ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସଂସ୍କୃତି ହେଉଛି ଜାତିର ଜୀବନରେଖା ଓ ଲୋକବିଦ୍ୟା ହେଉଛି ତା’ର ମୂଳଭିତି। ମାଟିର ବାସ୍ନା, ପରମ୍ପରାର ସ୍ପର୍ଶ ଏବଂ ପୁରପଲ୍ଲୀରେ ପିଢ଼ିପିଢ଼ି ଧରି ବଂଚି ରହିଥିବା ଲୋକକଳା ହିଁ ଏକ ସମୃଦ୍ଧ ସମାଜର ପରିଚୟ। ମାଟିର ଐତିହ୍ୟକୁ ସାଉଁଟି ରଖିବା ଏବଂ ଆଧୁନିକତାର ଚକ୍ରବ୍ୟୂହ ମଧ୍ୟରେ ହଜିଯାଉଥିବା ଅମୂଲ୍ୟ ଲୋକବିଦ୍ୟାକୁ ପୁନର୍ଜୀବିତ କରିବା ଆଜିର ସମୟରେ ଅବଶ୍ୟମ୍ଭାବୀ ବୋଲି ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ପରିସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଚାଲୁଥିବା ବୈଶାଖୀ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି। ସମାଜସେବୀ ଇଂ. ଅଖିଳ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ବରଣ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ଯୋଗଦେଇ ଆମ ପାରମ୍ପରିକ ଲୋକବିଦ୍ୟା ହିଁ ଓଡ଼ିଶାର ପ୍ରକୃତ ପରିଚୟ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ରାଜକିଶୋର ସାହୁ ଯୋଗଦେଇ ଭଦ୍ରକ ଭୂମି କଳା, ସଂସ୍କୃତି ଓ ଐତିହ୍ୟର ପୀଠସ୍ଥଳୀ ଓ ଏଭଳି ମେଳା ଲୋକକଳାକୁ ଜୀବନ୍ତ ରଖିବା ଦିଗରେ ଅଗ୍ରଣୀ ଭୂମିକା ନେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି ଯୋଗଦେଇ ଓଡ଼ିଶାର କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅଧିବକ୍ତା ଗଦାଧର ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବସୁମିତ୍ରା ସାହୁ ମଂଚ ଆମନ୍ତ୍ରଣ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ରବିନାରାୟଣ ପଣ୍ଡା, ନାରାୟଣ ସାହୁ, ବିପ୍ଳବ ହୋତା, ଗୀତାରାଣୀ ଆଇଚ, ଅଧିବକ୍ତା ସଞ୍ଜୟ ମାଝୀ, ଲକ୍ଷ୍ମୀକାନ୍ତ ବାରିକ, ଡାକ୍ତର ଦୁର୍ଯୋଧନ ଦାସ, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, କବୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ଅଶୋକ ଦ୍ୱିବେଦୀ, ବାବୁଲାଲ ଦାସ,ପଦ୍ମନ ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶରତ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନେଶ୍ୱରର ‘ଆଦ୍ୟାଶକ୍ତି ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ବିଲୁପ୍ତପ୍ରାୟ ଲୋକବିଦ୍ୟାର ପୁନରୁଦ୍ଧାର ଓ ସଂରକ୍ଷଣ ଜରୁରି,ଭଦ୍ରକ ବୈଶାଖୀ ମେଳାର ଦ୍ୱିତୀୟ ସନ୍ଧ୍ୟା








