Home ଜିଲ୍ଲା ପରିକ୍ରମା ବନ୍ୟା ଆସିଲା ରାଜନୀତି ତେଜିଲା, ବିପନ୍ନଙ୍କୁ ସାହାଯ୍ୟ ଅପେକ୍ଷା ସୋସିଆଲ ମିଡିଆର ପ୍ରଚାର ଜୋର ଧରିଲା

ବନ୍ୟା ଆସିଲା ରାଜନୀତି ତେଜିଲା, ବିପନ୍ନଙ୍କୁ ସାହାଯ୍ୟ ଅପେକ୍ଷା ସୋସିଆଲ ମିଡିଆର ପ୍ରଚାର ଜୋର ଧରିଲା

16

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବନ୍ୟା ଆସିଲା ରାଜନୀତି ତେଜିଲା । ଦୁର୍ବଳ ନଦୀବନ୍ଧ ଯୋଗୁଁ ସବୁବର୍ଷ ବୈତରଣୀ ନଦୀରେ ସାମାନ୍ୟରୁ ମଧ୍ୟମ ଓ ବଡ ଧରଣର ବନ୍ୟା ଆସିଥାଏ । ଏହି ବନ୍ୟା ଧାମନଗର ବ୍ଲକ୍‌କୁ ବିଶେଷ ଭାବେ କ୍ଷତିଗ୍ରସ୍ତ କରିଥାଏ । ଚଳିତବର୍ଷର ମଧ୍ୟମ ଧରଣର ବନ୍ୟା ଧାମନଗର ବ୍ଲକ୍‌ରେ ୩୦ଟି ପଞ୍ଚାୟତକୁ କ୍ଷତିଗ୍ରସ୍ତ କରିଛି । ଏହି କ୍ଷୟକ୍ଷତିର ହିସାବ ପ୍ରଶାସନ କରିବ । ତେବେ ଏହି ବନ୍ୟା ଧାମନଗର ରାଜନୀତିକୁ ଖୁବ ଚଳଚଞ୍ଚଳ କରିଦେଇଛି । ଆଉ ୯ ମାସ ପରେ ହେବ ସାଧାରଣ ନିର୍ବାଚନ । ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ବନ୍ୟା ଧାମନଗର ବିଜେଡି ରାଜନୀତିକୁ ଚଳଚଞ୍ଚଳ କରିଛି । ବିଜେଡିର ମାଳ ମାଳ ନେତାଙ୍କ ଗସ୍ତ ସହ ନୂଆ ଆଶାୟୀଙ୍କ ମୁହଁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭଦ୍ରକ ଜିଲାରେ ଚଳିତବର୍ଷର ପ୍ରଥମ ବନ୍ୟା ଜିଲାବାସୀଙ୍କୁ ନୟାନ୍ତ କରିସାରିଛି । ଜିଲାର ପ୍ରମୁଖ ନଦୀ ବୈତରଣୀ ନଦୀରେ ବନ୍ୟା ଆସି ଜିଲାର ବ୍ୟାପକ ଅଂଚଳ ଜଳମଗ୍ନ ହୋଇପଡିଛି । ବିଶେଷକରି ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ତିହିଡି ବ୍ଲକ୍‌ର ବହୁ ଗ୍ରାମକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରିଦେଇଛି । ଏହି ବନ୍ୟାକୁ ନେଇ ଜିଲା ପ୍ରଶାସନ, ରାଜ୍ୟ ନେତୃମଣ୍ଡଳୀ ବେଶ୍ ତତ୍ପର ହୋଇଉଠିଛି । ତେବେ ଧାମନଗରର ବହୁ ପଂଚାୟତ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ବନ୍ୟାକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କ ବୟାନବାଜି ଗଣମାଧ୍ୟମକୁ ଉଷ୍ମ କରିରଖିଛି । ବିଶେଷକରି ଧାମନଗର ବିଜେଡି ରାଜନୀତି ବନ୍ୟା ପୀଡିତଙ୍କ ଦୁର୍ଦ୍ଦଶାରୁ ରାଜନୈତିକ ଫାଇଦା ଉଠାଇବା ପାଇଁ କସରତ ଚଳାଇଛି । ବନ୍ୟା ପୀଡିତଙ୍କ କ୍ଷତରେ ମଲମ ଲଗାଇ ରାଜନେତାମାନେ ୨୪ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।

ବିପନ୍ନଙ୍କ ପାଇଁ ଟିକିଏ ଦରଦ ଥିଲାଭଳି ବନ୍ୟାଞ୍ଚଳ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳୁଛି । ଏହି ନେତାମାନେ ବନ୍ୟା ପୀଡିତଙ୍କ ସାହାଯ୍ୟ ଦେବା ଆଳରେ ସୋସିଆଲ ମିଡିଆରେ ଅଭିନବ ନିଜସ୍ୱ ପ୍ରଚାର ଚଳାଇଛନ୍ତି । ଏପରିକି ୨୦୨୪ ନିର୍ବାଚନରେ କେତେକ ଆଶାୟୀ ପ୍ରାର୍ଥୀ ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବାର ଜଣାଯାଇଛି । ଏହି ନେତାମାନେ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଡାକ୍ତର ସଂଜୟ ଦାସ, ପୂର୍ବତନ ସାଂସଦଙ୍କ ପୁତ୍ର ସୁବ୍ରତ ମଲ୍ଲିକ, ମଂଜୁଲତା ଦାସ, ସତ୍ୟପ୍ରକାଶ ସେଠୀଙ୍କ ଚେହେରା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନେତାମାନେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ôଚ ଫଟୋ ଉଠାଇ ସହାୟତାର ମିଛ ଅଭିନୟ କରିବା ଓ ବିଭିନ୍ନ ପ୍ରତିଶ୍ରୁତି ଦେଉଥିବାବେଳେ ସବୁଠାରୁ ଅଧିକ ବିପନ୍ନ ପଶୁ ସଂପଦ ଗୋରୁ, ଗାଈ, ଛେଳିଙ୍କ ଦୁର୍ଦ୍ଦଶା ପ୍ରତି ଏମାନଙ୍କର କୌଣସି ଦରଦ ଦେଖାଯାଉନାହିଁ । ଏହାର କାରଣ ହେଲା ଏମାନେ ସେମାନଙ୍କର ଭୋଟର ନୁହଁନ୍ତି । ବିଭିନ୍ନ ଦଳ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସୋସିଆଲ ମିଡିଆ ପ୍ରକୃତ ବନ୍ୟା ଅପେକ୍ଷା ଅଧିକ ଚିତ୍ରଣ କରି ନିଜର ପତିଆରା ବଢାଇବାରେ ଲାଗିପଡିଛନ୍ତି । ତେବେ ଏହି ବନ୍ୟା ସମୟରେ ସାଂସଦ କିମ୍ବା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କର ଚେହେରା ଦେଖାନଯିବା ଘଟଣା ଚର୍ଚ୍ଚାର ବିଷୟ ସାଜିଛି । ଅପରପକ୍ଷରେ ଜିଲା ପ୍ରଶାସନ ରାଜନୈତିକ ନେତା ଅପେକ୍ଷା ବନ୍ୟା ପୀଡିତଙ୍କ ପ୍ରତି ଅଧିକ ସଚେତନ ଅଛି । ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ଦ୍ୱାରା ଉଦ୍ଧାର କାର୍ଯ୍ୟ, ବିସ୍ଥାପନ, ଶୁଖିଲା ଖାଦ୍ୟ ବଣ୍ଟନ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଆଦିକୁ ତ୍ୱରାନିତ କରିଚାଲିଛି । ବନ୍ୟାଞ୍ଚଳରେ ପ୍ରଶାସନର ନିରନ୍ତର କାର୍ଯ୍ୟ ଜାରି ରହିଛି କିନ୍ତୁ ନେତାମାନେ ବନ୍ୟା ଦୁର୍ଗତଙ୍କ ଦୂରାବସ୍ଥାକୁ ନେଇ ନିଜସ୍ୱ ପ୍ରଚାର ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.