Home ଜିଲ୍ଲା ପରିକ୍ରମା ଧାନ କିଣା ଅନିୟମିତତାକୁ ନେଇ ପୂର୍ବତନ ବିଧାୟକଙ୍କ ଉଦବେଗ: କେନ୍ଦ୍ର ସରକାରଙ୍କ ଅରୁଆ ନୀତି ବିରୋଧରେ...

ଧାନ କିଣା ଅନିୟମିତତାକୁ ନେଇ ପୂର୍ବତନ ବିଧାୟକଙ୍କ ଉଦବେଗ: କେନ୍ଦ୍ର ସରକାରଙ୍କ ଅରୁଆ ନୀତି ବିରୋଧରେ ମିଳିତ ଆନ୍ଦୋଳନ ପାଇଁ ଆହ୍ୱାନ

19

ବାଲେଶ୍ୱର, ୫ା୨ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ। ଧାନ ସଂଗ୍ରହରେ ଚାଷୀଙ୍କ ସ୍ୱାର୍ଥରକ୍ଷା ପରିବର୍ତ୍ତେ ସମ୍ପ୍ରତି ମିଲରଙ୍କ ଫାଇଦାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଶ୍ରୀ ଦେ ଅୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଆରୋପ ଉଠାଇଛନ୍ତି। ଧାନ ସଂଗ୍ରହ ସମୟ ଅବଧି ଶେଷ ହବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଚାଷୀ ଧାନ ବିକ୍ରି କରିପାରିଛନ୍ତି। ବାକି ୬୦ ପ୍ରତିଶତ ଚାଷୀଙ୍କ ଧାନ ଏବେ ବିଭିନ୍ନ ସମବାୟ ସମିତିମାନଙ୍କରେ ପଡ଼ିରହିଛି। କେବଳ ଭଲ ଅରୁଆ ଚାଉଳ ହୋଇପାରୁଥିବା ଧାନ ନେବାକୁ ମିଲରମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଅନ୍ୟପକ୍ଷରେ ଟୋକନ ପାଇନଥିବା ଚାଷୀଙ୍କଠାରୁ ମିଲରମାନେ କ୍ୱିଣ୍ଟାଲ ପ୍ରତି ମାତ୍ର ହଜାରେ ଟଙ୍କାରେ ଧାନ କିଣୁଥିବା ଏବେ ଚାଷୀମହଲରୁ ଶୁଣିବାକୁ ମିଳୁଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ଦେ କହିଛନ୍ତି। କେନ୍ଦ୍ର ସରକାରଙ୍କ ଚଳିତ ବର୍ଷର ଅରୁଆ ନୀତି ଯୋଗୁଁ ଓଡ଼ିଶାର ଚାଷୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ତେବେ ଚାଷୀଙ୍କ ପ୍ରକୃତ ସମସ୍ୟା ସମାଧାନ କରିବା ପରିବର୍ତ୍ତେ କେବଳ ଚର୍ଚ୍ଚାରେ ରହିବାକୁ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ବଭିନ୍ନ ମଣ୍ଡିକୁ ଯାଇ ଧାନ ସଂଗ୍ରହକାରୀଙ୍କ ଉପରେ ଜୁଲମ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ମନ୍ତ୍ରୀ ନିଜ ଜିଲ୍ଲାରେ ପହିଲମାନ ସାଜି କାହାକୁ ଗାଳିଗୁଲଚ କରୁଛନ୍ତି ତ କାହାକୁ ପୁଣି ମାଡ଼ ମାରିବାର ଧମକ ଦେଉଛନ୍ତି। ମାତ୍ର ଦିଲ୍ଲୀରେ ଚାଷୀଙ୍କ ସ୍ୱାର୍ଥରକ୍ଷା ଦିଗରେ ମୁହଁ ନଖୋଲି ରାମଭକ୍ତ ହନୁମାନ ସାଜୁଛନ୍ତି। ଧାନ କିଣିବା ପାଇଁ କେନ୍ଦ୍ର ସରକାର ଟଙ୍କା ନ ଦେଇ କେବଳ ଅରୁଆ ଚାଉଳ କିଣିବାକୁ ଜିଦ୍ ଧରିଥିବା ବେଳେ ବାଲେଶ୍ୱର ସାଂସଦ ଚୁପ ରହୁଛନ୍ତି କାହିଁକି ବୋଲି ଶ୍ରୀ ଦେ ପ୍ରଶ୍ନ କରିଛନ୍ତି। ଧାନ କିଣିବା ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉନଥିବା ବେଳେ ରାଜ୍ୟ ଫାଇନାନ୍ସ ସଚିବ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି। ଏଭଳି ସ୍ଥିତିରେ ଚାଷୀଙ୍କ ସ୍ୱାର୍ଥରକ୍ଷା ଦିଗରେ ଦଳମତ ନିର୍ବିଶେଷରେ ମୁହଁ ଖୋଲିବାର ବେଳ ଆସିଛି। କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ସମସ୍ତେ ଏକଜୁଟ ହୋଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଶ୍ରୀ ଦେ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ତଥା ଶ୍ରୀ ଦେଙ୍କ ସହଯୋଗୀ ବିଷ୍ଣୁ ପ୍ରସାଦ ମହାନ୍ତି, ରଂଜନ ବାଗ ଓ ଶାନ୍ତନୁ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.