Home ଜିଲ୍ଲା ପରିକ୍ରମା ବ୍ଲକ୍ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପରେ ବି ମୁଗଗଡିଆ ସମେତ ୩ଟି ଗାଁ...

ବ୍ଲକ୍ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପରେ ବି ମୁଗଗଡିଆ ସମେତ ୩ଟି ଗାଁ ପୁନଶ୍ଚ ଜଳବନ୍ଦୀରେ

70

ଭଦ୍ରକ, ୫।୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁନଶ୍ଚ ଜଳାର୍ଣ୍ଣବ ହୋଇଯାଇଛି କେନ୍ଦୁଆପଦା ପଂଚାୟତର ମୁଗଗଡିଆ, କସଗଡିଆ ଓ ଗୋହିରାପଦୀ ଗ୍ରାମ। ୩ଟି ଗ୍ରାମର ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ପରିବାର ପୁଣି ଜଳଘେରରେ। ଘଟଣାରୁ ପ୍ରକାଶ ବୁଧବାରରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ଫଳରେ ରେବନଈର ଉଚ୍ଛୁଳା ଜଳ ପ୍ରବେଶ କରି ସ୍ଥାନେ ସ୍ଥାନେ ରାସ୍ତାରେ ଘାଇ ହୋଇ ପୁଣି ଏହି ୩ଟି ଗ୍ରାମ ବାହ୍ୟ ଜଗତ ଠାରୁ ବିଛିନ୍ନ ହୋଇ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କ୍ରମାଗତ ଲଘୁଚାପ ଜନିତ ବର୍ଷା କାରଣରୁ ଗତ ଅଗଷ୍ଟ ୧୯ ତାରିଖ ରାତିରେ ଏହି ଗ୍ରାମଟି ଜଳମଗ୍ନ ହୋଇଯାଇଥିଲା। ଅଗଷ୍ଟ ୨୦ ଏବଂ ୨୪ ରେ ଏଥି ସଂପର୍କରେ ଲଗାତର ଖବର ପ୍ରସାରଣ ପରେ ୨୭ ତାରିଖ ଦିନ ନିଜେ ବନ୍ତ ବିଡିଓ ବିକେବିଏମ୍ ରୋଡର ଗଣ୍ଡଗରା ଠାରୁ ପ୍ରାୟ ୧ କିମି ରାସ୍ତା ପାଦରେ ଚାଲି କ୍ଷେତ୍ର ପରିଦର୍ଶନ କରି ତାଙ୍କ ଦ୍ୱାରା ଯାହା ସମ୍ଭବ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୁନଶ୍ଚ ୩୦ ତାରିଖ ଦିନ ୩ଟି ଗ୍ରାମରୁ କିଛି ବ୍ୟକ୍ତି ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିବା ପରେ ବନ୍ତ ବିଡିଓ ପୂର୍ବରୁ ଏହି ରାସ୍ତାର ମରାମତି ପାଇଁ ଗଣ୍ଡଗରା ଠାରେ ଗଛିତ ଥିବା ୨ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଅନୁଯାୟୀ ବୋଲଡର ଓ ମହରମକୁ କଣ୍ଟ୍ରାକ୍ଟର ଜରିଆରେ କାମ କରାଇ ରାସ୍ତାରେ ଥିବା ଖାଲ ଗୁଡିକୁ କାମଚଳା ମୁତାବକ ପୋତାଇଥିଲେ ମଧ୍ୟ ଜଳ ନିଷ୍କାସନ ପାଇଁ ସୋଠ ବସାଯାଇନଥିଲା। ବୁଧବାର ଠାରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ଫଳରେ ରାସ୍ତାରେ ହୋଇଥିବା ଅସ୍ଥାୟୀ ପ୍ୟାଚ୍ ଧୋଇଯିବା ସଂଗେ ସଂଗେ ବିଭିନ୍ନ ସ୍ଥାନରେ ଘାଇ ହୋଇ ପୁନଶ୍ଚ ଏହି ୩ଟି ଗାଁକୁ ଜଳଘେରୀ ମଧ୍ୟରେ ବାହ୍ୟ ଜଗତ ଠାରୁ ବିଛିନ୍ନ କରିଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ପ୍ରକାଶ ଥାଉକି ଦୀର୍ଘ ୨୦ ବର୍ଷ ଧରି ଏହି ରାସ୍ତାର ସ୍ଥାୟୀ ନିର୍ମାଣ କାର୍ଯ୍ୟ କିମ୍ବା ମରାମତି ନହେବା କାରଣ ଓ ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ରୂପେ କରାଯାଇ ନପାରିଥିବାରୁ ପ୍ରତି ବର୍ଷ ବର୍ଷାଦିନେ ଲୋକେ ଏହିପରି ଜଳବନ୍ଦୀ ଅବସ୍ଥାରେ ନାହିଁନଥିବା ଦୁର୍ଦ୍ଦଶା ଭୋଗିଥାନ୍ତି। ଶହ ଶହ ଏକର ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ଏହି ରାସ୍ତାକୁ ସଠିକ୍ ଉଚ୍ଚତା ବିଶିଷ୍ଟ ସ୍ଥାୟୀ ଓ ମଜବୁତ ଭାବରେ ନିର୍ମାଣ ସହିତ ଆବଶ୍ୟକୀୟ ସ୍ଥଳେ ଜଳ ନିଷ୍କାସନ ପାଇଁ ସ୍ଥାୟୀ ଭାବରେ ସୋଠ ବସାଇବା ଓ ଆନୁସଙ୍ଗିକ ବ୍ୟବସ୍ଥା ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ୩ଟି ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.