ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ପ୍ରକାଶ ଅବସରରେ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ଜିଲ୍ଲା ସଭାପତି ଓ ସମ୍ପାଦକମାନଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ରବିବାର ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ରବିବାର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇ ମୁକ୍ତ, ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତିମୂଳକ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ର ଉଦ୍ଦେଶ୍ୟ ଓ ପ୍ରମୁଖ ବୈଶିଷ୍ଟ୍ୟ ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇ କହିଥିଲେ ଯେ, ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିବା, ଅଯୋଗ୍ୟ ନାମ ବାଦ ଦେବା ଏବଂ ଭୋଟର ତାଲିକାକୁ ନିର୍ଭୁଲ ଓ ତ୍ରୁଟିମୁକ୍ତ କରିବା ଏହି ସଂଶୋଧନର ମୁଖ୍ୟ ଲକ୍ଷ୍ୟ। ବୈଠକରେ ସୂଚନା ଦିଆଯାଇଥିଲା ଯେ, ଭଦ୍ରକ ଜିଲ୍ଲାର ପାଂଟଟି ବିଧାନସଭା ନିର୍ବାଚନମଣ୍ଡଳୀର ଖସଡ଼ା ଭୋଟର ତାଲିକା ୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇଛି। ଏହି ତାଲିକା ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ସର୍ବସାଧାରଣ ଓ ରାଜନୈତିକ ଦଳମାନଙ୍କ ଅବଲୋକନ ପାଇଁ ଉପଲବ୍ଧ ରହିବ। ୫ ଜୁଲାଇରୁ ୪ ଅଗଷ୍ଟ ମଧ୍ୟରେ ମିଳୁଥିବା ସମସ୍ତ ଦାବି ଓ ଆପତିର ଯାଂଚ କରାଯାଇ ୨ ସେପ୍େଟମ୍ବର ୨୦୨୬ ସୁଦ୍ଧା ନିୟମାନୁଯାୟୀ ଶୁଣାଣି ପରେ ନିଷ୍ପତି ନିଆଯିବ। ଏଥିସହ ପ୍ରତିନିଧିମାନଙ୍କୁ ଭୋଟର ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହୋଇ ଭୋଟରମାନଙ୍କୁ ଖସଡ଼ା ଭୋଟର ତାଲିକାରେ ନିଜ ନାମ ଯାଂଚ କରି ଆବଶ୍ୟକ ହେଲେ ଦାବି କିମ୍ବା ଆପତି ଦାଖଲ କରିବାକୁ ପ୍ରେରିତ କରିବା ପାଇଁ ଅନୁରୋଧ କରାଯାଇଛି। ବୈଠକରେ ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପ ଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ, ଡେପୁଟି କଲେକଟର, ଇଲେକ୍ସନ ପ୍ରତିମା ନାୟକ ଓ ନିର୍ବାଚନ ଶାଖାର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ଖସଡ଼ା ଭୋଟର ତାଲିକା ପ୍ରକାଶ, ସ୍ୱଚ୍ଛ ଓ ନିର୍ଭୁଲ ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କ...







