Home ଜିଲ୍ଲା ପରିକ୍ରମା ବାଲେଶ୍ୱରବାସୀଙ୍କ ହକ୍ ପାଇଁ ଲଢ଼େଇ ପ୍ରସ୍ତୁତି : ପ୍ରତିଷ୍ଠା ହେଲା ଯୁବ ସଂଗଠନ‘ବାଲେଶ୍ୱର ଲୋକ ମୋର୍ଚ୍ଚା’

ବାଲେଶ୍ୱରବାସୀଙ୍କ ହକ୍ ପାଇଁ ଲଢ଼େଇ ପ୍ରସ୍ତୁତି : ପ୍ରତିଷ୍ଠା ହେଲା ଯୁବ ସଂଗଠନ‘ବାଲେଶ୍ୱର ଲୋକ ମୋର୍ଚ୍ଚା’

63

ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ଜିଲ୍ଲାର ବିଭିନ୍ନ କ୍ଷେତ୍ର ଦେଖାଦେଇଥିବା ବିପର୍ଯ୍ୟସ୍ଥ ଅବସ୍ଥା ସାଙ୍ଗକୁ ଜନସାଧାରଣଙ୍କ ସମସ୍ୟା ସମାଧାନ ଓ ଜିଲ୍ଲାବାସୀଙ୍କ ଅକ୍ ଆଦାୟର ଆଭିମୁଖ୍ୟ ନେଇ ଅନ୍ୟଏକ ଯୁବ ସଂଗଠନ ‘ବାଲେଶ୍ୱର ଲୋକ ମୋର୍ଚ୍ଚା’ ଆଜି ପ୍ରତିଷ୍ଠା ହୋଇଛି। ଯୁବନେତା ବିକ୍ରମ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ନବ ଗଠିତ ବାଲେଶ୍ୱର ଲୋକ ମୋର୍ଚ୍ଚାର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ଗୋଷ୍ଠୀ, ବର୍ଣ୍ଣ ଓ ଦଳ ଭିତ୍ତିକ ମାନସିକତାରୁ ଊର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ମୌଲିକ ସମସ୍ୟା ସମାଧାନକୁ ଏହି ସଂଗଠନ ଆଗ୍ରାଧିକାର ଦେବ ବୋଲି ଆବାହକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ ପ୍ରଭୃତି ଅବସ୍ଥାର ସୁଧାର ପାଇଁ ଗଣତାନ୍ତ୍ରିକ ଉପାୟରେ ଏହି ସଂଗଠନ ତା’ର ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ବିଶେଷ କରି ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ଉଦ୍ଦେଶ୍ୟରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଏମ୍ସ ସେଟଲାଇଟ ସେଣ୍ଟର ଓ ଉନ୍ନତମାନର ହସପିଟାଲ ପ୍ରତିଷ୍ଠା ପ୍ରକଳ୍ପର ମନ୍ଥରତାକୁ ନେଇ ସଂଗଠନର କର୍ମକର୍ତ୍ତାମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏନେଇ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ନିର୍ବାଚିତ ଲୋକପ୍ରତିନିଧି, ରାଜ୍ୟ ସରକାର ଏମିତିକି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଉଚିତ ପଦକ୍ଷେପ ନିଆଯିବ ବୋଲି ସଂଗଠନର କର୍ମକର୍ତ୍ତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ଜିଲ୍ଲାର ନିଷ୍କାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ ସହ କୃଷି ଜଳସେଚନ ପାଇଁ କୋଷ୍ଟ କେନାଲର ପୁନରୁଦ୍ଧାର ଦିଗରେ ଉଚିତ ପଦକ୍ଷେପ ନିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ତିନିତାଲାରେ ଥିବା ମହିଳା ମେଡିସିନ ୱାର୍ଡ଼କୁ ଲିପ୍ଟ ବ୍ୟବସ୍ଥା କରିବା ଓ ମରଣଯନ୍ତା ପାଲଟିଥିବା ଗୋପାଳଗାଁ ରାସ୍ତା ସମେତ ସହରର ବିଭିନ୍ନ ଶୋଚନୀୟ ରାସ୍ତାଘାଟର ନବୀକରଣ ଦାବିରେ ଖୁବଶୀଘ୍ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବାଲେଶ୍ୱର ଲୋକ ମୋର୍ଚ୍ଚାର ସଭାପତି ଅସିତ୍ ଦାସ ଓ ସାଧାରଣ ସମ୍ପାଦକ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ବିଭିନ୍ନ ରାଜନୀତି ଦଳ ସହ ସମ୍ପର୍କ ଥିବା ବ୍ୟକ୍ତିମାନେ ଏହି ସଂଗଠନ ସହ ସମ୍ପୃକ୍ତି ଥିବା ବେଳେ ଏହା ଜନସାଧାରଣଙ୍କ ସମସ୍ୟା ସମାଧାନରେ ବିଶେଷ ସହାୟକ ହେବ ବୋଲି ସେମାନେ କହିଛନ୍ତି। ମହତ ଉଦ୍ଦେଶ୍ୟରେ ଜନ୍ମ ନେଇଥିବା ଏହି ସଂଗଠନ ଆଗାମୀ ଦିନରେ ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ଆଗେଇ ନେବା ନିମନ୍ତେ କର୍ମକର୍ତ୍ତାମାନେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଆବାହକ ଜୟରାମ ଦାସ, ନୀଲମ ଦାସ, ଉପ-ସଭାପତି ନିଶିଥ ବାରିକ, ପ୍ରବୀର ଶଙ୍କର ଦାଶ ଓ ତାପସ ଦାସ, ସମ୍ପାଦକ ଶୁଭମ ସାଇ ମହାପାତ୍ର, ଜୟଶ୍ରୀ ବିଶ୍ୱାଳ, ଆଶିଷ ସାହୁ ଓ ସମ୍ବିତ୍ ବିଶ୍ୱାଳ, ଉପଦେଷ୍ଟା ପ୍ରଦୀପ୍ତ ମହାପାତ୍ର, ଜ୍ୟୋତିର୍ମୟୀ ସାମଲ, ରାଜଲକ୍ଷ୍ମୀ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଭାଗ୍ୟ ଉଦିତ୍ ଦାସପଟ୍ଟନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.