Home ଅପରାଧ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସମ୍ପର୍କୀୟ ବୋହୂ ନିଖୋଜ, ପୋଲିସ ତଦନ୍ତ ଜାରି

ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସମ୍ପର୍କୀୟ ବୋହୂ ନିଖୋଜ, ପୋଲିସ ତଦନ୍ତ ଜାରି

332

ବଡ଼ବିଲ ,ତା ୧୦ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବୃଦ୍ଧାଙ୍କ ସାଙ୍ଗରେ ଯାଇଥିବା ସମ୍ପର୍କୀୟା ବୋହୂ ନିଖୋଜ ଥିବା ଜଣାପଡ଼ିଛି । ମୃତକ ଜଣଙ୍କ ଯୋଡ଼ା ଥାନା ଅଧିନସ୍ଥ ଲହଣ୍ଡା ମୁଣ୍ଡାସାହିର ବୁଦୁନି ମୁଣ୍ଡା(୭୦) ବୋଲି ଜଣାପଡିଛି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଡ଼କାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଯୋଡ଼ା ଥାନା ଲହଣ୍ଡା ମୁଣ୍ଡାସାହିର ବୁଦୁନି ମୁଣ୍ଡାଙ୍କ ସହ ତାଙ୍କ ସମ୍ପର୍କୀୟା ବୋହୂ ଏବଂ ତିନିଜଣ ଛୋଟ ଛୋଟ ନାତିନାତୁଣୀ ଏକାଠି ମିଶି ପାଖରେ ଥିବା ବଳିତା ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ତେବେ କିଛି ସମୟ ପରେ ସମ୍ପର୍କୀୟା ବୋହୂ ତିନିଜଣ ଛୁଆଙ୍କୁ ପାଣି ଆଣିବାକୁ ପଠାଇ ଦେଇଥିଲେ । ଛୁଆମାନେ ପାଣି ନେଇ ଫେରିବା ପରେ ଉଭୟଙ୍କୁ ଜଙ୍ଗଲରେ ଦେଖିବାକୁ ନପାଇ ଘରକୁ ଫେରିଆସିଥିଲେ । ଘରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସମସ୍ତ କଥା କହିଥିଲେ । ପରିବାର ଲୋକେ ଗତକାଲିଠାରୁ ବହୁତ ଖୋଜାଖୋଜି କରିବାପରେ ଆଜି ସକାଳେ ବଳିତା ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହକୁ ଠାବ କରିଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ବୃଦ୍ଧାଙ୍କୁ ନୃଶଂସ ଭାବେ ହତ୍ୟାକରି ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଇଛି । ବୃଦ୍ଧାଙ୍କର ସମ୍ପର୍କୀୟା ବୋହୂ ନିଖୋଜ ରହିଥିବାରୁ ହତ୍ୟା ପଛରେ ତାଙ୍କର ହାତ ଥିବ ବୋଲି ମୃତକଙ୍କ ପୁଅ ସାହେବ ମୁଣ୍ଡା ଅଭିଯୋଗ କରିଛନ୍ତି । ତେବେ ଏବେ ସୁଦ୍ଧା ସମ୍ପର୍କୀୟା ବୋହୂଙ୍କ କୋୖଣସି ଖୋଜଖବର ମିଳିପାରିନଥିବା ବେଳେ ପୋଲିସ ସମସ୍ତ ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଖୋଲତାଡ଼ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.