Home ଜିଲ୍ଲା ପରିକ୍ରମା ବାହାବଳପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଡାକ୍ତରଙ୍କ ବିଳମ୍ବିତ ଆଗମନ ଅଭିଯୋଗ,ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାରା ଔଷଧ ବଂଟନ...

ବାହାବଳପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଡାକ୍ତରଙ୍କ ବିଳମ୍ବିତ ଆଗମନ ଅଭିଯୋଗ,ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାରା ଔଷଧ ବଂଟନ ନେଇ ପ୍ରଶ୍ନ

2

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବାହାବଳପୁରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଡାକ୍ତର ନିୟମିତ ଭାବେ ବିଳମ୍ବରେ ଆସୁଥିବା ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଡାକ୍ତର ପ୍ରତିଦିନ ପ୍ରାୟ ସକାଳ ୧୧.୩୦ଟା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚୁଥିବାରୁ ସକାଳୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଅଭିଯୋଗ ଅନୁସାରେ, ବୃଦ୍ଧ, ମହିଳା ଓ ଶିଶୁ ରୋଗୀମାନେ ଏହା ଯୋଗୁଁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ରୋଗୀମାନଙ୍କୁ ଔଷଧ ବଂଟନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଯଦି ଏପରି ଭାବେ ଔଷଧ ବଂଟନ ସମୟରେ କୌଣସି ଅଘଟଣ କିମ୍ବା ଭୁଲ ଚିକିତ୍ସାଜନିତ ସମସ୍ୟା ସୃଷ୍ଟି ହୁଏ, ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସରକାର ଗ୍ରାମାଂଚଳରେ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକରୀ କରୁଥିବା ବେଳେ, ବାହାବଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭିଯୋଗ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ଏହି ସମସ୍ତ ଅଭିଯୋଗର ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନିରପେକ୍ଷ ତଦନ୍ତ କରି ପ୍ରକୃତ ଘଟଣାର ସତ୍ୟାସତ୍ୟ ଯାଂଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.