Home ଜିଲ୍ଲା ପରିକ୍ରମା ବାରୋ କୁଆମାହାରା ଠାରେ ସାଳନ୍ଦୀ ନଦୀର ଘାଇ,ପାଣି ସ୍ରୋତରେ ଭାସି ଯାଉଛି ବାଲି ବସ୍ତା, ଘାଇ...

ବାରୋ କୁଆମାହାରା ଠାରେ ସାଳନ୍ଦୀ ନଦୀର ଘାଇ,ପାଣି ସ୍ରୋତରେ ଭାସି ଯାଉଛି ବାଲି ବସ୍ତା, ଘାଇ ବାନ୍ଧିବାକୁ ଜଳସେଚନ ବିଭାଗର ଉଦ୍ୟମ ଜାରି

8

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ କୁଆମାହାରା ଠାରେ ସାଳନ୍ଦୀ ନଦୀରେ ୭୦ଫୁଟ ଘାଇ ସୃଷ୍ଟିହୋଇ ପ୍ରଖର ପାଣିସ୍ରୋତ ଚାଲିଛି।ଫଳରେ ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ ଘାଇକୁ ବାଲିବସ୍ତାଦେଇ ପୋତିବାକୁ ଚେଷ୍ଟା କଲେମଧ୍ୟ ପାଣି ସ୍ରୋତରେ ବାଲି ବସ୍ତା ଭାସିଯାଉଛି। ତଥାପି ଜଳସେଚନ ବିଭାଗ ନଦୀରେ ବନ୍ଧ ପକାଇ ଘାଇ ବନ୍ଦ କରିବାକୁ ଉଦ୍ୟମ ଜାରିରଖିଥିବା ଜଣାପଡିଛି।ଘାଇରେ ପାଣିଆସି ପୁଣି ବାରୋ ପଂଚାୟତର ଚାଷ ଜମି ବୁଡି ଯାଇଛି। ବନ୍ୟାପାଣି ଜମିରୁ ଛାଡ଼ି ଆସୁଥିବା ବେଳେ ଚାଷ ଜମିରେ ପାଣିମାଡିବାରୁ ଚାଷୀମାନଙ୍କର ଧାନକିଛି ବଂଚିବା ଭରସା ସମ୍ପୂର୍ଣ୍ଣରୂପେ ତୁଟି ଯାଇଛି । ପଂଚାୟତର ବାରୋଡିହ ନିକଟ କୁଆମାହାରା ଠାରେ ସାଳନ୍ଦୀ ନଦୀ ବନ୍ଧରେ ୭୦ଫୁଟ ଓସାରର ଘାଇ ଉଭୟ ଚାଷୀ ଏବଂ ସାଳନ୍ଦୀ ଜଳସେଚନ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି । ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାରେ ବାରୋ ପଂଚାୟତ ଶହେ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଚାଷଜମିରୁ ବନ୍ୟାପାଣି ଛାଡ଼ି ଆସିବାରୁ ଚାଷୀମାନେ ଟିକେ ଆଶ୍ୱସ୍ତ ହୋଇଥିଲେ। ଠିକ ଏହି ସମୟରେ ପୁଣି ସାଳନ୍ଦୀ ନଦୀ ପାଣି ଚାଷ ଜମିକୁ ଜଳମଗ୍ନ କରିବା ଚାଷୀ ମାନଙ୍କୁ ହତାଶ କରିଛି। ତେବେ ଗୁରୁବାର ନଦୀବନ୍ଧରେ ଘାଇ ହେବା ସମ୍ପର୍କରେ ପଂଚାୟତବାସୀ ସାଳନ୍ଦୀ ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ପ୍ରିୟବ୍ରତ ସାହୁଙ୍କୁ ଜଣାଇଥିଲେ । ତେବେ କନିଷ୍ଠ ଯନ୍ତ୍ରୀ ସାହୁ ଘାଇରେ ବାଲି ବସ୍ତା ପକାଇ ନଦୀ ସ୍ରୋତକୁ ରୋକିବାକୁ କେତେକ ପଂଚାୟତବାସୀଙ୍କୁ ଦାଇତ୍ୱ ଦେଇଥିଲେ । ସେମାନେ ଘାଇକୁ ବାଲି ବସ୍ତା ପକାଇ ବାନ୍ଧିବାକୁ ଉଦ୍ୟମ କରିଥିଲେ । ମାତ୍ର ସ୍ରୋତର ଗତି ପ୍ରଖର ଥିବାରୁ ଘାଇକୁ ସମ୍ପୂର୍ଣ୍ଣ ରୂପେ ବାନ୍ଧିବା ସମ୍ଭବ ହୋଇନଥିଲା । ଫଳରେ ଚାଷ ଜମିକୁ ପାଣି ମାଡିଥିଲା। ତେବେ ପାଣିସ୍ରୋତ ନ କମିବାଯାଏ ଘାଇ ସମ୍ପୂର୍ଣ୍ଣ ବନ୍ଦକରିବା ସମ୍ଭବ ହେଉନାହିଁ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.