ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ବନ୍ୟାଞ୍ଚଳ ବିରୋଳି, ନୌରଙ୍ଗପୁର ଓ ଚତୁର୍ଭୁଜପୁର ଗ୍ରାମର ୩ଜଣ ବିଷଧର ସାପ କାମୁଡାର ଶିକାର ହୋଇଥିବା ଜଣାଯାଇଛି। ଗତ ଶୁକ୍ରବାର ରାତ୍ରରେ ବିଷଧର ସାପ କାମୁଡାରେ ବିରୋଳିର ଗୀତା ଯେନା ମୃତ୍ୟୁବରଣ କରିଛନ୍ତି। ଗୀତା ଶୋଇଥିବା ଅବସ୍ଥାରେ ସାପ କାମୁଡି ଦେଇଥିଲା। ଓଡ୍ରାଫ ଟିମ ସହାୟତାରେ ତାଙ୍କୁ ଯାଜପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଗୀତା ମୃତ୍ୟୁବରଣ କରିଥିବା ଜଣାଯାଇଛି। ସେହିପରି ବନ୍ୟାଜଳ ଘେରରେ ଥିବା ଚତୁର୍ଭୁଜପୁର ଗ୍ରାମର ଉମାରାଣୀ ସେଠୀଙ୍କୁ ଗତ ରାତ୍ରରେ ସାପ କାମୁଡିଥିଲା। ତାଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେ ସୁସ୍ଥ ଥିବା ଜଣାଯାଇଚି। ବନ୍ୟାରେ ଜଳବନ୍ଦୀ ହୋଇଥିବା ରହଣିଆ ପଂଚାୟତ ନୌରଙ୍ଗପୁର ଗ୍ରାମର ଚକ୍ରଧର ରାଉତଙ୍କୁ ଶନିବାର ବିଷଧର ସାପ କାମୁଡିଥିଲା। ଗ୍ରାମବାସୀ ଅଥଳ ଜଳସ୍ରୋତକୁ ଭ୍ରୁକ୍ଷେପ ନକରି ତାଙ୍କୁ ଯାଜପୁର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ଜଣାଯାଇଛି।








