Home ଜିଲ୍ଲା ପରିକ୍ରମା ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତ ମାନ୍ୟତା ଅବସରରେ ତ୍ୟାଗଭୂମିର କୃତଜ୍ଞତା ସଭା : ‘ସଙ୍ଗୀତର...

‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତ ମାନ୍ୟତା ଅବସରରେ ତ୍ୟାଗଭୂମିର କୃତଜ୍ଞତା ସଭା : ‘ସଙ୍ଗୀତର ବୀଣାତନ୍ତ୍ରୀରେ କାନ୍ତକବି ସୃଷ୍ଟି କରିଥିଲେ ଜାତୀୟ ସ୍ପନ୍ଦନ’

87

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବି ଲକ୍ଷ୍ମୀକାନ୍ତ ମାଟିର ମନ୍ତ୍ରଦ୍ରଷ୍ଟା । ସେ ଶୁଣିଥିଲେ ଜାତିର ଜୀବନ୍ତ ଚେତନାର ପଦଧ୍ୱନି । ଜାତିର ଅନ୍ତରାତ୍ମାରେ ସୃଜନର ସ୍ପନ୍ଦନ ଭରି ପୂତପୟୋଧି ବିଧୌତ ଅଞ୍ଚଳରୁ ବନଭୂମିର ଚାରୁଚିତ୍ର ଓ ଗରିମାମୟ ଐତିହ୍ୟକୁ ସଙ୍ଗୀତ ମାଧ୍ୟମରେ କରିଥିଲେ ଝଙ୍କୃତ । ଜାତି ପ୍ରାଣରେ ଦିବ୍ୟଚେତନାର ନବରବି ଉଦିତ କରାଇବାକୁ ସଙ୍ଗୀତର ବୀଣାତନ୍ତ୍ରୀରେ ସେ ଯେଉଁ ରାଗିଣୀ ତୋଳିଥିଲେ, ତା’ର ପ୍ରାମଣୟ ରୂପ ହିଁ ‘ବନ୍ଦେ ଉତ୍କଳ ଜନନୀ’ । ୨୦୧୨ ମସିହାରେ ରଚିତ ହୋଇଥିବା ଓ ୨୦୧୩ ମସିହାରେ ବାଲେଶ୍ୱର ଉତ୍କଳ ସମ୍ମଳନୀ ଅଧିବେଶନରେ ଗାନ ହୋଇଥିବା ଏହି ସଙ୍ଗୀତ ଦୀର୍ଘ ୧୦୮ବର୍ଷ ପରେ ଆଜି ରାଜ୍ୟ ସଙ୍ଗୀତ ଭାବେ ସ୍ୱୀକୃତି ଲାଭକଲା । ସରକାରୀ ସ୍ୱୀକୃତି ମଳିବାର ବହୁପୂର୍ବରୁ ଓଡ଼ିଶାର ଗଣଜୀବନରେ ଏହା ସର୍ବମାନ୍ୟ ଜାତୀୟ ସଙ୍ଗୀତ ରୂପେ ଗୃହୀତ ହେବା ଥିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା । ଐତିହ୍ୟର ପ୍ରତିଫଳନ ଥିବା କୌଣସି କାଳଜୟୀ ସୃଷ୍ଟି କେବେ ମଳିଣ ପଡ଼ିପାରେ ନାହିଁ ବୋଲି ଭଦ୍ରକ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସ୍ୱତନ୍ତ୍ର କୃତଜ୍ଞତା ଉତ୍ସବରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଗତକାଲି ଥିଲା ଜୁନ୍ ୭ ତାରିଖ । ଓଡ଼ିଆ ଜାତିର ଇତିହାସରେ ଯୋଡ଼ି ହେଇଗଲା ଏକ ସୁବର୍ଣ୍ଣ ଅଧ୍ୟାୟ । ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ସ୍ୱତନ୍ତ୍ର ଅଧିବେଶନ ମାଧ୍ୟମରେ ଏହାକୁ ଗୃହୀତ କରି ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିବାରୁ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଆଜି ତ୍ୟାଗଭୂମି ଭବନଠାରେ ଅନୁଷ୍ଠିତ ସଭାରେ ସମ୍ମେଳନର ସଭାପତି ଅଜୟ ନାୟକ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ମେଳନର ବରିଷ୍ଠ ଉପଦେଷ୍ଟା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଇ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ସମୂହ ଗାନ କରାଯିବା ପରେ ନିକଟରେ ପରଲୋକଗତ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ଅଧିବକ୍ତା ଗଦାଧର ବଳ, ବୈଲୋଚନ ବେହୁରିଆ, ପଙ୍କଜ ବଳ, ଅମରେନ୍ଦ୍ର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ରୂପକ ବିହାରୀ ରାୟ, ତପନ ଡାକୁଆ ପ୍ରମୁଖ ଏହି ସ୍ମରଣୀୟ ଗୌରବାବହ ମୁହୂର୍ତ୍ତରେ ଅବସରରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.