ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ସରକାର ଗଠନ ପରେ ୨୦୨୫ ମଇ ୧୫ ତାରିଖରେ ଟିଜି ରାଜ୍ୟ କଲ୍ୟାଣ ବୋର୍ଡ ଗଠନ ଲାଗି ଯେଉଁ ଘୋଷଣା ହୋଇଥିଲା, ଏବେ ତାହା ବାସ୍ତବ ରୂପ ନେଇଛି। ରାଜ୍ୟ ତୃତୀୟ ଲିଙ୍ଗ (ଟ୍ରାନ୍ସଜେଣ୍ଡର) କଲ୍ୟାଣ ବୋର୍ଡ ଗଠନ ପରେ ଏଥିରେ ମୁଖ୍ୟ ଶାସନ ସଚିବ ବୋର୍ଡର ଅଧ୍ୟକ୍ଷ ରହିଛନ୍ତି। ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗ ସଚିବ ଉପାଧ୍ୟକ୍ଷ ଏବଂ ବିଭାଗୀୟ ନିର୍ଦ୍ଦେଶକ ସଦସ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇବେ। ଅନୁରୂପ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ମଧ୍ୟ ଏହି କଲ୍ୟାଣ ବୋର୍ଡର ସଦସ୍ୟ ରହିଛନ୍ତି। ଏଥିନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର କାର୍ଯ୍ୟକାଳ ୩ ବର୍ଷ ଏବଂ ବିଭାଗୀୟ ମନ୍ତ୍ରୀ ବୋର୍ଡର ଅଧ୍ୟକ୍ଷ ରହିବାର ନିଷ୍ପତି ହୋଇଥିଲା। ତେବେ ଏହା ଏବେ ବାସ୍ତବ ରୂପ ନେଇଥିବାବେଳେ ଯେଉଁ ୧୫ ଜଣିଆ ସଦସ୍ୟଙ୍କୁ ନେଇ ନୂତନ ଭାବରେ ୩ୟ ଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ କରାଯାଇଛି, ଏଥିରେ ଭଦ୍ରକର ୩ୟ ଲିଙ୍ଗୀ ଅଧିକାର କର୍ମୀ ସୌମ୍ୟା ଦାସ (ସୋନାଲି) ବୋର୍ଡ ସଦସ୍ୟ ଭାବେ ରହିଥିବାରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଏହା କିନ୍ନରଙ୍କ ଜୀବନ ଜୀବିକା ସୁରକ୍ଷା, ସମ୍ମାନ, ସାମାଜିକ ଗ୍ରହଣୀୟତା ଦିଗରେ କାର୍ଯ୍ୟ କରିବ ବୋଲି ଭଦ୍ରକରେ ଗଣମାଧ୍ୟମକୁ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ବୋର୍ଡରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପଂଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ବିଭାଗର ପ୍ରତିନିଧିମାନେ ସଦସ୍ୟ ରହିବେ। ଏଥିସହ ରାଜ୍ୟର ପ୍ରଥମ ପିଏଚ୍ଡି (ଓଡିଆ ଭାଷା ଓ ସାହିତ୍ୟ ବିଭାଗ) ମନୋନୀତ ୩ୟ ଲିଙ୍ଗୀ ଦୀପ୍ତିରଂଜନ ମହାପାତ୍ର ମଧ୍ୟ ସଦସ୍ୟ ରହିଛନ୍ତି। ଭୁବନେଶ୍ୱର ସ୍ଥିତ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ଏବଂ ବାଲୁଗାଁସ୍ଥିତ ଚେତନା ସଂଗଠନର ଜଣେ ଲେଖାଏଁ ପ୍ରତିନିଧି ବୋର୍ଡ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇବେ। ବଲାଙ୍ଗୀର, ଅନୁଗୁଳ ଏବଂ ଖୋର୍ଦ୍ଧା ଜିଲାପାଳ ପର୍ଯ୍ୟାୟକ୍ରମେ ସଦସ୍ୟ ଭାବେ ସ୍ଥାନ ପାଇବେ।







