Home ଓଡ଼ିଶା ବ୍ୟାପକ ସ୍ତରରେ ଟୀକାକରଣ ଅଭିଯାନ ମାନବ ଇତିହାସରେ ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ

ବ୍ୟାପକ ସ୍ତରରେ ଟୀକାକରଣ ଅଭିଯାନ ମାନବ ଇତିହାସରେ ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ

35

• ନିରାପତ୍ତା ଓ ପ୍ରଭାବ ବିଷୟରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ହେବା ପରେ ମେଡ ଇନ ଇଣ୍ଡିଆ ଟୀକାଗୁଡ଼ିକୁ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ମିଳିଛି : ପ୍ରଧାନମନ୍ତ୍ରୀ

• ସମଗ୍ର ବିଶ୍ୱର ୬୦ପ୍ରତିଶତ ଶିଶୁ ମେଡ-ଇନ-ଇଣ୍ଡିଆ ଜୀବନରକ୍ଷାକାରୀ ଟୀକା ଗ୍ରହଣ କରିଥାନ୍ତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସର୍ବଭାରତୀୟ ସ୍ତରରେ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶର କୋଣ ଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ।

ପ୍ରଧାନମନ୍ତ୍ରୀ ଏହି ଟୀକାକରଣ ଅଭିଯାନର ବ୍ୟାପକତା ସମ୍ପର୍କରେ ଉଦାହରଣ ଦେଇ କହିଥିଲେ ଯେ, କେବଳ ପ୍ରଥମ ରାଉଣ୍ଡରେ ତିନି କୋଟି ଲୋକଙ୍କୁ ଟୀକା ଦିଆଯିବାର ଅର୍ଥ, ବିଶ୍ୱର ଅତିକମରେ ୧୦୦ଟି ଦେଶର ଜନସଂଖ୍ୟା ସହ ସମାନ ଲୋକଙ୍କର ଟୀକାକରଣ କରାଯିବା। ସେ କହିଥିଲେ ଯେ ଏହାକୁ ଦ୍ୱିତୀୟ ରାଉଣ୍ଡରେ ୩୦ କୋଟି ଲୋକଙ୍କ ପର୍ଯ୍ୟନ୍ତ ନିଆଯିବାର ଆବଶ୍ୟକତା ରହିଛି। ଏହି ପର୍ଯ୍ୟାୟରେ ବୟସ୍କ ଓ ପୂର୍ବରୁ କୌଣସି ଗମ୍ଭୀର ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଟୀକା ଦିଆଯିବ। ସେ କହିଥିଲେ ଯେ କେବଳ ତିନୋଟି ରାଷ୍ଟ୍ର-ଭାରତ, ଆମେରିକା ଓ ଚୀନରେ ୩୦ କୋଟିରୁ ଅଧିକ ଜନସଂଖ୍ୟା ଅଛନ୍ତି। ଏପରି ବ୍ୟାପକ ସ୍ତରର ଟୀକାକରଣ ଅଭିଯାନ ମାନବ ଜାତିର ଇତିହାସରେ କେବେ ବି ଦେଖିବାକୁ ମିଳିନାହିଁ ଏବଂ ଏହା ଭାରତର ସାମର୍ଥ୍ୟକୁ ଦର୍ଶାଇଥାଏ ବୋଲି ଶ୍ରୀ ମୋଦୀ କହିଥିଲେ।

ମେଡ଼-ଇନ-ଇଣ୍ଡିଆ (ଭାରତରେ ପ୍ରସ୍ତୁତ) ଟୀକା ସମ୍ପର୍କରେ ହେଉଥିବା ଗୁଜବ ଓ ଅପପ୍ରଚାରକୁ ବିଶ୍ୱାସ ନକରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ ଟୀକାର ନିରାପତ୍ତା ଏବଂ ପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବା ପରେ ଯାଇ ଏହି ଟୀକାଗୁଡ଼ିକୁ କେବଳ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି।

ଟୀକା ପ୍ରସ୍ତୁତ କରିଥିବା ଭାରତୀୟ ବୈଜ୍ଞାନିକ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଭାରତୀୟ ପ୍ରକ୍ରିୟା ଏବଂ ସଂସ୍ଥାଗତ ବ୍ୟବସ୍ଥା ସାରା ବିଶ୍ୱରେ ଯଥେଷ୍ଟ ବିଶ୍ୱସନୀୟତା ହାସଲ କରିଛି। ନିରନ୍ତରର ଭାବେ ଉନ୍ନତ ପରିଣାମ ମାଧ୍ୟମରେ ଏହି ବିଶ୍ୱାସ ଅର୍ଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ବିଶ୍ୱର ୬୦ ପ୍ରତିଶତ ଶିଶୁ ମେଡ଼-ଇନ-ଇଣ୍ଡିଆ ଜୀବନ ରକ୍ଷାକାରୀ ଟୀକା ଗ୍ରହଣ କରିଥାନ୍ତି ଏବଂ ଏହି ଟୀକାଗୁଡ଼ିକୁ ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା କଠୋର ପରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଅନୁମୋଦନ କରାଯାଇଥାଏ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମେଡ଼ ଇନ ଇଣ୍ଡିଆ କରୋନା ଟୀକା ଆସିବା ଫଳରେ ଭାରତୀୟ ଟୀକା ବିଶେଷଜ୍ଞତା ଏବଂ ଭାରତୀୟ ଟୀକା ବୈଜ୍ଞାନିକମାନଙ୍କ ପ୍ରତି ବିଶ୍ୱସନୀୟତା ଆହୁରି ସୁଦୃଢ଼ ହେବ। ଭାରତୀୟ ଟୀକା କେବଳ ଶସ୍ତା ନୁହେଁ ବରଂ ଏଗୁଡ଼ିକୁ ପରିଚାଳନା କରିବା ମଧ୍ୟ ଅତି ସହଜ। ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ବିଦେଶୀ ଟୀକାର ଗୋଟିଏ ଡୋଜ ୫ହଜାର ଟଙ୍କାରୁ ଅଧିକ ଏବଂ ସେଗୁଡ଼ିକୁ ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ହୋଇଥାଏ। ଅନ୍ୟପକ୍ଷରେ ଭାରତୀୟ ଟୀକାଗୁଡ଼ିକୁ ଏପରି ପ୍ରଯୁକ୍ତି ଉପରେ ଆଧାରିତ ଯାହା ଉପରେ ଭାରତରେ ଦୀର୍ଘ ବର୍ଷ ଧରି ଗବେଷଣା ଓ ପରୀକ୍ଷଣ କରାଯାଇଥାଏ। ସଂରକ୍ଷଣ ଠାରୁ ପରିବହନ ପର୍ଯ୍ୟନ୍ତ ଏହି ଟୀକାଗୁଡ଼ିକ ଭାରତର ପରିବେଶ ପାଇଁ ସର୍ବୋତ୍ତମ ଏବଂ ଏହା ଆମକୁ ଆମର କରୋନା ବିରୋଧୀ ଲଢ଼େଇରେ ନିର୍ଣ୍ଣାୟକ ବିଜୟ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ ଭାରତର କରୋନା ବିରୋଧୀ ଲଢ଼େଇକୁ ଆତ୍ମବିଶ୍ୱାସପୂର୍ଣ୍ଣ ଏବଂ ଆତ୍ମନିର୍ଭରଶୀଳ ବୋଲି ଅଭିହିତ କରିଥିଲେ। ପ୍ରତ୍ୟେକ ଭାରତୀୟଙ୍କର ଆତ୍ମବିଶ୍ୱାସ କେବେ ବି ଦୁର୍ବଳ ନହେବାର ଦୃଢ଼ସଂକଳ୍ପ ବିଷୟରେ ସେ ଉଲ୍ଲେଖ କରିଥିଲେ। ଦେଶରେ ଗୋଟିଏ କରୋନା ନମୁନା ପରୀକ୍ଷାଗାର ଠାରୁ ଆରମ୍ଭ କରି ୨୩୦୦ଟି ପରୀକ୍ଷାଗାର ପର୍ଯ୍ୟନ୍ତ ଏକ ନେଟୱର୍କ ବିକଶିତ କରିବା; ମାସ୍କ, ପିପିଇ କିଟ ଓ ଭେଣ୍ଟିଲେଟର ପ୍ରସ୍ତୁତିରେ ଆତ୍ମନିର୍ଭରଶୀଳ ହେବା ଠାରୁ ଆରମ୍ଭ କରି ବିଦେଶକୁ ରପ୍ତାନି କରିବାର କ୍ଷମତା ହାସଲ କରିବା ପର୍ଯ୍ୟନ୍ତ ଯାତ୍ରା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଟୀକାକରଣ ଅଭିଯାନ ସମୟରେ ଅନୁରୂପ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରିବା ଲାଗି ସେ ଦେଶବାସୀଙ୍କୁ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.