Home ଜିଲ୍ଲା ପରିକ୍ରମା ଭଦ୍ରକରେ ନିରାଡମ୍ବର ଭାବେ ଇଦ-ଉଲ-ଯୋହା ପାଳିତ, ନିୟମ ମାନିଲେ, ମସଜିଦ୍‌ରେ ସମବେତ ହେଲେନି

ଭଦ୍ରକରେ ନିରାଡମ୍ବର ଭାବେ ଇଦ-ଉଲ-ଯୋହା ପାଳିତ, ନିୟମ ମାନିଲେ, ମସଜିଦ୍‌ରେ ସମବେତ ହେଲେନି

32

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ୟାଗ ଓ ବଳିଦାନର ପର୍ବ ହେଉଛି ଇଦ-ଉଲ-ଯୋହା । ଇଦ୍‌ର ଅର୍ଥ ଖୁସୀ, ଇସଲାମ୍ ଧର୍ମର ଶେଷ ମାସରେ ପାଳନ ହୁଏ ଇଦ-ଉଲ-ଯୋହା ପର୍ବ । ସମାଜରେ ବାସ୍ତବିକ୍ ଖୁସୀ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ନିମନ୍ତେ ଆମ ସଭିଙ୍କୁ ତ୍ୟାଗ ଓ ବଳିଦାନ କରିବାର ଆବଶ୍ୟକତା ଅଛି । ଯଦି ପ୍ରତ୍ୟେକ ମଣିଷ ଉପରୋକ୍ତ ବଳିଦାନ ପାଇଁ ଆଗଭର ହୁଅନ୍ତି, ତେବେ ସମାଜରେ ଶାନ୍ତି ଓ ଭାତୃତ୍ୱ ଭାବ ପ୍ରତିଷ୍ଠା ହୋଇପାରିବ ବୋଲି ଏହି ପର୍ବ ବାର୍ତ୍ତା ପ୍ରଦାନ କରିଥାଏ । ପ୍ରତ୍ୟେକ ବର୍ଷ ଏହି ପର୍ବ ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବାବେଳେ, ଭଦ୍ରକରେ ମଧ୍ୟ ଅନୁରୂପ ଢ଼ଙ୍ଗରେ ପାଳନ ହୋଇଥାଏ । କିନ୍ତୁ ଗତ ବର୍ଷ ଠାରୁ କ୍ରମାଗତ ଦ୍ୱିତୀୟ ବର୍ଷରେ ଏହି ପବିତ୍ର ପର୍ବ କରୋନା ସଂକ୍ରମଣ ପାଇଁ ସମ୍ପୂର୍ଣ୍ଣ ଫିକା ପଡ଼ିଛି । ଭଦ୍ରକ ପୌରାଞ୍ଚଳ କଦମବେଢ଼ାସ୍ଥିତ ଇଦ୍‌ଘା ଓ ପୁରୁଣାବଜାରସ୍ଥିତ ଜାମା ମସଜିଦ୍ ସମେତ କୌଣସି ମସଜିଦରେ ସମବେତ ପ୍ରାର୍ଥନା ଦେଖିବାକୁ ମିଳି ନାହିଁ । ତେଣୁ ଯେଉଁ ଇଦଘା ପଡ଼ିଆରେ ହଜାର ହଜାର ସଂଖ୍ୟାରେ ଇସଲାମ ଧର୍ମାବଲମ୍ବୀ ଏକତ୍ରିତ ହୋଇ ନମାଜ ପାଠ କରିଥାନ୍ତି, ସେହି ଜାଗା ଆଜି ପୁରା ଫାଙ୍କା ପଡ଼ିଥିଲା ।

ଅନୁରୂପ ସହରର ସମସ୍ତ ମସଜିଦ୍ ମଧ୍ୟ ଶ୍ରଦ୍ଧାଳୁଶୂନ୍ୟ ରହିଥିଲା । ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ସମସ୍ତ ସ୍ଥାନରେ କୋଭିଡ କଟକଣା ନିୟମାନୁଯାୟୀ ସ୍ଥାନୀୟ ମୌଲବୀଙ୍କ ସମେତ ୫ଜଣ ବ୍ୟକ୍ତି ସେଠାରେ ପହଞ୍ଚି ନମାଜ ପାଠ କରିଥିଲେ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପର୍ବ ଫିକା ପଡ଼ିଥିଲେ ମଧ୍ୟ କୌଣସି ବ୍ୟକ୍ତିବିଶେଷଙ୍କ ନିକଟରେ ଏଥି ନିମିତ୍ତ ସାମାନ୍ୟତମ ଅନୁଶୋଚନା ନାହିଁ ବୋଲି ସମାଜସେବୀ ତଥା ଜାମା ମସଜିଦ୍ କମିଟିର ସହ ସମ୍ପାଦକ ଶେଖ ଅନୱାର କହିଛନ୍ତି । ତେବେ ପୁରୁଣାବଜାର ଜାମା ମସଜିଦରେ ୮.୧୫ ଓ ଇଦଘା ମଇଦାନ ଠାରେ ୮.୩୦ରେ ନମାଜ ପାଠ ଅନୁଷ୍ଠିତ ହୋଇଥିଲା । ସେହିପରି ଛଡ଼ାକମହଲା, କାଜି ମହଲା, ବଡ଼ ଶଙ୍କରପୁର, ସାନଶଙ୍କରପୁର, ମିର୍ଜାପୁର, ଅଲାଲପୁର, ଦୁର୍ଗାପୁର, ଶେଖସାହି, ନଙ୍ଗାମହଲା, ହଜାରୀନଗର, ସାହାପୁର, ଏଲଖା, ଚରମ୍ପାସ୍ଥିତ ମସଜିଦରେ ମଧ୍ୟ ସେହି ଗୋଟିଏ ସମୟ ୮.୩୦ରେ ନମାଜ ପାଠ କରାଯାଇଥାଏ । କିନ୍ତୁ ପାରମ୍ପରିକ ରିତୀରେ ଏସମସ୍ତ ସ୍ଥାନରେ ନମାଜ ପାଠ କରାଯାଇଥିଲେ ମଧ୍ୟ କରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁମାନେ ସେଠାକୁ ଯାଇନଥିଲେ । ଭାଇଚାରର ସହର ଭଦ୍ରକରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ପରସ୍ପରର ପର୍ବକୁ ଯେପରି ଭାବେ ମିଳିମିଶି ପାଳନ କରନ୍ତି, ତାହା ଉଦାହାରଣ ହୋଇ ରହିଛି । ତେବେ ଆଜିର ଏହି ପବିତ୍ର ପର୍ବ ଅବସରରେ ବିଭିନ୍ନ ଦଳର ରାଜନେତା, ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଆରକ୍ଷୀ ଅଧିକ୍ଷକ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.