହିଁ। ଏଥିପାଇଁ ଅନଲାଇନ୍ ଦ୍ୱାରା ସୂଚନା ପ୍ରଦତ ହେବ ବୋଲି ଭଦ୍ରକ ଉପଜିଲାପାଳ ତଥା ପୌରପାଳିକାର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ଚର୍କବତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ଭଦ୍ରକର ସହୀଦ ସ୍ମୃତି ଭବନ (ଟାଉନ୍ ହଲ୍) ଭଙ୍ଗାଯାଇ ନିର୍ମାଣ ହେବ ଅତ୍ୟାଧୁନିକ ଅଡିଟୋରିୟମ୍ ,ନଗର...







