Home ଜିଲ୍ଲା ପରିକ୍ରମା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାୟକ ବିଷ୍ଣୁ ସେଠୀଙ୍କ ବାସଭବନ...

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାୟକ ବିଷ୍ଣୁ ସେଠୀଙ୍କ ବାସଭବନ ସମ୍ମୁଖରେ ପ୍ରତୀକ ଧାରଣା

17

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ସ୍ଥାପନା ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ନେଇ ଆଜି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ଘୋଷଣା ମତେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଭଦ୍ରକ କୁଆଁସସ୍ଥିତ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତୀକ ଧାରଣା ଦିଆଯାଇଛି । ଏବଂ ଯଥାଶୀଘ୍ର ସରକାର ଏହାର ପ୍ରତିଷ୍ଠା ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୬ ନଂ ଜାତୀୟ ରାଜପଥ ଓ ରେଳଯାତ୍ରାକୁ ଦୀର୍ଘ ୩ ଦିନ ଧରି ଅଚଳ କରିଦିଆଯିବାର ଚେତାବନୀ ଦିଆଯାଇଛି । ଏହି ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ବଣ୍ଟନ କରାଯାଇଥିବା ସ୍ମାରକପତ୍ର ମୂଳେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳଧରି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ମାଧ୍ୟମରେ ଦାବି ଅବ୍ୟାହତ ରହିଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଏହି ମାତ୍ର କିଛିବର୍ଷ ଭିତରେ ରାଜ୍ୟର ବିଭିନ୍ନ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇସାରିଥିଲେ ମଧ୍ୟ ଭଦ୍ରକ ସେଥିରୁ ବାଦ୍ ପଡିଛି ।

ଯାହାର କାରଣ ଜାଣିବା ପାଇଁ ଭଦ୍ରକବାସୀ ଅସମର୍ଥ । କେନ୍ଦ୍ର ସରକାରଙ୍କର ଗାଇଡ୍ ଲାଇନ୍ ଅନୁଯାୟୀ ସ୍ୱାସ୍ଥ୍ୟସେବା ଆବଶ୍ୟକ ଥିବା ଜିଲା ମୁଖ୍ୟ କାର୍ଯ୍ୟାଳୟରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିବ । ଏବଂ ଏଥିନିମନ୍ତେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅଂଶଧନ ଏବଂ ରାଜ୍ୟ ସରକାର ୪୦ ପ୍ରତିଶତ (ଏଥିମଧ୍ୟରେ ଜମି ଓ ଭିତ୍ତିଭୂମି ଥାଇ ଯୋଗାଇଦେବେ) । ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଫେବୃୟାରୀ ୧୭ ତାରିଖର ଏକ ପତ୍ରରେ ଭଦ୍ରକର ମେଡିକାଲ କଲେଜର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରାଯାଇଥିଲା । “ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ରକ୍ରମ” ଆଧାରରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବ ଦେବାପାଇଁ ରାଜ୍ୟ ସରକାରଙ୍କୁ ଏହି ପତ୍ରରେ ଅନୁରୋଧ କରାଯାଇଥିଲା । ଏହି ପ୍ରସ୍ତାବ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ଆବେଦନ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ପ୍ରସ୍ତାବିତ ମେଡିକାଲ କଲେଜର ୬୦ ପ୍ରତିଶତ ଅଂଶଧନ କେନ୍ଦ୍ର ସରକାର ବହନ କରିବେ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି । ଏତଦ୍‌ଭିନ୍ନ ଭଦ୍ରକରେ ସ୍ୱାସ୍ଥ୍ୟସେବାର ଶୋଚନୀୟ ପରିସ୍ଥିତି ଏବଂ ଜନସଂଖ୍ୟା ଓ ରୋଗୀଙ୍କ ସଂଖ୍ୟା ଆଧାରରେ ମେଡିକାଲ କଲେଜର ଆବଶ୍ୟକତା ରହିଛି ବୋଲି ପ୍ରତ୍ୟେକ ଭଦ୍ରକବାସୀ ଅନୁଭବ କରିଛନ୍ତି । ଅତୀତରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭଦ୍ରକ ବନ୍ଦ, ଆନ୍ଦୋଳନ, ମାସ ମାସ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା, ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ ଏବଂ ବିଭିନ୍ନ ମହଲରେ କ୍ରମାଗତ ଦାବି ସତ୍ୱେ ରାଜ୍ୟ ସରକାର ତାହାକୁ ଅଣଦେଖା କରିଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାର ସାଂସଦ ଏବଂ ସମସ୍ତ ବିଧାୟକଙ୍କ ବାସଗୃହ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତୀକ ଧାରଣା ଦେବାର ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆଜି ବିଧାୟକ ଶ୍ରୀ ସେଠୀଙ୍କ ବାସଭବନ ସମ୍ମୁଖରେ ତାହା ପାଳିତ ହୋଇଛି ।

ଆସନ୍ତାକାଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏବଂ ୧୩ ତାରିଖରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ସମ୍ମୁଖରେ ଏହି ଧାରଣା ଦିଆଯିବ । ତେବେ ସରକାର ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବିଭିନ୍ନ ଭାବେ ଚାଲୁରହିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଧାରଣାରେ ଯୋଗଦେଇଥିବା ଅଭୟ ଦ୍ୱିବେଦୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡାକ୍ତର ହରେକୃଷ୍ଣ ନାୟକ, ପ୍ରଫେସର ଡ. ବଳରାମ ମିଶ୍ର, ସାମ୍ବାଦିକ ପ୍ରମୋଦ ରାୟ, ଶିକ୍ଷାବିତ ଶାନ୍ତନୁ ରାଉତ, ସମାଜସେବୀ ସୁଧାକର ରାଉତ, ଶ୍ରୀହର୍ଷ ସ୍ୱାଇଁ, ଇଂ ବସନ୍ତ ପାଣିଗ୍ରାହୀ, ମହେଶ ଦାସ, ରାଧାରାଣୀ ମହାପାତ୍ର, ଗୋଲକ ସାହୁ, ବୈଲୋଚନ ବେହୁରିଆ, ଅବନୀ ପ୍ରଧାନ, ଗୋବର୍ଦ୍ଧନ ସାମଲ, ଅମ୍ବିକା ଦାସ, ବିପ୍ଳବ ହୋତା, ସୀତାକାନ୍ତ ଦାସ, କୁଳମଣି ବେହେରା, ସେକ୍ ସିରାଜୁଦ୍ଦିନ୍‌, ସେକ୍ ଲୋଟ, ଅଲ୍ଲୀ ଅଖତର ସାହା, କୟୁମ ଅଲ୍ଲୀ ସାହା ପ୍ରମୁଖ ଚେତାବନୀ ଦେଇଛନ୍ତି । ତେବେ ଦିନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରହିଥିବାବେଳେ ବିଧାୟକ ଶ୍ରୀ ସେଠୀ ଏହାକୁ ସମର୍ଥନ କରି ଅତୀତରେ ସେ ଏହି ଦାବିକୁ ବିଧାନସଭାରେ ଉଠାଇଥିବାବେଳେ ଆଗାମୀ ଦିନରେ ମଧ୍ୟ ଏ ଦିଗରେ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.