Home ଜିଲ୍ଲା ପରିକ୍ରମା ବାଲେଶ୍ୱର ଜିଲ୍ଲା ପରିଷଦ ବୈଠକ – ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିଷ୍ପତି

ବାଲେଶ୍ୱର ଜିଲ୍ଲା ପରିଷଦ ବୈଠକ – ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିଷ୍ପତି

16

ବାଲେଶ୍ୱର, ୭ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର ପଂଚମ ଜିଲ୍ଲା ପରିଷଦର ଏକାଦଶ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ଏଥିରେ ସଭାପତିତ୍ୱ କରି ବୈଠକକୁ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବିଭିନ୍ନ ବିଷୟ ସମ୍ପର୍କରେ ସୂଚନା ଦେଇଥିଲେ। କେନ୍ଦ୍ର ପଶୁପାଳନ, ଦୁଗ୍ଧ ପ୍ରକ୍ରିୟାକରଣ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ସୋର ବିଧାୟକ ପର୍ଶୁରାମ ଧଡା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ଉପ-ସଭାପତି ଗୌରାଙ୍ଗ ଚନ୍ଦ୍ର ପାଢୀ, ଭଦ୍ରକ ସାଂସଦ ପ୍ରତିନିଧି ଅଶ୍ୱିନୀ ମହାପାତ୍ର, ଜଳେଶ୍ୱର ବିଧାୟକ ପ୍ରତିନିଧି ମାନସ ଜେନା, ପିଡି, ଡିଆରଡିଏ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଏଜେଣ୍ଡାୱାରୀ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଦିବଂଗତ ୩୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସ୍ୱର୍ଗତଃ ସର୍ବେଶ୍ୱର ନାୟକ ଏବଂ ୧୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସ୍ୱର୍ଗତଃ ତ୍ରିଲୋଚନ ବେହେରାଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହିତ ନବ ନିର୍ବାଚିତ ସଦର ବିଧାୟକ ସ୍ୱରୂପ କୁମାର ଦାସ ଏବଂ ପିଡି, ଡିଆରଡିଏ ରବୀନ୍ଦ୍ର କୁମାର ସାହୁଙ୍କୁ ଗୃହ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ପୂର୍ବ ବୈଠକର ବିବରଣୀ ସମ୍ବନ୍ଧରେ ସମ୍ୟକ ଆଲୋଚନା ସହ ତୃଣମୂଳ ସ୍ତରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସହିତ ବିକାଶକୁ କିଭଳି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ମତ ଉପସ୍ଥାପନ କରିଥିଲେ। କରୋନା ମହାମାରୀ ସମୟରେ ଜିଲ୍ଲାର ସାମଗ୍ରିକ ବିକାଶ ଧିମେଇ ଯାଇଥିବା ବେଳେ ଏବେ ବିକାଶର ଧାରାକୁ କିଭଳି ଦ୍ରୁତ ଗତିରେ ଆଗେଇ ନେଇ ହେବ ତାହା ଉପରେ ଧ୍ୟାନ ଦେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବଗୁଡିକୁ ଅନୁମୋଦନ କରାଯାଇ କାର୍ଯ୍ୟ ଆରମ୍ଭ ପାଇଁ ଗୃହରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାର ପ୍ରତି ବ୍ଲକରେ ରାସ୍ତା ତିଆରି ପାଇଁ କେଉଁ ନିୟମ ଆଧାରରେ ପ୍ରକଳ୍ପ କାମ ହାତକୁ ନିଆଯାଇଛି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଦସ୍ୟମାନଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପ ଭାବେ ହସ୍ତାନ୍ତରଣ ପାଣ୍ଠିର ବିନିଯୋଗ ନିମନ୍ତେ ମାର୍ଗଦର୍ଶିକା ତଥା ପ୍ରକଳ୍ପ ଅନୁମୋଦନ ସମ୍ବନ୍ଧୀରେ ଏହି ବୈଠକରେ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.