Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଭର୍ଚୁଆଲ ସୁନାମି ମକଡ୍ରିଲ

ବାଲେଶ୍ୱରରେ ଭର୍ଚୁଆଲ ସୁନାମି ମକଡ୍ରିଲ

43

ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଇଣ୍ଡିଆନ ନ୍ୟାସନାଲ ସେଂଟର ଫର ଓସେନ ଇନଫରମେସନ ସର୍ଭିସେସ (ଇନକଏସ), ହାଇଦ୍ରାବାଦ ଆନୁକଲ୍ୟୂରେ ଏକ ଭର୍ଚୁଆଲ ସୁନାମୀ ମକଡ୍ରିଲ ଆଜି ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସୁନାମୀ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତିର ତର୍ଜମା କରିବା ଲକ୍ଷ୍ୟ ନେଇ ଏହି ମକଡ୍ରିଲ ଆୟୋଜିତ ହୋଇଥିଲା। ଏହି ମକଡ୍ରିଲରେ ବାଲେଶ୍ୱର ଜିଲ୍ଲାର ୫ଟି ଉପକୂଳବର୍ତ୍ତୀ ବ୍ଲକ, ବାହାନଗା, ବାଲିଆପାଳ, ଭୋଗରାଇ, ରେମୁଣା ଓ ବାଲେଶ୍ୱର ସଦରର ୬୩ଟି ସୁନାମୀ ବିପଦସଙ୍କୁଳ ଗ୍ରାମର ବିପର୍ଯ୍ୟୟ କମିଟି ସଦସ୍ୟମାନଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସମ୍ଭାବ୍ୟ ସୁନାମୀ ପାଇଁ ସତର୍କ ରହିବା ସହିତ ଏଥି ନିମନ୍ତେ ଜନସଚତେନତା ସୃଷ୍ଟି କରିବା, ଜରୁରୀ ଯୋଗାଯୋଗ ବ୍ୟବସ୍ଥାକୁ ସଶକ୍ତ କରିବା, ଉପଯୁକ୍ତ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବା ତଥା ତଲାସୀ ଅଭିଯାନ ଏବଂ ଉଦ୍ଧାର କାର୍ଯ୍ୟକୁ ଉପଯୁକ୍ତ ଢଙ୍ଗରେ ପରିଚାଳନା କରିବା ଉପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଭିଡିଓ କନଫରେନ୍ସିଂ ଜରିଆରେ ସୂଚନା ଦେଇଥିଲେ। ସୁନାମୀର କାରଣ ଏବଂ ଏହି ସମୟରେ ସୃଷ୍ଟି ହେଉଥିବା ଉଚ୍ଚ ଜୁଆର ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଥିବା ବେଳେ ଉପଯୁକ୍ତ ପ୍ରସ୍ତୁତି ଦ୍ୱାରା ହିଁ ଧନଜୀବନ ହାନୀକୁ ରୋକାଯାଇପାରିବ ବୋଲି ଶ୍ରୀ ଜେନା କହିଥିଲେ। ବାଲେଶ୍ୱର ଜିଲ୍ଲାର ୫ଟି ଉପକୂଳବର୍ତ୍ତୀ ବ୍ଲକରେ ଥିବା ୨୮ଗୋଟି ସାଇରନ ଟାୱାର ମଧ୍ୟରୁ ୧୮ଗୋଟି ଟାୱାରରେ ସାଇରନ ବଜାଯାଇ ଜନସାଧାରଣଙ୍କୁ ସତର୍କ କରାଯାଇଥିଲା। ଏହି ଅବସରରେ ଇଣ୍ଡିଆନ ଓସେନ ସୁନାମୀ ରେଡି ଭିଲେଜ ଭାବେ ଚୟନ କରାଯାଇଥିବା “ଜୟଦେବକସବା ପାହି” ଗ୍ରାମରେ ସ୍ୱତନ୍ତ୍ର ଡ୍ରିଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଉକ୍ତ ଗ୍ରାମର ସରପଂଚ ପ୍ରଶାନ୍ତ କୁମାର ନାୟକ ଏବଂ ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ କାଳୀପଦ ସାସମଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋରଂଜନ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ଡ୍ରିଲ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡ୍‌ରେ କୋଭିଡ ନିୟମାବଳୀର ଅନୁପାଳନ ସହ ସମ୍ପାଦନ କରାଯାଇଥିଲା। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅରୁଣା ତ୍ରିପାଠୀ, ୫ଟି ସୁନାମୀ ପ୍ରବଣ ବ୍ଲକର ବିଡିଓ, ୟୁନଡିପିର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗୋପାଳ ବାରିକ୍ ପ୍ରମୁଖ ଉପସ୍ଥିତ ଥିବା ବେଳେ ଓସଡାମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.