Home ଜିଲ୍ଲା ପରିକ୍ରମା ବାଲେଶ୍ୱର ବିକାଶ ଦାବିରେ ଛାତ୍ର କଂଗ୍ରେସର କମ୍ପନ ପଦଯାତ୍ରା

ବାଲେଶ୍ୱର ବିକାଶ ଦାବିରେ ଛାତ୍ର କଂଗ୍ରେସର କମ୍ପନ ପଦଯାତ୍ରା

27

ବାଲେଶ୍ୱର, ୫ା୨ (ଓଡ଼ିଆ ପୁଅ/ଅଭୟ ଦାସ) : ଅବହେଳିତ ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି କମ୍ପନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସହରର ଗାନ୍ଧୀସ୍ମୃତି ଭବନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ (ଏନଏସୟୁଆଇ)ର ଓଡ଼ିଶା ସଭାପତି ୟାସିର ନୱାଜ, ରାଜ୍ୟ ସମ୍ପାଦକ ନରୋସନ ଲାଲଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ଜିଲ୍ଲା ଯୁବକଂଗ୍ରେସ ସଭାପତି ରଂଜନ ଦାସ, ସମ୍ପାଦକ ଭବାନୀ ମହାଳିକ, ଗୌତମ ସାହୁ, ସଦର କଂଗ୍ରେସ ମମତା କୁଣ୍ଡୁ, କଂଗ୍ରେସ ର ବରିଷ୍ଠ ନେତ୍ରୀ ଅଚ୍ଚର୍ନ ନନ୍ଦୀ ପ୍ରମୁଖ ଯୋଗଦେଇ ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ବିକାଶରେ ରାଜ୍ୟ ସରକାରଙ୍କ ଅବହେଳାକୁ ତୀବ୍ର ସମାଲୋଚନା କରିଥିଲେ। ତେବେ ସଂସ୍କୃତି ସମ୍ପନ୍ନ ବାଲେଶ୍ୱର ଜିଲ୍ଲା ସମ୍ପ୍ରତି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି ବୋଲି ସେମାନେ କହିଥିଲେ। ନିଯୁକ୍ତି ନପାଇ ଶିକ୍ଷିତ ଯୁବଗୋଷ୍ଠୀ ବାଟବଣା ହେବାରେ ଲାଗିଛନ୍ତି। ଚାଷୀଙ୍କ ସ୍ୱାର୍ଥରକ୍ଷା ଦିଗରେ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ତେବେ ଉତ୍ତର ଓଡ଼ିଶାର ବ୍ୟବସାୟିକ ପ୍ରାଣକେନ୍ଦ୍ର ଭାବେ ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା, ଫକୀର ମୋହନ ସରକାରୀ ମେଡିକାଲ କଲେଜ ଗେଟ୍ ସମ୍ମୁଖରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ରୋକିବା, ବାଲେଶ୍ୱରରେ ଏକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଓ କୃଷକଙ୍କ ବିରୋଧରେ ଯାଉଥିବା କଳା କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବକ୍ତାମାନେ ଦାବି କରିଥିଲେ। ଏହି ଅବସରେ ଛାତ୍ରକଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଛାତ୍ର ଓ ଯୁବ କଂଗ୍ରେସର ବହୁ ସଦସ୍ୟ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.