Home ଓଡ଼ିଶା ବିପଦ ସଙ୍କୁଳ ସ୍କୁଲ ଗୃହର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ବିପଦ ସଙ୍କୁଳ ସ୍କୁଲ ଗୃହର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

101

କେନ୍ଦୁଝର ୧୬-୧୦(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଦୀର୍ଘ ଦୁଇବର୍ଷହେଲା ସ୍କୁଲ ଛାତରୁ ଗଳୁଛି ପାଣି। ଖଣ୍ଡ ଖଣ୍ଡହୋଇ ଖସିପଡ଼ୁଛି ପରସ୍ତ ପରସ୍ତ ଛାତ। ବାରଣ୍ଡାରେ ବସୁଛନ୍ତି ଛାତ୍ରଛାତ୍ରୀ। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଯେତେ ଜଣାଇଲେ ବି କର୍ଣ୍ଣପାତ କରୁନାହାନ୍ତି କେହି। ଏହି ସମସ୍ୟାକୁ ନେଇ କେନ୍ଦୁଝର ପୌରପାଳିକା ଅଧିନ ବଣିଆପାଟ ସାହିବାସୀମାନେ ହୋଇଛନ୍ତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ। ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ସହରସ୍ଥ ବଣିଆପାଟ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୃହ ବିପଦ ସଙ୍କୁଳ ହୋଇପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ପାଠ ପଢି ଆସୁଛନ୍ତି। ବେଳେବେଳେ ଲୁହାରଡ଼ ସହ ପରସ୍ତ ପରସ୍ତ ଛାତ ଓହଳିପଡ଼ୁଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଆଶଙ୍କାଗ୍ରସ୍ତ ହୋଇପଡ଼ୁଛନ୍ତି। ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସୁଥିଲେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟିହେବାସହ ବର୍ଷାଦିନେ ପିଲାମାନଙ୍କ ପାଇଁ ପାଠପଢିବା ଅସମ୍ଭବ ହୋଇପଡ଼ୁଛି। ଶ୍ରେଣୀଗୃହ ଅଭାବରୁ କେତେକ ପିଲା ଅନ୍ୟ ସ୍କୁଲକୁ ଚାଲିଯିବା ସହ ସ୍ଥାନୀୟ ଅଭିଭାବକମାନେ ଗୃହର ସମସ୍ୟା ନେଇ ନିରାପଦ ମଣୁନାହାନ୍ତି। ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସ୍କୁଲ ପରିଚାଳନା କମିଟି ଏବଂ ସାହିବାସୀ ଅବଗତ କରାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ସୋମବାର ଦିନ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ଏହି ସ୍କୁଲ ଗୃହର ସମସ୍ୟା ତୁରନ୍ତ ସମାଧାନ ନହେଲେ ଛାତ୍ରଛାତ୍ରୀମାନେ ପାଠପଢାରୁ ବଞ୍ଚିତ ହେବେବୋଲି ସାହିବାସୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଷମା ନାଏକ, ସାହି ମୁରବି କାଳିଆ ହେମ୍ବ୍ରମ, ବୀରକିଶୋର ନାଏକ, ଗୌରୀ ପରିଆର, ଯେଗେନ୍ଦ୍ର ଜାଲିଆ, ରାଜକୁମାର ଲୋହାରଙ୍କ ସମେତ ଶତାଧିକ ସାହିବାସୀ ବିଦ୍ୟାଳୟ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.