Home ଜିଲ୍ଲା ପରିକ୍ରମା ବାଲିପୋଖରୀ ଏସକେପ ତୃଟିପୂର୍ଣ୍ଣ ନିର୍ମାଣ ଓ ନଦୀଶଯ୍ୟା ସଙ୍କୁଚିତ କାର୍ଯ୍ୟ ଅନୁଧ୍ୟାନ କଲେ ନିରଞ୍ଜନ

ବାଲିପୋଖରୀ ଏସକେପ ତୃଟିପୂର୍ଣ୍ଣ ନିର୍ମାଣ ଓ ନଦୀଶଯ୍ୟା ସଙ୍କୁଚିତ କାର୍ଯ୍ୟ ଅନୁଧ୍ୟାନ କଲେ ନିରଞ୍ଜନ

14

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବୈତରଣୀ ନଦୀ ବାମପାର୍ଶ୍ୱ ଭାବେ ପରିଚିତ ନଦୀପଠା ଖୋଲାମେଲାରେ ପଡିଛି। କାଁ ଭାଁ କେଉଁଠି ନଦୀବନ୍ଧ ନାମକୁ ମାତ୍ର ନିର୍ମାଣ କରାଯାଇଛି। ଅନ୍ୟପକ୍ଷରେ ନଦୀଶଯ୍ୟାକୁ ଘେରିବନ୍ଧ ନିର୍ମାଣ କରଯାଇ ଏକତରଫା ଭାବେ ସଙ୍କୁଚିତ କରି ଦିଆଯାଇଛି। ନଦୀର ଅପରପାର୍ଶ୍ୱ ବନ୍ଧକୁ ଅତିମାତ୍ରାରେ ସୁଦୃଢ କରାଯାଇଛି। ବାଲିପୋଖରୀ ଏସକେପ ସମ୍ମୁଖ ବାଲିଶଯ୍ୟାରୁ ବାଲି ଉତ୍ତୋଳନ ବହୁମାତ୍ରାରେ କରାଯାଇ ନଦୀକୁ ଏସକେପ ଆଡକୁ ଯୋଜନାବଦ୍ଧ ଭାବେ ମୁହାଁଇ ଦିଆଯାଇଛି। ଭଣ୍ଡାରିପୋଖରୀ ବ୍ଲକର ବିସ୍ତୃତ ଅଞ୍ଚଳ ବନ୍ୟା ଅସୁରକ୍ଷିତ ହୋଇ ପଡିଥିବା ବେଳେ ବାଲିପୋଖରୀ ଏସକେପର ଉପସ୍ଥିତ ଉଚ୍ଚତାକୁ କମାଯାଇ ନିମ୍ନଉଚ୍ଚତାରେ କଂକ୍ରିଟକରଣ କାର୍ଯ୍ୟ ଗ୍ରହଣୀୟ ନୁହେଁ। ୧୦ ଟି ପଞ୍ଚାୟତର ଧନଜୀବନ ସୁରକ୍ଷା ପାଇଁ ଏସକେପ ଏବର ଉଚ୍ଚତାରେ କଂକ୍ରିଟକରଣ କରାଯିବା ଦରକାର। ଏଥିପାଇଁ ନୂତନ ବୈଷୟୀକ କମିଟି ଗଠନ କରାଯିବାକୁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିର ଦାବି ଯଥାର୍ଥ ବୋଲି ମତ ରଖି ପ୍ରାପ୍ତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ବାଲିପୋଖରୀ ଏସକେପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ମତପ୍ରକାଶ କରିଛନ୍ତି। କମିଟିର ଆବାହକ ତଥା ବାଲିପୋଖରୀ ସରପଞ୍ଚ ଅକ୍ଷୟ ତ୍ରିପାଠୀ ଓ ସଂଯୋଜକ ନାରାୟଣ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ଗୋଲକ ବେହେରା, ବିଜୟ ଶଙ୍କର ମହାନ୍ତି, ନାରାୟଣ ବେହେରା, ମନୋଜ କୁମାର ନାୟକ, ବସନ୍ତ କୁମାର ତ୍ରିପାଠୀ, ନାରାୟଣ ଚନ୍ଦ୍ର ଘଡାଇ, ବେଣୁଧର ସାହୁ, ଜିତେନ୍ଦ୍ର କୁମାର ମହାପାତ୍ର, ପବିତ୍ର କୁମାର ପାଣିଗ୍ରାହୀ, ରମାକାନ୍ତ ସାହୁ, ପ୍ରଶାନ୍ତ କୁମାର ଦାସ, ସନ୍ତୋଷ ମହାପାତ୍ର ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ।

ଆଗାମୀ ୨ ଦିନ ମଧ୍ୟରେ ମୁଖ୍ୟଶାସନ ସଚିବ, ଜଳସମ୍ପଦ ସଚିବ, ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ଗ୍ରହଣଯୋଗ୍ୟ ସମାଧାନ କରାଯିବ। ଏଥିରେ ବିଫଳ ହେଲେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରାଯିବ ବୋଳି ଶ୍ରୀ ପଟ୍ଟନାୟକ ଆଶ୍ୱାସନା ଦେଇଥିଲେ। ଆଖୁଆପଦା ଆନିକଟ ଠାରୁ ମାତ୍ର ୧୬ଶହ ମିଟର ଦୂରରେ ଅବସ୍ଥିତ ଏହି ଏସକେପର କଂକିଟକରଣ ପାଇଁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ୨୦୧୩ ମସିହାରେ ଆନ୍ଦୋଳନ କରିଥିଲା। ତତ୍‌କାଳୀନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ର ସୁରକ୍ଷା କମିଟି ସହ ଆଲୋଚନା କରିବା ସହ ବୈଷୟୀକ କମିଟି ଗଠନ କରି ୨୦୧୬ ମସିହାରେ ଅନୁଧ୍ୟାନ ପାଇଁ ପଠାଇଥିଲେ। ଯାହାର ଫଳ ସ୍ୱରୂପ ଏବେ କଂକ୍ରିଟକରଣ କାର୍ଯ୍ୟ ପାଇଁ ବିଭାଗ କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ବାଲିପୋଖରୀ ଏସକେପ କଂକ୍ରିଟକରଣ ପାଇଁ ଗତ ଜୁନ ମାସ ୧ ତାରିଖରେ ଶିଳାନ୍ୟାସ ହୋଇଥିଲା। ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଏସକେପର କଂକ୍ରିଟକରଣ କାର୍ଯ୍ୟ ଆଗାମୀ ଅପ୍ରେଲ ମାସ ୨୭ ତାରିଖରେ ସମ୍ପୁର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୩୭୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଏସକେପକୁ ସମ୍ପୁର୍ଣ୍ଣଭାବେ ଆର.ସି.ସି. କରାଯାଇ ସ୍ଥାୟୀ ନିର୍ମାଣ କରାଯିବ। ଏସକେପର ଉପରିଭାଗ ୫.୫ମିଟର ରହିବ କିମ୍ବା ଉପରିଭାଗ ପ୍ରସ୍ଥକୁ ୭ମିଟର କରାଯାଇ ପାରେ ଓ ଏକ ଫୁଟର ଉଚ୍ଚତାର କଂକ୍ରିଟକରଣ କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି। ମାତ୍ର ବିଭାଗୀୟ ନଥିପତ୍ରରେ ଥିବା ଏହି ଏସକେପର ଉଚ୍ଚତା ଠାରୁ ବାସ୍ତବ ଉଚ୍ଚତା ଢେର ଅଧିକ। ବାସ୍ତବ ଉଚ୍ଚତାକୁ ଏଡାଯାଇ ନଥିପତ୍ରରେ ଥିବା ଅପେକ୍ଷାକୃତ ନିମ୍ନ ଉଚ୍ଚତା ଅନୁଯାୟୀ କାର୍ଯ୍ୟ କରାଯାଉଥିବାରୁ ପରିସ୍ଥିତି ବିଗିଡି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.