Home ଜିଲ୍ଲା ପରିକ୍ରମା ଭଦ୍ରକକୁ ରେଳ ଡିଭିଜନ୍ ମାନ୍ୟତା ଦାବି ଜୋର ଧରିଲା

ଭଦ୍ରକକୁ ରେଳ ଡିଭିଜନ୍ ମାନ୍ୟତା ଦାବି ଜୋର ଧରିଲା

38

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକକୁ ରେଳ ଡିଭିଜନ୍ ମାନ୍ୟତା ପ୍ରଦାନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସର୍ବଦଳୀୟ ରାଜନୈତିକ ନେତୃବୃନ୍ଦଙ୍କ ମହଲରେ ଦାବି ଜୋର ଧରିଛି । ଏଥି ଉପଲକ୍ଷେ ଆଜି ସ୍ଥାନୀୟ ଅଭିନନ୍ଦନ ହୋଟେଲର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭଦ୍ରକର ବହୁ ବୁଦ୍ଧିଜୀବୀ ଓ ରାଜନୈତିକ ନେତୃବୃନ୍ଦ ଯୋଗ ଦେଇଥିଲେ । ସମାଜସେବୀ ଜନାବ ଉମର ଅଲ୍ଲୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ଗୌରଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷାବିତ୍ ଚନ୍ଦ୍ରଭାନୁ ନାୟକ ବିବରଣୀ ପାଠ କରିଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ଭଦ୍ରକକୁ ରେଳ ଡିଭିଜନ୍‌ର ମାନ୍ୟତା ପ୍ରଦାନ ନିମନ୍ତେ ଜୋରଦାର ଦାବି କରିବାର ନିଷ୍ପତ୍ତି ନିଆଯାଇଥିଲା । ବିଏନ୍‌ଆର ଠାରୁ ଆରମ୍ଭ କରି ପୂର୍ବତଟ ରେଳବାଇ ଜୋନ୍‌ର ସୃଷ୍ଟି ପର୍ଯ୍ୟନ୍ତ ଭଦ୍ରକ ଏକ ସର୍ବପୁରାତନ ରେଳଷ୍ଟେସନର ମାନ୍ୟତା ଲାଭ କରିଛି । ଭଦ୍ରକର ସ୍ୱଚ୍ଛ ଭିତ୍ତିଭୂମି, ୪୭୦ ଏକରରୁ ଅଧିକ ଷ୍ଟେସନ ସଂଲଗ୍ନ ରେଳବାଇ ଜମି, ଭଦ୍ରକର ଲୋକସେଡ୍‌, ବିସ୍ତୀର୍ଣ୍ଣ ରେଳବାଇ ପଡିଆ, ଆରପିଏଫ୍ ବ୍ୟାରେକ ଓ କାର୍ଯ୍ୟାଳୟ, ରେଳବାଇ ଇନ୍‌ଷ୍ଟିଚ୍ୟୁଟ, ପ୍ରଶସ୍ତ ଖୋଲାସ୍ଥାନ, କର୍ମଚାରୀଙ୍କ କ୍ୱାର୍ଟର, ଆଇଓଡବ୍ଲ୍ୟୁ ପିଡବ୍ଲ୍ୟୁଆଇ, ଚିଲେଡ୍ରନସ୍ ପାର୍କ ଭଳି ଭଦ୍ରକରେ ଉପଲବ୍ଧ ଥାଇ ଏହାକୁ ଡିଭିଜନ୍ ନକଲେ ଆଗାମୀ ଦିନରେ ଏହା ଏକ ବିରାଟ ଜନ ଆନ୍ଦୋଳନର ରୂପ ନେବ ବୋଲି ଉପସ୍ଥିତ ଥିବା ବୁଦ୍ଧିଜୀବୀମାନେ ମତପ୍ରଦାନ କରିଥିଲେ ।

ଏତଦ୍‌ବ୍ୟତୀତ ଜୋନ୍‌ରେ ସବୁଠାରୁ ଅଧିକ ଆର୍ଥିକ ଉପାର୍ଜନ ଭଦ୍ରକ ରେଳଷ୍ଟେସନରୁ ହୋଇଥାଏ । ଭଦ୍ରକରୁ ଧାମରା ରେଳଲାଇନ୍ ଆଭ୍ୟନ୍ତରୀଣ ଓ ବର୍ହିବାଣିଜ୍ୟରେ ଯଥେଷ୍ଟ ସହାୟତା କରିବା ସହ ଅର୍ଥ ଉପାର୍ଜନ କରାଇବାରେ ପ୍ରମୁଖ ଭୂମିକା ନେଉଛି । ଭଦ୍ରକର ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଥିବାରୁ ଏହାକୁ ରେଳ ଡିଭିଜନର ମାନ୍ୟତା ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବାକୁ ସ୍ଥିର କରାଯାଇଥିଲା । ଏହି ସଭାରେ ବରିଷ୍ଠ ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ପବନ କୁମାର ଶର୍ମା, ପରେଶ ନାୟକ, ନରେନ ପଲେଇ, ପ୍ରଫୁଲ୍ଲ ନାୟକ, ଶିଶିର ମିଶ୍ର, ଦିଲ୍ଲୀପ ନାୟକ, ଦେବେନ୍ଦ୍ର ମହାନ୍ତି, ସୁଧାକର ରାଉତ, ଜ୍ୟୋତିକାନ୍ତ ନାୟକ, ନିରଂଜନ ପାଣି, ଉତ୍ପଳକାନ୍ତି ଦାସ ଓ ସତ୍ୟରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ଏହି ଦାବିକୁ ଭଦ୍ରକର ସାଂସଦ ଓ ସମସ୍ତ ବିଧାୟକଙ୍କୁ ଅବଗତ କରାଯାଇ ଜନସଚେତନତା ସୃଷ୍ଟି କରାଯିବାକୁ ବୁଦ୍ଧିଜୀବୀମାନେ ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.