Home ଜିଲ୍ଲା ପରିକ୍ରମା ଭଦ୍ରକରେ ‘ପ୍ରଜାତନ୍ତ୍ର’ ର ୭୫ତମ ଅମୃତ ମହୋତ୍ସବ, ‘ରାଷ୍ଟ୍ର ଗଠନରେ ପ୍ରଜାତନ୍ତ୍ରର ଭୂମିକା’ ଶୀର୍ଷକ ଆଲୋଚନା...

ଭଦ୍ରକରେ ‘ପ୍ରଜାତନ୍ତ୍ର’ ର ୭୫ତମ ଅମୃତ ମହୋତ୍ସବ, ‘ରାଷ୍ଟ୍ର ଗଠନରେ ପ୍ରଜାତନ୍ତ୍ରର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର

30

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୨୩ ମସିହା ଅକ୍ଟୋବର ୨ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲାରେ ସାପ୍ତାହିକୀ ଭାବେ ପ୍ରତିଷ୍ଠା ହୋଇଥିବା ‘ପ୍ରଜାତନ୍ତ୍ର’ ୧୯୪୭ ମସିହା ଅଗଷ୍ଟ ମାସ ୮ ତାରିଖ ଠାରୁ ଦୀର୍ଘ ୭୫ ବର୍ଷ ଧରି ଓଡ଼ିଶାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇଆସୁଥିବା ‘ପ୍ରଜାତନ୍ତ୍ର’ ର ଦିବସବ୍ୟାପୀ କାର୍ଯ୍ୟକ୍ରମ ଭଦ୍ରକ ସହୀଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ୯ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଜିଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସାଧାରଣ ଜ୍ଞାନ, ସଂଗୀତ ତଥା ବକ୍ତୃତା ପ୍ରତିଯୋଗିତା ହୋଇଯାଇଛି। ଅପରାହ୍ନ ୩ ଘଟିକା ସମୟରେ ସାରସ୍ୱତ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ‘ରାଷ୍ଟ୍ର ଗଠନରେ ପ୍ରଜାତନ୍ତ୍ରର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଚର୍ଚ୍ଚିତ ଆଶୁକବି, ପ୍ରାବନ୍ଧିକ, ଗାଳ୍ପିକ ତଥା ପ୍ରଜାତନ୍ତ୍ରର ପୂର୍ବତନ ଜିଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ସ୍ୱାଗତ ଭାଷଣ ଦେଇ ପ୍ରଜାତନ୍ତ୍ର କିଭଳି ଭାବେ ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇ ଓଡ଼ିଆ ଭାଷା ସାହିତ୍ୟକୁ ନୂତନ ଦିଶା ସୃଷ୍ଟି କରିଥିଲା, ସେ ସଂପର୍କରେ ଆଲୋଚନା କରିଥିଲେ।

ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲାର ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ନିଜର ସୁଚିନ୍ତିତ ମତ ରଖିଥିବାବେଳେ କବି ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟବକ୍ତା, କବି ଦୀନବନ୍ଧୁ ପତି, ଡାକ୍ତର ପ୍ରଦୀପ କୁମାର ନାୟକ, ଅଧ୍ୟାପକ ନିହାର ରଂଜନ କର, ନାଟ୍ୟଶ୍ରୀ ନିର୍ମଳ ରାଉତ ପ୍ରମୁଖ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ସଭାରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ନାତି ଲୋକରଞ୍ଜନ ମହତାବଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ପ୍ରଜାତନ୍ତ୍ରର ଅମୃତ ମହୋତ୍ସବର ଉଦ୍‌ଯାପନୀ ଉତ୍ସବକୁ ଡ. ହରେକୃଷ୍ଣ ମହତାବଙ୍କ ସୁପୁତ୍ର ତଥା ଲୋକପ୍ରିୟ ସାଂସଦ ଭର୍ତ୍ତୃହରି ମହତାବ ପରିଚାଳନା କରିଥିଲେ। ଏବଂ ପ୍ରଜାତନ୍ତ୍ରର ଐତିହ୍ୟ, ଇତିହାସ, ଇତିବୃତ୍ତି ଉପରେ ଏକ ସାରଗର୍ଭକ ଔଜସିନୀ ବକ୍ତବ୍ୟ ରଖିଥିଲେ। ଏହି ବକ୍ତବ୍ୟରେ ସେ ଓଡ଼ିଶାରେ ସମ୍ବାଦର ସୃଷ୍ଟି, ସାମ୍ବାଦିକତାର ପ୍ରବୃତ୍ତି ଓଡ଼ିଆ ସାହିତ୍ୟ ଓ ଭାଷା ଜଗତକୁ ପ୍ରଜାତନ୍ତ୍ରର ଆବଶ୍ୟକତା ଏବଂ ସାପ୍ତାହିକ କିଭଳି ଭାବରେ ଓଡ଼ିଆ ସାହିତ୍ୟକୁ ନୂତନ ଦିଗନ୍ତ ସୃଷ୍ଟି କରିଥିଲା। ସେ ସଂପର୍କରେ ଆଲୋଚନା ପୂର୍ବକ ତତ୍‌କାଳୀନ ସମୟର ରାଜନୀତି, ଇତିହାସ ଓ ସଂଘର୍ଷପୂର୍ଣ୍ଣ ସମ୍ବାଦପତ୍ରର ଇତିବୃତ୍ତ ଉପରେ ଆଲୋଚନା କରିଥିଲେ। ରାଜ୍ୟ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଉଦ୍‌ଯାପନୀ ସଭାକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଭାବେ ବକ୍ତବ୍ୟ ଦେଇ ସେ କିଭଳି ଭାବେ ପ୍ରଜାତନ୍ତ୍ରରେ ପାଦ ଦେଇ ନିଜକୁ ଚରେଇବତୀ ନ୍ୟାୟରେ ପ୍ରଗତି କରିଛନ୍ତି ଏବଂ ରାଜନୀତିକୁ ଆସି ମନ୍ତ୍ରୀ ହୋଇପାରିଛନ୍ତି, ସେ ସଂପର୍କରେ କହିବା ସହିତ ପ୍ରଜାତନ୍ତ୍ରର ଇତିହାସ ଏବଂ ତତ୍‌କାଳୀନ ସମୟରେ ସାହିତ୍ୟ ଜଗତରେ ପ୍ରଜାତନ୍ତ୍ର ଭୂମିକା ବିଷୟରେ ଆଲୋଚନା କରିଥିଲେ।

ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରଜାତନ୍ତ୍ରରେ ନିଜର ଅନୁଭୂତି ଏବଂ ସେ କିଭଳି ଭାବେ ପ୍ରଜାତନ୍ତ୍ରର ପ୍ରାଣ ପ୍ରତିଷ୍ଠାତା ହରେକୃଷ୍ଣ ମହତାବଙ୍କ ସଂସ୍ପର୍ଶରେ ଆସି ଓଡ଼ିଶା ରାଜନୀତିରେ ଯୋଗଦେଇ ତାଙ୍କୁ ପିତୃତୁଲ୍ୟ ସମ୍ମାନ ଦେଇ କାର୍ଯ୍ୟ କରିବା ପାଇଁ ପଣ ରଖିଥିଲେ ସେ ସଂପର୍କରେ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ, ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ତଥା ଓଡ଼ିଆ ଭାଷା ସାହିତ୍ୟକୁ ପ୍ରଜାତନ୍ତ୍ରର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ସଭାକୁ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରବକ୍ତା, ଗାଳ୍ପିକ ପବିତ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ। ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ଭଦ୍ରକ ଜିଲାର ଜିଲା ପ୍ରତିନିଧି ଅପୂର୍ବ ରଂଜନ ବେହେରା ପରିଚାଳନା କରିଥିବାବେଳେ ଭଣ୍ଡାରିପୋଖରୀ ପ୍ରତିନିଧି ମନୋରଂଜନ ବାରିକ ସହଯୋଗ କରିଥିଲେ। ଭଦ୍ରକ ଜିଲା ମହୋତ୍ସବ କମିଟିର କର୍ମକର୍ତ୍ତାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳିତ ହୋଇଥିବାରୁ ଲୋକପ୍ରିୟ ସାଂସଦ ଶ୍ରୀ ମହତାବ ଭୂରି ଭୂରି ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.