ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସନ୍ତୋଷ କୁମାର ନାୟକ ଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ନିଲମ୍ବନ କରିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ବେଳେ ଭୋଟର ତାଲିକା ସଂଶୋଧନରେ ବୁଥ ସ୍ତରୀୟ ଅଧିକାରୀ ବା ବିଏଲ୍ଓମାନଙ୍କ ଗୋପନୀୟ ଆଇଡି ଏବଂ ଓଟିପିର ଅନଧିକୃତ ବ୍ୟବହାର କରି ବେଆଇନ ଭାବେ ଫର୍ମ-୭ ଆବେଦନ ଅପଲୋଡ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପତ୍ର ସଂଖ୍ୟା ୫୯୭୬ ଅନୁଯାୟୀ, ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ନିଲମ୍ବନ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଓଡ଼ିଶା ଅସାମରିକ ସେବା ନିୟମାବଳୀ- ୧୯୬୨ର ଧାରା ୧୫ ଅନୁସାରେ ତାଙ୍କ ବିରୋଧରେ ଗୁରୁତର ଦଣ୍ଡବିଧାନ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଲାଗି ପ୍ରସ୍ତାବ ଓ ଦସ୍ତାବିଜ ତୁରନ୍ତ ଦେବାକୁ କୁହାଯାଇଛି। ଧାମନଗର ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ ବେଳେ ବେଆଇନ ଭାବେ ଫର୍ମ- ୭ ଦାଖଲ କରି ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିବାର ଅଭିଯୋଗ ଆସିଥିଲେ। ଏଥିଲାଗି ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ତାଙ୍କ ଅଧିନରେ ଥିବା ବୁଥ ସ୍ତରୀୟ ଅଧିକାରୀଙ୍କ ଲଗ୍ ଇନ୍ ଆଇଡି ଏବଂ ଓଟିପି ନେଇ ଏହି ଫର୍ମ- ୭ ବା ତାଲିକାରୁ ନାମ୍ ବାଦ୍ ଲାଗି ଆବେଦନ ପତ୍ର ଦାଖଲ କରିଥିଲେ। ଏ ସଂପର୍କରେ ବିଏଲ୍ଓମାନେ ଆପତି ଉଠାଇଥିଲେ। ଥାନାରେ ଏତଲା ମଧ୍ୟ ଦେଇଥିଲେ। ଘଟଣାକୁ ରାଜନୈତିକ ପ୍ରସଙ୍ଗ କରି ବିରୋଧୀ ବିଜୁ ଜନତା ଦଳ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ପରେ ରାଜ୍ୟ ବିଜୁ ଜନତା ଦଳ ପ୍ରତିନିଧି ଏହାକୁ ପ୍ରସଙ୍ଗ କରି ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଥିଲା। ଏହି ଅଭିଯୋଗ ଆଧାରରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ସେପ୍େଟମ୍ବର ୮ ତାରିଖରେ ନିଲମ୍ବନ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଙ୍କୁ ସୁପାରିଶ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଅଧସ୍ତନ ସଚିବ ଶକ୍ତିଶର୍ମା ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଥିବା ବେଳେ ଅତିରିକ୍ତ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନଗର ଉନ୍ନୟନ ବିଭାଗକୁ ପତ୍ର ଲେଖିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଏପରି ଅନିୟମିତତାକୁ ନେଇ ସ୍ଥାନୀୟ ପ୍ରଶାସନିକ ଓ ରାଜନୈତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।








