Home ଉପ ନିର୍ବାଚନ ବିଜେଡି ନିର୍ବାଚନୀ ସଭାରେ ମହିଳାଙ୍କ ବିରୋଧ ପ୍ରସଙ୍ଗ : ଦଳୀୟ କର୍ମକର୍ତ୍ତାଙ୍କୁ ଘାରିଛି କୁନୁପଣ୍ଡା ଚିନ୍ତା

ବିଜେଡି ନିର୍ବାଚନୀ ସଭାରେ ମହିଳାଙ୍କ ବିରୋଧ ପ୍ରସଙ୍ଗ : ଦଳୀୟ କର୍ମକର୍ତ୍ତାଙ୍କୁ ଘାରିଛି କୁନୁପଣ୍ଡା ଚିନ୍ତା

55

ବାଲେଶ୍ୱର, ୨୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କର ପ୍ରାର୍ଥୀ ଓ କର୍ମୀମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଦୀର୍ଘଦିନ ଧରି ଅବହେଳାର ଶିକାର ହୋଇଥିବା ଭୋଟରମାନେ ବି ମୁହଁତୋଡ଼୍ ଜବାବ ଦେବାକୁ ପଛାଉ ନଥିବା ଲକ୍ଷ୍ୟ କରାଯାଇଛି। ଏମିତିକି ଅପରାଧିକ କାର୍ଯ୍ୟକଳାପ ଚଳାଇ ରଖିଥିବା କେତେକ କର୍ମୀଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ ଦଳୀୟ ନେତାଙ୍କୁ କେମିତି ଅପଦସ୍ତ ହେବାକୁ ପଡ଼ିଥାଏ, ତାହା ସଦର ନିର୍ବାଚନମଣ୍ଡଳୀର ବୁଆଁଳ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ ଓ ନିର୍ବାଚନୀ ସଭାରେ ବେଶ୍ ପ୍ରତିଫଳିତ ହୋଇଛି। ସଭାକାର୍ଯ୍ୟ ଚାଲିଥିବା ବେଳେ ମହିଳାମାନେ ଚିହିଁକି ଉଠିବା ସହିତ ଏହି ପଞ୍ଚାୟତରେ ଚାଲିଥିବା ବ୍ୟାପକ ମଦ କାରବାର ଓ ଅପରାଧିକ କାର୍ଯ୍ୟକଳାପକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ। ମଦ ବନ୍ଦ ନହେବା ପର୍ଯ୍ୟନ୍ତ ଭୋଟ ମାଗିବାକୁ ନ ଆସିବା ପାଇଁ ସେମାନେ ମଞ୍ଚାସୀନ ବିଜେଡି ନେତା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ ଓ ଜୀବନ ପ୍ରଦୀପ ଦାଶଙ୍କୁ ସଫା ସଫା କହିଥିଲେ। ରାଜନୀତି ନାଆଁରେ ଏହି ଅଞ୍ଚଳରେ ମଦର ବନ୍ୟା ଚାଲିଥିବା ବେଳେ ବିପଥଗାମୀ ଯୁବକମାନେ ଗୋଟିଏ ପରେ ଗୋଟିଏ ଅପରାଧିକ କାଣ୍ଡ ଘଟାଇ ଚାଲିଛନ୍ତି। ଖାସ୍ ଏହି କାରଣରୁ ଗତ ଅଗଷ୍ଟ ୩ ତାରିଖ ରାତିରେ ଏ ଅଞ୍ଚଳର ଯୁବକ ତପନ ପାତ୍ରର ମୃତ୍ୟୁ ହୋଇଯାଇଥିବା ମହିଳାମାନେ ସୂଚାଇ ଦେଇଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଅଦ୍ୟାବଧି ପୁଲିସ ଗିରଫ ନ କରିବାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ କରିଥିଲେ। ବାସ୍ତବରେ ମହିଳାମାନଙ୍କର ଏହି ବିରୋଧ ଯେ ସଭା ମଞ୍ଚରେ ଥିବା ସଦର ବ୍ଲକର ଦଳୀୟ ସଭାପତି ବସନ୍ତ ଓରଫ୍ କୁନୁପଣ୍ଡାଙ୍କ ଉଦ୍ଦେଶ୍ୟରେ ଥିଲା, ତାହାକୁ ବିଜେଡି ନେତାମାନେ ବେଶ୍ ଅନୁଭବ କରିପାରିଥିଲେ। କୁନୁପଣ୍ଡାଙ୍କ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ସଦର ନିର୍ବାଚନମଣ୍ଡଳୀର ବୁଆଁଳ ସମେତ ଆଖପାଖ ୫/୭ଟି ପଞ୍ଚାୟତର ଲୋକେ ଏକ ପ୍ରକାର ଅତିଷ୍ଟ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ବେଆଇନ୍ ନଦୀବାଲି ଚାଲାଣ, ଚୋରା ମଦ କାରବାରରୁ ଆୟ ଅର୍ଥରେ କୁନୁପଣ୍ଡା ସେ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ଦିଶାହୀନ ରାସ୍ତାକୁ ନେଇ ଯାଉଥିବା ସ୍ଥାନୀୟ ଲୋକେ ଆରୋପ ଉଠାଇଛନ୍ତି। ଏମିତିକି ଗତ ୩ ତାରିଖରେ ତାଙ୍କର ନେତୃତ୍ୱରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ତପନ ପାତ୍ରର ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ପରିବାର ଲୋକେ ଏତଲାରେ ଉଲ୍ଲେଖ ବି କରିଥିଲେ। ମାତ୍ର ବିଜେଡି ନେତାଙ୍କ ଚାପରେ ପଡ଼ି ପୁଲିସ ତାଙ୍କୁ ଗିରଫ ନ କରି ଚାର୍ଜସିଟ୍‌ରୁ ତାଙ୍କ ନାମ କାଟିଦେବାକୁ ଉଦ୍ୟମ କରିଥିବା ଏବେ ବୁଆଁଳ ଅଞ୍ଚଳର ଲୋକେ ଅଭିଯୋଗ କଲେଣି। ମୋଟ ଉପରେ କୁନୁପଣ୍ଡା ଏହି ଉପ-ନର୍ବାଚନରେ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ଜଣାପଡ଼ିଛି। ଏହି ପଞ୍ଚାୟତମାନଙ୍କରେ ବିଜେଡିର ଭୋଟ ହାର କମିବା ଆଶଙ୍କାରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଲାଣି। ଗୋଟିଏ ପଟରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ଏଠାକାର ଭୋଟରଙ୍କୁ ପ୍ରଭାବିତ କରିବାରେ ବିଜେଡି ବିଫଳ ହୋଇଥିବା ବେଳେ ଅନ୍ୟପକ୍ଷରେ ଆସନ୍ନ ନିର୍ବାଚନରେ କୁନୁପଣ୍ଡାଙ୍କୁ ଦଳରୁ ବହିଷ୍କାର କରିବା ବି ଦୂରୁହ ବ୍ୟାପାର ହୋଇଛି। ତ୍ରିଶଙ୍କୁ ଅବସ୍ଥାରେ ଦଳର ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନେ ଏବେ ହତବାକ୍ ହୋଇଯାଇଛନ୍ତି। ଫଳାଫଳ କ’ଣ ହେବ ସେଇଟା ତ ପରବର୍ତ୍ତୀ କଥା, ମାତ୍ର ବିଜେଡି ପାଇଁ କାର୍ଯ୍ୟ କରିବାକୁ ବଳଙ୍ଗ ନଦୀ ଆରାପାରି ଏହିସବୁ ପଞ୍ଚାୟତରେ ଏବେ କର୍ମୀ ଅଭାବ ଦେଖାଗଲାଣି। ସଦର ବ୍ଲକ ବିଜେଡିର ସଭାପତି ଥାଇ ଯାବତୀୟ ଅପରାଧିକ କାର୍ଯ୍ୟକଳାପ କରି ଚାଲିଥିବା ଶ୍ରୀ ପଣ୍ଡା ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘାତକ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଇଛି। ଏମିତିକି ୨୦୧୯ ସାଧାରଣ ନିର୍ବାଚନ ଭଳି ବିଜେଡି ପ୍ରାର୍ଥୀଙ୍କୁ ଏହି ଉପ-ନିର୍ବାଚନରେ ପୁଣି ଥରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ ବୋଲି ଏବେ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.