Home ଜିଲ୍ଲା ପରିକ୍ରମା ବାବା ଆଖଣ୍ଡଳମଣି ପୀଠ ଆରଡ଼ିରେ ଶ୍ରାବଣୀ ଜଳାଭିଷେକ ପାଇଁ ପ୍ରସ୍ତୁତି ବୈଠକ

ବାବା ଆଖଣ୍ଡଳମଣି ପୀଠ ଆରଡ଼ିରେ ଶ୍ରାବଣୀ ଜଳାଭିଷେକ ପାଇଁ ପ୍ରସ୍ତୁତି ବୈଠକ

33

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରାବଣୀ ଜଳାଭିଷେକ କାର୍ଯ୍ୟକ୍ରମ ଉପଲକ୍ଷେ ବାବା ଆଖଣ୍ଡଳମଣି ବିଜେ ଆରଡ଼ି ପୀଠରେ କାଉଡ଼ିଆ ମାନଙ୍କ ସୁବିଧା ପାଇଁ, ଶାନ୍ତି ଶୃଙ୍ଖଳା ରକ୍ଷା, ଗହଳି ନିୟନ୍ତ୍ରଣ, ପରିଷ୍କାର ପରିଚ୍ଛନ୍ନତା, ପାନୀୟଜଳ, ଚିକିତ୍ସା ଶିବିର ଆଦି ନେଇ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟି ତଥା ଉପ ଜିଲ୍ଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଚାନ୍ଦବାଲି ଜିଲ୍ଲା ପରିଷଦ ସଦସ୍ୟ ରାକେଶ କୁମାର ନାୟକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ସୁରୁଖୁରୁରେ ଶ୍ରାବଣୀ ଯାତ୍ରା ସରିବା ନେଇ ସମସ୍ତଙ୍କ ସହଯୋଗ ପାଇଁ ମତାମତ ପ୍ରକାଶ କରିଥିଲେ । ସେବାୟତ ବିଜୟ କୁମାର ଦାସ ଶ୍ରାବଣୀ ଯାତ୍ରା ସମୟରେ ଜଳାଭିଷେକ ପାଇଁ ଏଥର ପଡ଼ୁଥିବା ୭ଟି ସୋମବାରରେ ବାବାମଣିଙ୍କ ସ୍ୱତନ୍ତ୍ର ନୀତିକାନ୍ତି ର ସମୟ ଏବଂ ପୂଜାବିଧି ସମୟରେ ସୂଚନା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟକି ସଂକ୍ରାନ୍ତି ଓ ପୂର୍ଣ୍ଣମୀ ଆଧାରରେ ଜୁଲାଇ ୩ ଠାରୁ ଅଗଷ୍ଟ ୧୪ ମଧ୍ୟରେ ୪୪ ଦିନ ମଧ୍ୟରେ ୭ଟି ସୋମବାରରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ନେଇ ପ୍ରସ୍ତୁତି କରାଯିବ ।

ପୁଣି ବିଶେଷକରି ସଂକ୍ରାନ୍ତି ପୂର୍ଣ୍ଣିମା ଓ ଆଗକୁ ମଳମାସ ପଡ଼ୁଥିବା ଯୋଗୁଁ ଜୁଲାଇ ୧୭ରେ କାଉଡ଼ିଆଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ପାଇବାର ସମ୍ଭାବନା ଥିବା ପ୍ରକାଶ କରାଯାଇଥିଲା । ଆଇନ୍ ଶୃଙ୍ଖଳା ପରିଚାଳନା, ପୋଲିସ୍ ପେଟ୍ରୋଲିଂ ବ୍ୟବସ୍ଥା ନେଇ ଡ଼ି.ଏସ୍‌.ପି. ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ, ଏସ୍‌.ଡ଼ି.ପି.ଓ ସୌରଭ ଓତା ସୂଚନା ପ୍ରଦାନ କରିଥିଲେ । ନଦୀଘାଟ ଗୁଡ଼ିକରେ ଓଡ଼ରାଫ୍ ଟିମ୍ ମୂତୟନ, ଅଗ୍ନିଶମ ସେବା ନିଯୁକ୍ତି ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଛି । ଯତ୍ରୀବାହି ଗାଡ଼ି ଏବଂ ଘାଟ ଡଙ୍ଗାରେ ଅଧିକ ଯାତ୍ରୀ ପରିବହନ ନ କରିବା ପାଇଁ ନିୟନ୍ତ୍ରଣ ବ୍ୟବସ୍ଥା, ଆରଡ଼ିକୁ ସଂଯୋଗ କରୁଥିବା ରାସ୍ତାର ମରାମତି, କାଉଡ଼ିଆ ମାନଙ୍କ ପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ଆମ୍ବୁଲାନସ୍ ସହିତ ରାସ୍ତାପାଶ୍ୱର୍ ଡାକ୍ତରଖାନା ସବୁ ଉକ୍ତ ନିର୍ଦ୍ଧାରିତ ଆବଶ୍ୟକ ସମୟରେ ଖୋଲା ରଖାଯିବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଆଦି ଗୁରୁତ୍ୱ ପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ବିଶଦ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ମନ୍ଦିର କମିଟିର ସଦସ୍ୟବୃନ୍ଦ, ସେବାୟତ, ସଂପୃକ୍ତ ବିଭାଗୀୟ ସରକାରୀ ଅଧିକାରୀ, ସତ୍ୟସାଇ ସେବା ସଙ୍ଗଠନର କର୍ମକର୍ତ୍ତା, ଆରଡ଼ି, ଓଳଗ, ନାନ୍ଦପୁର, ସୁନ୍ଦରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଆଦି ଏହି ବୈକଠକରେ ଉପସ୍ଥିତ ରହି ଶ୍ରାବଣୀ ଯାତ୍ରା ସମ୍ପର୍କିତ ଆବଶ୍ୟକୀୟ ମତାମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.