Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ୨୧ରୁ

ବାଲେଶ୍ୱରରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ୨୧ରୁ

68

ବାଲେଶ୍ୱର, ୨୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା୨୧ତାରିଖରୁ ବାଲେଶ୍ୱର ଜିଲ୍ଲାରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି କ୍ରମରେ ଜିଲ୍ଲାର ସମସ୍ତ ୧ରୁ ୧୯ ବର୍ଷ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ। ଏ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କୃମି ଯୋଗୁଁ ଶିଶୁ ରକ୍ତହିନତା ଏବଂ ଅପପୁଷ୍ଟି ଜନିତ ରୋଗରେ ସଂକ୍ରମିତ ହେଉଥିବା ବେଳେ ତାର ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ। ତେଣୁ ସମସ୍ତ ଶିଶୁଙ୍କୁ କୃମିନାଶକ ଔଷଧ ଯେପରି ଦିଆଯାଇପାରିବ, ସେଥିନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍କୁଲ ଓ ଗଣଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟ କର୍ମୀ ମାନେ ପ୍ରତ୍ୟେକ ଘରକୁ ଯାଇ ସମସ୍ତ ପିଲାମାନଙ୍କୁ(୧-୧୯ବର୍ଷ) କୃମିନାଶକ ଔଷଧ(ଆଲବେଣ୍ଡାଜୋଲ) ଖୁଆଇବେ। ଗୃହ ପରିଦର୍ଶନ ସମୟରେ ନିଜର ମୁଖକୁ ମାସ୍କ ଦ୍ୱାରା ସମ୍ପୂର୍ଣ୍ଣ ଆବୃତ ରଖିବା ସହ ସମସ୍ତ ପରିବାର ସଦସ୍ୟ ମାସ୍କ ପିନ୍ଧିବା କଥାକୁ ସୁନିଶ୍ଚିତ କରିବେ। ସମସ୍ତଙ୍କ ଠାରୁ ୬ଫୁୁଟ ଶାରୀରିକ ଦୂରତା ବଜାୟ ରଖିବା ସହିତ ଟାବଲେଟ ଦେବା ପୂର୍ବରୁ ହାତକୁ ପାଣି ଓ ସାବୁନ ଦ୍ୱାରା ଭଲ ଭାବରେ ଧୋଇବେ କିମ୍ବା ସାନିଟାଇଜ କରିବେ। କୃମିନାଶକ ଔଷଧ ଦେବା ପୂର୍ବରୁ ଗୃହର ସଦସ୍ୟମାନଙ୍କ ସମ୍ବନ୍ଧରେ ଯାଂଚ କରିବେ। ଯଦି କୌଣସି କୋଭିଡ-୧୯ ରୋଗୀ ଘରେ ଥିବେ କିମ୍ବା କୌଣସି ସଦସ୍ୟଙ୍କର କୋଭିଡ-୧୯ ଲକ୍ଷଣ ଥିବ ତେବେ ସେହି ଘରେ କୃମିନାଶକ ଔଷଧ ଦେବା କାର୍ଯ୍ୟକ୍ରମ ବନ୍ଦ କରି ବ୍ଲକ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବେ। ସେହିପରି ଯେଉଁ ପିଲା ଅସୁସ୍ଥ ଥିବେ କିମ୍ବା ଅନ୍ୟ ଔଷଧ ସେବନ କରୁଥିବେ ସେମାନଙ୍କୁ କୃମିନାଶକ ଔଷଧ ଦିଆ ନ ଯାଇ ସୁସ୍ଥ ହେବା ପରେ ଦିଆଯିବାକୁ କୁହାଯାଇଛି। କେତେକ କ୍ଷେତ୍ରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ୧୦୨ ଆମ୍ବୁଲାନ୍ସକୁ ଡାକିବା ବା ୧୦୮କୁ କଲ କରିବାକୁ ପରାମର୍ଶ ଦିଆଯାଇଛି। ୧ବର୍ଷରୁ ୩ ବର୍ଷ ବୟସ ମଧ୍ୟରେ ଥିବା ଶିଶୁମାନଙ୍କୁ କୃମିନାଶକ ଦ୍ରବଣ (ସିରପ) ଦିଆଯିବାକୁ ଥିବା ବେଳେ ୩ ବର୍ଷରୁ ୧୯ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ କୃମିନାଶକ ବଟିକା ଚୋବାଇ ଖାଇବାକୁ ଦିଆଯିବ। ଜିଲ୍ଲାରେ ୬ ଲକ୍ଷ ୩୭ହଜାର ୫୬୫ ପିଲାଙ୍କୁ କୃମିନାଶକ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏତଦ୍ ବ୍ୟତୀତ ନିଜ ପରିବେଶକୁ ନିର୍ମଳ ରଖିବା, ବାହାରେ ମଳତ୍ୟାଗ ନ କରିବା, ଫଳ ଓ ପନିପରିବାକୁ ତ୍ସା ପାଣିରେ ଧୋଇବା, ନଖ ପରିଷ୍କାର ରଖିବା ଏବଂ ଖାଇବା ପୂର୍ବରୁ ଓ ଶୌଚ ପରେ ହାତ ଧୋଇବା ପାଇଁ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ଦୁଲାଳ ସେନ ଜଗଦ୍ଦେବ ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଏହାର ପରିଚାଳନା କରିବେ। ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଯେପରି ସମ୍ପୂର୍ଣ୍ଣ ସଫଳ ହୋଇପାରିବ ସେଥି ନିମନ୍ତେ ସବୁ ସ୍ତରରେ ଉଦ୍ୟମ କରିବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.